ଭୁବନେଶ୍ୱର: ଅବସରପ୍ରାପ୍ତ ସେନା ଅଧିକାରୀ କେ.ପି. ଧଳସାମନ୍ତ ଏବଂ ବିଶିଷ୍ଟ ଶ୍ରମିକ ନେତା, ସାହିତି୍ୟକ, ସ୍ତମ୍ଭକାର ସୌରୀବନ୍ଧୁ କରଙ୍କ ଭଳି ଏହି ମାଟିର ଦୁଇଜଣ ସୁଯୋଗ୍ୟ ସନ୍ତାନଙ୍କୁ ଗତକାଲି ହରାଇଥିଲା ଓଡ଼ିଶା । ଆଜି ଆଉ ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଛି ରାଜ୍ୟ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ, ସରଳ ଅମାୟିକ ମଣିଷ ସନାତନ ବିଶି ଆଉ ନାହାନ୍ତି । ଆଜି ସକାଳେ ସମ୍ବଲପୁର ହୀରାକୁଦ କଲୋନୀସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।
ରାଜନୀତିରେ ପ୍ରତିଷ୍ଠା ଲାଭ କରିଥିବା ସ୍ୱର୍ଗତ ବିଶି ବହୁ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ରାଜନୀତିରେ ପଦପଦବୀରେ ନ ଥିଲା ବେଳେ ମଧ୍ୟ ସାଧାରଣ ମଣିଷଙ୍କ ସୁଖଦୁଃଖରେ ଓତଃପ୍ରୋତ ଜଡ଼ିତ ରହୁଥିଲେ । ରାଜନୀତି ଓ ସାମାଜିକ ଜୀବନ ବାହାରେ କ୍ରୀଡ଼ା ପ୍ରତି ତାଙ୍କର ସ୍ୱତନ୍ତ୍ର ଆକର୍ଷଣ ଥିଲା । ଜଣେ କ୍ରୀଡ଼ା ସଂଗଠକ ଭାବେ ତାଙ୍କର ଖ୍ୟାତି ଥିଲା । ସମ୍ବଲପୁର ଷ୍ଟାଡ଼ିୟମ୍ ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ଓଡ଼ିଶା ଅଲମ୍ପିକ ଆସୋସିଏସନ୍ ସହ ମଧ୍ୟ ସେ ଜଡ଼ିତ ଥିଲେ ।
ଛାତ୍ର ଆନେ୍ଦାଳନରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ସ୍ୱର୍ଗତ ବିଶି ସମ୍ବଲପୁର ଜିଲ୍ଲା ଜନତା ଦଳର ସଭାପତି ହୋଇଥିଲେ । ତାଙ୍କ ବ୍ୟକ୍ତିତ୍ୱ ଓ ଦକ୍ଷତାକୁ ଚିହ୍ନି ବିଜୁବାବୁ ୧୯୯୪ ମସିହାରେ ତାଙ୍କୁ ରାଜ୍ୟସଭା ଟିକେଟ୍ ଦେଇଥିଲେ । ୧୯୯୪ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ଥିଲେ । ୨୦୦୦ ମସିହା ଏବଂ ୨୦୦୪ ମସିହାରେ ରେଢ଼ାଖୋଲ ବିଧାନସଭା ଆସନରୁ ବିଜେଡ଼ି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ ଦ୍ୱିତୀୟ ପାଳି ସରକାରେ ସ୍ୱାସ୍ଥ୍ୟ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ପାଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ସେ ବେଶ୍ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ।
ସନାତନ ବିଶିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ସ୍ୱର୍ଗତ ବିଶି ଜଣେ ଉତ୍ସର୍ଗୀକୃତ ସାମାଜିକ ସଂଗଠକ ଥିଲେ । ତାଙ୍କର ସରଳ ଗୁଣ ପାଇଁ ସେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ତାଙ୍କ ମୃତ୍ୟୁ ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍ୱର୍ଗତ ବିଶିଙ୍କ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି । ସୌରୀବନ୍ଧୁ କରଙ୍କ ମୃତ୍ୟୁରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରି ତାଙ୍କର ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।
ଓଡ଼ିଶାର ଏହି ସୁଯୋଗ୍ୟ ସନ୍ତାନଙ୍କ ବିୟୋଗରେ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିଜେଡ଼ି ସଂଗଠନ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ସର୍ବଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ, ରାଜ୍ୟ ସରକାରଙ୍କ ମିଡ଼ିଆ ପରାମର୍ଶଦାତା ମାନସ ମଙ୍ଗରାଜ, ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ର, ରାଜ୍ୟ ଯୁବକଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ ନାୟକ ପ୍ରମୁଖ ଗଭୀର ଶୋକପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।