– ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ମୋଦିଙ୍କ ପ୍ରଶଂସା
– ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ
ଭୁୁବନେଶ୍ୱର: ବାତ୍ୟା ଅମ୍ଫନ ରାଜ୍ୟର ୪୫ ଲକ୍ଷ ଲୋକଙ୍କୁ କ୍ଷତି ପହଞ୍ଚାଇଛି । ଉପକୂଳ ଓଡ଼ିଶାର ୮୯ ବ୍ଲକ୍ ଅନ୍ତର୍ଗତ ୧୫୦୦ ଗ୍ରାମ ପଞ୍ଚାୟତରୁ ଏହି ଲୋକମାନେ ପ୍ରଭାବିତ ହୋଇଛନ୍ତି । କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କୁ ଏହି ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ।
କ୍ୟାବିନେଟ୍ ସଚିବଙ୍କ ସହ ଭିଡ଼ିଓ କନଫରେନ୍ସିଂ ଆଲୋଚନାରେ ଯୋଡି ହୋଇ ଶ୍ରୀ ତ୍ରିପାଠୀ କହିଛନ୍ତି, ବାତ୍ୟା ପ୍ରଭାବିତ ଉପକୂଳ ଓଡ଼ିଶାରେ ବହୁ ଘରଦ୍ୱାର ଭାଙ୍ଗିଯାଇଛି । ବିଦ୍ୟୁତ ସଂଯୋଗ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଚାଷୀମାନଙ୍କର ପ୍ରଭୁତ କ୍ଷତି ଘଟାଇଛି ବାତ୍ୟା । ଚାଷଜମି ଏବଂ ବ୍ୟାପକ ଶସ୍ୟ ନଷ୍ଟ ହୋଇଛି । ୧ ଲକ୍ଷ ହେକ୍ଟରରୁ ଅଧିକ ଚାଷଜମି ବାତ୍ୟାଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟ ଶାସନ ସଚିବ ଜଣାଇଥିଲେ ।
ଅନେକ ଜାଗାରେ ରାସ୍ତା ଉପରେ ଗଛ ଉପୁଡ଼ି ପଡ଼ିଥିବାରୁ ରାସ୍ତା ସଫା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଆଜି ସଂଧ୍ୟା ସୁଦ୍ଧା ସବୁ ରାସ୍ତ ସଫା ହୋଇଯିବ । ତେବେ ବିଦ୍ୟୁତ ସରବରାହ ସାଧାରଣ ଅବସ୍ଥାକୁ ଆଣିବା ପାଇଁ ଦିନେ ଦୁଇ ଦିନ ଲାଗିଯିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ ।
ଏହି ଭିଡ଼ିଓ କନଫରେନ୍ସିଂରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ସହ ମଧ୍ୟ କଥା ହୋଇଥିଲେ କେନ୍ଦ୍ର କ୍ୟାବିନେଟ୍ ସଚିବ ।
ଏପଟେ ବାତ୍ୟା ମୁକାବିଲାରେ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଏଥିସହ କେନ୍ଦ୍ର ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ ୪ଟାରେ ଆକାଶମାର୍ଗରୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।