ଭୁୁବନେଶ୍ୱର: ବିଜେପିରୁ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ବିଦାୟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଚାପ ବଢ଼ିଯାଇଛି । ବରିଷ୍ଠମାନଙ୍କୁ ଅଣଦେଖା କରି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସହାୟତାରେ ସେ ଦଳ ପରିଚାଳନା କରୁଛନ୍ତି ବୋଲି ଯେଉଁ ଚର୍ଚ୍ଚା ହୋଇ ଆସୁଥିଲା ତାହା ଅଧିକ ଦୃଢ଼ୀଭୂତ ହୋଇଛି । ବିଜେପିର ଭିନ୍ନ ଭିନ୍ନ ଶିବିରରେ ଏହାକୁ ନେଇ ଚର୍ଚ୍ଚା, ମନ୍ତ୍ରଣା ଆରମ୍ଭ ହୋଇଛି । ଧର୍ମେନ୍ଦ୍ରଙ୍କ ନିରଙ୍କୁଶ କ୍ଷମତା ଉପରେ ଅଙ୍କୁଶ ଲଗାଇବା ପାଇଁ ଏହାକୁ ସୁଯୋଗ ଭାବି ଅଧିକାଂଶ ଉତ୍ସାହିତ ହୋଇଛନ୍ତି ।
ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଖଣ୍ଡ କାଟତି । ନିଜର ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଧରି ସେ ଦଳରେ ଶାସନ କରୁଛନ୍ତି । ଏହିକ୍ରମରେ ସେ ବରିଷ୍ଠମାନଙ୍କୁ ଅଣଦେଖା କରୁଛନ୍ତି । ବିଜେପିରେ ଏହି ଚର୍ଚ୍ଚା ନୂଆ ନୁହେଁ । ଧର୍ମେନ୍ଦ୍ରଙ୍କ ରୋଷର ଶିକାର ଅନେକ ନେତା ଏହା ଟୁପୁରୁଟାପର କରୁଥିଲେ ମଧ୍ୟ ନିଜ ସ୍ଥିତି ହଜିଯିବା ଡରରେ ମୁହଁ ଖୋଲୁନାହାନ୍ତି । ଏବେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ନିଜ ଅସନ୍ତୋଷ ଝାଡ଼ି ବିଜେପିରୁ ଚାଲିଯିବା ପରେ ଅଲୋଡ଼ା ରହିଥିବା ନେତାଙ୍କ ପାଇଁ ବରଦାନ ସଦୃଶ ହୋଇଛି । ନିର୍ଦ୍ଦିଷ୍ଟ କ୍ଷମତାଶାଳୀ ନେତାଙ୍କ ଯୋଗୁଁ ବିଜେପି ଏଠି ନଷ୍ଟଭ୍ରଷ୍ଟ ହୋଇଗଲାଣି ବୋଲି ବିଜୟ-ଦିଲ୍ଲୀପ ଛାଡ଼ିଥିବା ଅଭିଯୋଗ ନୂଆ ଖେଳର ସୂତ୍ରପାତ କରିଛି ।
ଦଳର ଜଣେ ନେତାଙ୍କ କହିବାନୁଯାୟୀ, ଅମିତ୍ ଶାହା ଓ ଅନ୍ୟ ନେତୃବୃନ୍ଦଙ୍କୁ ଓଡିଶାରେ ବିଜେପି ହାଲ୍ ଅଜଣା ନାହିଁ । ମାତ୍ର ଧର୍ମେନ୍ଦ୍ରଙ୍କ ପ୍ରଭାବକୁ ସେମାନେ ଚେକ୍ ଦେବାକୁ ଚାହିଁନାହାନ୍ତି । ତେବେ ଏଣିକି ସ୍ଥିତି ନିଶ୍ଚିତ ବଦଳିବ । ବିଜୟ ଓ ଦିଲ୍ଲୀପଙ୍କ ଭଳି ବହୁ ନେତା ମୁହଁ ଖୋଲି କେନ୍ଦ୍ରୀୟ ନେତୃତ୍ୱ ଉପରେ ଚାପ ସୃଷ୍ଟି କରିବେ । ସେଥିରେ ଆପେ ଆପେ ଧର୍ମେନ୍ଦ୍ର ଚାପି ହୋଇଯିବେ ବୋଲି ତାଙ୍କର ବିଶ୍ୱାସ ।
