ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଘରୋଇ ମାଲିକାନାରେ ଥିବା ଓଟିଭି ଚାନେଲ୍ ରୁ ଦର୍ଶକ ମୁହଁ ଫେରାଇବା ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବାକୁ ଯାଇ ଶେଷ ପର୍ଯ୍ୟନ୍ତ ବିଶ୍ୱକପ୍ ହକି ଆୟୋଜନକୁ ସମାଲୋଚନା କରିବା ଚାନେଲକୁ ଆହୁରି ମହଙ୍ଗା ପଡ଼ିଛି । ଚଳିତ ମାସରେ ଚାନେଲ୍ ର ଦୁର୍ବଳ ଟିଆରପି ହିଁ ଏହାର ପ୍ରମାଣ । ସାଧାରଣ ନିର୍ବାଚନ ୪ ମାସ ବାକିଥିବା ବେଳେ ଓଟିଭି ପ୍ରତି ଦର୍ଶକଙ୍କର ଏଭଳି ଅନ୍ଦାଜ କର୍ତ୍ତୃପକ୍ଷଙ୍କୁ ବିବ୍ରତ କରିଛି । ନିଜକୁ ନିରପେକ୍ଷ ଏବଂ କୌଣସି ରାଜନୈତିକ ଦଳର ପ୍ରତିନିଧି ନୁହେଁ ବୋଲି ଖବରକାଗଜରେ ବିଜ୍ଞାପନ ସଫେଇ ଦେଇ ନିଜର ସ୍ଥିତି ରକ୍ଷା କରିବାକୁ ଉଦ୍ୟମ କରିଛନ୍ତି ।
ଗତ ୫ ସପ୍ତାହର ଓଟିଭିର ବାର୍କ ରେଟିଂ ( ୧୫ ବର୍ଷରୁ ଅଧିକ ବୟସର ଦର୍ଶକ ଦେଖୁଥିବା) ତାଲିକା ଏଠାରେ ଦେଉଛୁ । ସେଥିରୁ ଚାନେଲ୍ ର ସ୍ଥିତି ବୁଝି ହୋଇଯିବ । ଅକ୍ଟୋବର ଶେଷ ସପ୍ତାହରେ( ଅକ୍ଟୋବର୨୭ ରୁ ନଭେମ୍ବର ୨) ଓଟିଭି ଟିଆରପି ୧୩୫ ଥିଲା । ତା’ ପର ସପ୍ତାହ(ନଭେମ୍ବର ୩ ରୁ ନଭେମ୍ବର୯) ଟିଆରପି ରହିଲା ୧୨୬ । ନଭେମ୍ବର ୧୭ ରୁ ନଭେମ୍ବର ୨୩ ସପ୍ତାହରେ ଟିଆରପି ଆସିଲା ୧୧୯କୁ । ନଭେମ୍ବର ୨୪ ରୁ ନଭେମ୍ବର ୩୦ ସପ୍ତାହରେ ଟିଆରପି ୧୧୫ କୁ ଖସିଲା । ଡିସେମ୍ବର ୧ ରୁ ଡିସେମ୍ବର ୭ସପ୍ତାହରେ ଟିଆରପି ୧୦୪ କୁ ଖସିଆସିଛି । ଅର୍ଥାତ୍ ୫ ସପ୍ତାହ ଧରି ଓଟିଭିର ଟିଆରପି କ୍ରମାଗତ ଭାବେ ଖସି ଚାଲିଛି ।
ଏହା ଚାନେଲ୍ କର୍ତ୍ତୃପକ୍ଷଙ୍କୁ ବିଚଳିତ କରିବା ସ୍ୱାଭାବିକ । ସେମାନେ ଭାବୁଥିଲେ ଆମେ ଏକ ନମ୍ବର ଚାନେଲ୍ । ଯାହା ଦେଖାଇବୁ, ଲୋକେ ଗ୍ରହଣ କରିବାକୁ ବାଧ୍ୟ । ମାତ୍ର ଯୁଗ ବଦଳୁଛି । ସୋସିଆଲ୍ ମିଡ଼ିଆର ଦ୍ରୁତ ପ୍ରସାର ପରେ ଲୋକେ ଖବରର ନିରପେକ୍ଷତା ସ୍ପଷ୍ଟ ବାରି ପାରୁଛନ୍ତି । ଚାନେଲ କି ଖବରକାଗଜ ମାଲିକଙ୍କ ସ୍ୱାର୍ଥରେ ଖବରର ଗତି କିଭଳି ବଦଳେ ତାହା ବି ହାଡେ ହାଡେ ଅନୁଭବ କରୁଛନ୍ତି । ଏହି ଦୃଷ୍ଟିରୁ ଓଟିଭି ନିଜର ବିଶ୍ୱନୀୟତା ଆସ୍ତେ ଆସ୍ତେ ହରାଇ ବସୁଛି ଯାହା ଏହି ଟିଆରପି କହୁଛି ।
ଚାନେଲର ପ୍ରଚ୍ଛଦପଟ ମାଲିକ ବୈଜୟନ୍ତ ପଣ୍ଡା ଆଗରୁ ବିଜେଡ଼ିରେ ଥିଲେ । ବିଜେଡ଼ିକୁ ସୁହାଇଲା ଭଳି ତାଙ୍କ ଚାନେଲ୍ ଖବର ପରିବେଷଣ କରୁଥିଲା । ବୈଜୟନ୍ତ ବିଜେଡ଼ିରେ ଅପଡ଼ ହେବା ପରଠୁ ଖବରର ଗତି ବଦଳିଗଲା । ପ୍ରତିଦିନ ବିଜେଡ଼ି ଓ ଏହି ସରକାରର ଛିଦ୍ର ଓଟିଭି ଆଖିକୁ ହଠାତ୍ ଜଳ ଜଳ ଦିଶିଲା । ଏବେ ଦିନରାତି ଯେତେବେଳେ ଦେଖିବ ଓଟିଭିରେ ସେଭଳି ଖବର ହିଁ ଦେଖିବାକୁ ମିଳୁଛି । ଏହା ସଚେତନ ଦର୍ଶକ ଦେଖୁଛନ୍ତି, ଖବର ପଛର ରାଜନୈତିକ କାରଣ ବିଶ୍ଲେଷଣ କରୁଛନ୍ତି ଏବଂ ସେଥିରେ ମାଲିକଙ୍କ ରାଜନୈତିକ ସ୍ୱାର୍ଥ କେତେ ଜଡ଼ିତ ତାହା ବି ସ୍ପଷ୍ଟ ବାରି ପାରୁଛନ୍ତି । ତେଣୁ ଦର୍ଶକଙ୍କୁ ଭୁଆଁ ବୁଲାଇବାର ଯୁଗ ଆଉ ନାହିଁ ।








Not affect Jai panda