ଭୁୁବନେଶ୍ୱର: ବୟସ ୮୫ ବର୍ଷ । ଶରୀରର ଓଜନ ମାତ୍ର ୨୨ କେଜି । ବୟସର ଅପରାହ୍ନରେ ପହଞ୍ଚି ସାରିଥିବା ଏହି କ୍ଷୀଣ ଶରୀରଧାରୀ ବୃଦ୍ଧାଜଣଙ୍କ କୋଭିଡ ଭଳି ଭୟାନକ ଭାଇରସ୍ କୁ ହରାଇ ଦେଇଛନ୍ତି । ୧୨ ଦିନ ଧରି ଲଢ଼େଇ କରିବା ପରେ କରୋନା କବଳରୁ ମୁକ୍ତି ପାଇ ଘରକୁ ଫେରି ଆସିଛନ୍ତି । ବିଶ୍ୱାସ କରି ହେଉ ନ ଥିଲେ ମଧ୍ୟ ଘଟଣାଟି ସତ୍ୟ ।
କରୋନା ରୋଗ ସହ ଲଢ଼େଇ କରି ବିଜୟୀ ହୋଇଥିବା ବୃଦ୍ଧାଙ୍କୁ ନେଇ ସବୁଆଡ଼େ ଚର୍ଚ୍ଚା । କରୋନା କବଳରୁ ତାଙ୍କୁ ବଞ୍ଚାଇଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କର ଆତ୍ମବଳକୁ ଏହା ଶହେଗୁଣ କରିଦେଇଛି ।
ଯାଜପୁର ଜିଲ୍ଲାର କରୋନା ହଟସ୍ପଟ୍ କଟିକଟା ଅଞ୍ଚଳର ଏହି ବୃଦ୍ଧାଙ୍କର ଗତ ୩୦ ତାରିଖରେ କୋଭିଡ୍ ପଜିଟିଭ୍ ବାହାରିଥିଲା । ଭୁବନେଶ୍ୱର ସମ୍ କୋଭିଡ୍ ହସ୍ପିଟାଲ୍ ରେ ତାଙ୍କୁ ଚିକିତ୍ସା କରାଯାଉଥିଲା । ଜରାକୀର୍ଣ୍ଣ ଶରୀରର ଏହି ୮୫ ବର୍ଷର ବୃଦ୍ଧାଙ୍କ ଚିକିତ୍ସା ଡାକ୍ତରମାନଙ୍କ ପାଇଁ ଚାଲେଞ୍ଜପୂର୍ଣ୍ଣ ଥିଲା । ତାଙ୍କୁ ସୁସ୍ଥ କରିବା ପାଇଁ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ଅକ୍ଲାନ୍ତ ଉଦ୍ୟମ ଚଳାଇଥିଲେ । ଯାହା ଶେଷରେ ସଫଳ ହୋଇଛି । ୧୨ ଦିନର ଚିକିତ୍ସା ପରେ ମଙ୍ଗଳବାର ଦିନ ବୃଦ୍ଧା ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।