ଭୁବନେଶ୍ୱର: କୋଭିଡ ଟେଷ୍ଟ୍ ରେ ଗୋଆ ପଛରେ ଓଡ଼ିଶା ଦେଶର ଦୁଇ ନମ୍ବର ରାଜ୍ୟ । ରାଜ୍ୟରେ ଦୈନିକ ୧୦ ଲକ୍ଷ ଜନସଂଖ୍ୟାରେ ୧୨୬୫ ଜଣଙ୍କର କୋଭିଡ୍ ଟେଷ୍ଟ କରାଯାଉଛି ଯାହାକି ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ । ଜାତୀୟସ୍ତରରେ ୧୦ ଲକ୍ଷ ଜନସଂଖ୍ୟାରେ ୫୮୦ ଜଣଙ୍କର ଟେଷ୍ଟ କରାଯାଉଥିବା ବେଳେ ଓଡ଼ିଶାରେ ଅତିରିକ୍ତ ୬୮୫ ଜଣଙ୍କର ଟେଷ୍ଟ କରାଯାଉଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି ।
ଦେଶର ବଡ଼ ବଡ଼ ରାଜ୍ୟକୁ ଏ କ୍ଷେତ୍ରରେ ପଛରେ ପକାଇଛି ଓଡ଼ିଶା । ମଧ୍ୟପ୍ରଦେଶରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଦୈନିକ ୨୪୪ ଟେଷ୍ଟିଂ ହେଉଥିବା ବେଳେ ରାଜସ୍ଥାନରେ ୩୦୯, ପଶ୍ଚିମବଙ୍ଗରେ ୩୬୫, ବିହାର ୪୦୮, କେରଳ ୫୩୪, ପଞ୍ଜାବ ୫୪୬ ଏବଂ ମହାରାଷ୍ଟ୍ରରେ ୫୭୯ ଟେଷ୍ଟିଂ କରାଯାଉଛି । ଯାହା ଜାତୀୟ ଟେଷ୍ଟିଂ ହାରଠାରୁ କମ୍ । ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଗୁଜୁରାଟ ଭଳି ରାଜ୍ୟ ବି ଓଡ଼ିଶାଠାରୁ କୋଭିଡ୍ ଟେଷ୍ଟରେ ପଛରେ ରହିଛନ୍ତି ।
ଓଡ଼ିଶାରେ ଏବେ ଦୈନିକ ୫୦ ହଜାରରୁ ଅଧିକ ଟେଷ୍ଟିଂ ହେଉଥିବାରୁ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏହା ରୋଲ୍ ମଡ଼େଲ୍ ହୋଇଛି । ଖାଲି ଟେଷ୍ଟିଂ ନୁହେଁ, ସୁସ୍ଥ ହାରରେ ବି ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇଛି । ଆଜି ସୁଦ୍ଧା ୭୨,୭୧୮ ଚିହ୍ନଟ ହୋଇଥିଲା ବେଳେ ୫୦, ୫୦୩ ଜଣ ସୁସ୍ଥ ହେଲେଣି । ଉତ୍ତମ କୋଭିଡ୍ ପରିଚାଳନା ଯୋଗୁଁ ଏହି ସଫଳତା ମିଳିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି କରାଯାଇଛି ।