ଭୁବନେଶ୍ୱର: ଆସନ୍ତାକାଲି କିମ୍ବା ପଅରଦିନ ବିଜେଡ଼ିରେ ଏକ ବଡ଼ ମିଶ୍ରଣ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି । ଅନ୍ୟ ଦଳର ଜଣେ ଦି ଜଣ ବଡ଼ ମୁଣ୍ଡ ବିଜେଡ଼ିରେ ଯୋଗଦେବେ ବୋଲି ସୂଚନା ମିଳିଛି । ତେବେ ସେଇ ବଡ଼ମୁଣ୍ଡ କିଏ ତାହା ସସପେନସ୍ ରହିଛି । ଦଳର ତଥାକଥିତ ମାମଲତକାରମାନେ ବି ସେ ସମ୍ପର୍କରେ କିଛି ଜାଣି ନ ଥିବା କହୁଛନ୍ତି । ତେବେ ଏହି ବଡ଼ ମୁଣ୍ଡଙ୍କ ମଧ୍ୟରେ ସୌମ୍ୟରଂଜନ ପଟ୍ଟନାୟକ ରହିଥିବା କୁହାଯାଉଛି । ଏହା ସତ ହୋଇଥିଲେ ଦିନେ ଦି ଦିନ ଭିତରେ ସୌମ୍ୟ ବିଜେଡ଼ିର ହାତ ଧରିବେ ।
ବିଜେଡ଼ିର ଜଣେ କାର୍ଯ୍ୟକର୍ତ୍ତାଙ୍କ ସୂଚନାନୁଯାୟୀ, ୫ ତାରିଖ ବିଜୁବାବୁଙ୍କ ଜନ୍ମତିଥିରେ ଦଳରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ବୋଲି ଏକ ପ୍ରସ୍ତାବ ଥିଲା । ମାତ୍ର ଅନିବାର୍ଯ୍ୟ କାରଣବଶତଃ ତାହାକୁ ଘୁଂଚାଇ ଦିଆଯାଇଛି । ତେବେ କାହା ପାଇଁ ଏହି ମିଶ୍ରଣ ପର୍ବ ଉଦ୍ଦିଷ୍ଟ ତାହା ଜଣାପଡ଼ୁନାହିଁ । ସେ ସମ୍ପର୍କରେ ନବୀନ ନିବାସ ଆଡୁ କୌଣସି ସୂଚନା ମିଳୁନାହିଁ ବୋଲି ସେ କହିଛନ୍ତି । ତେବେ ସୌମ୍ୟରଂଜନ ବିଜେଡ଼ିରେ ମିଶୁଥିବା ନେଇ ଜୋରଦାର ଚର୍ଚ୍ଚା ଚାଲିଥିବାରୁ ତାହାକୁ ସେ ଏଡ଼ାଇନାହାନ୍ତି । ତାଙ୍କ ନାଁ ଆମେ ବି ଶୁଣୁଛୁ ବୋଲି ସେ କହିଛନ୍ତି ।
ସେପଟେ ବିଜେଡ଼ିରେ ସୌମ୍ୟଙ୍କ ସମ୍ଭାବ୍ୟ ଯୋଗଦାନକୁ ନେଇ ସୋସିଆଲ୍ ମିଡ଼ିଆ ଚଳଚଂଚଳ ହୋଇଯାଇଛି । ନବୀନ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗରେ ସୌମ୍ୟଙ୍କ ଗର୍ଜନଭରା କଟୁକ୍ତିର ଭିଡ଼ିଓ କ୍ଲିପିଂସ୍ ବୁଲୁଛି ସୋସିଆଲ୍ ମିଡ଼ିଆରେ । ସୌମ୍ୟ ବିଜେଡ଼ିରେ ମିଶି ରାଜ୍ୟସଭା ଯିବେ ବୋଲି ଚର୍ଚ୍ଚା ହେଉଛି ।