ଅପରାଜିତାଙ୍କ ଉପରେ ନଜର
ଇତିମଧ୍ୟରେ ଅପରାଜିତା ଷଡ଼ଙ୍ଗୀ ବିଜେପିରେ ମିଶିବା ଓ ବିଭିନ୍ନ ମିଡ଼ିଆରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରାଯିବାକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିବିରର ଚିନ୍ତା ବଢ଼ିଯାଇଥିବା ଜଣାପଡ଼ିଛି । ଅପରାଜିତା ଦିଲ୍ଲୀରେ ଅମିତ୍ ଶାହାଙ୍କ ଘରେ ବିଜେପିରେ ମିଶିବାକୁ ସେମାନେ ଭଲରେ ଗ୍ରହଣ କରୁନାହାନ୍ତି । ସେହିଭଳି ମିଡ଼ିଆରେ ତାଙ୍କର ଏତେ ହାଇପ୍ କୁ ସେମାନେ କୁଆଡ଼େ ସହ୍ୟ କରୁନାହାନ୍ତି । ଦିଲ୍ଲୀରୁ ଫେରିବା ପରେ ଗତକାଲି ଅପରାଜିତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିବା ପାଇଁ କୌଣସି ବଡ଼ ନେତା ନ ଯିବା, ଏପରିକି ଖୋଦ୍ ଦଳର ମହିଳା ସଭାନେତ୍ରୀ ସେଠି ଉପସ୍ଥିତ ନ ରହିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଏବେ ବିଜୟ-ଦିଲ୍ଲୀପଙ୍କ ବିଦାୟ ପରେ ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟରେ ଅପରାଜିତାଙ୍କ ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି ।
ବୈଜୟନ୍ତ ଖୁସ୍
ବିଜେପି ପାଇଁ ଦୀର୍ଘଦିନରୁ ଆଶାବାନ୍ଧି ବସିଥିବା ବୈଜୟନ୍ତ ପଣ୍ଡା ବିଜୟ-ଦିଲ୍ଲୀପଙ୍କ ପ୍ରସ୍ଥାନରେ ଅଧିକ ଖୁସି ହୋଇପଡ଼ିଥିବା କୁହାଯାଉଛି । ତାଙ୍କ ବାଟ ଅବରୋଧ କରିଥିବା ଧର୍ମେନ୍ଦ୍ରଙ୍କ କ୍ୟାରିୟର୍ ପାଇଁ ଏହା ଏକ ସେଟ୍ ବ୍ୟାକ୍ ବୋଲି ସେ କୁଆଡ଼େ ଭାବିଛନ୍ତି । ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ବୈଜୟନ୍ତ କେବେଠୁଁ ବିଜେପିରେ ମିଶିସାରନ୍ତେଣି । ମାତ୍ର ଧର୍ମେନ୍ଦ୍ର ତାହା କରାଇ ଦେଉନାହାନ୍ତି । ଉଚ୍ଚକାଂକ୍ଷୀ ବୈଜୟନ୍ତଙ୍କୁ ଦଳରେ ନେଇ ନିଜ ପାଇଁ ବିପଦ ଆଣିବାକୁ ସେ ଚାହୁଁନାହାନ୍ତି । ଇତିମଧ୍ୟରେ ବୈଜୟନ୍ତ ଦିଲ୍ଲୀ ଲବିରେ ସଂଘ ପରିବାରର ସମର୍ଥନ ଯୋଗାଡ଼ କରିଥିଲେ ମଧ୍ୟ ଧର୍ମେନ୍ଦ୍ର ତଥାପି ବାଟ ଜଗିଛନ୍ତି । ତେଣୁ ବିଜୟ-ଦିଲ୍ଲୀପ ଏପିସୋଡ୍ ଧର୍ମେନ୍ଦ୍ରଙ୍କୁ ବାଟକୁ ଆଣିବାରେ ସାହାଯ୍ୟ କରିବ ବୋଲି ବୈଜୟନ୍ତ ଭାବିଛନ୍ତି । ଏଣୁ ସେ ଖୁସ୍ ।