By Our Correspondent May 3, 2020 at 17:59:08


ଦ, ସବୁ ଅନର୍ଥର ମୂଳ କାରଣ । ସେ ସାମାଜିକ କୁହନ୍ତୁ ବା ପାରିବାରିକ ଅବା ବ୍ୟକ୍ତିଗତ… ସବୁକୁ ବରବାଦ୍ କରିବାରେ ମଦର ରହିଛି ମୁଖ୍ୟ ଭୂମିକା । ଖାସ୍ ସେଇଥି ପାଇଁ ତ ବୋଧେ, ମଦର ଦୁର୍ଗୁଣକୁ ମୂଳରୁ ହିଁ ଚିହ୍ନି ପାରିଥିଲେ ଜାତିର ପିତା ମହାତ୍ମା ଗାନ୍ଧି । ‘ମଦ’ କୌଣସି ସମସ୍ୟାର ସମାଧାନ ନୁହେଁ, ଏହା ହୃଦୟଙ୍ଗମ କରିବା ପରେ ନିଶାମୁକ୍ତ ସମାଜ ଉପରେ ଗୁରୁତ୍ୱ ଦେଇଥିଲେ ଗାନ୍ଧିଜୀ । କିନ୍ତୁ ଗାନ୍ଧିବାଦ ଆଜି କବର ତଳେ । କରୋନା ମହାମାରୀ ସମୟରେ ମଦ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବାରମ୍ବାର ପରାମର୍ଶ ଦେଉଛନ୍ତି । କିନ୍ତୁ ମଦକୁ ନା ଲୋକେ ଛାଡ଼ି ପାରୁଛନ୍ତି ନା ସରକାର  ?
କରୋନା ପାଇଁ ଲକ୍ ଡାଉନ୍ 1.0 ଏବଂ 2.0 ଶୁଖିଲା ଥିବା ବେଳେ 3.0ର ଚର୍ଚ୍ଚାରେ ସର୍ବାଗ୍ରେ ରହିଛି ‘ମଦ’ । ତୃତୀୟ ପର୍ଯ୍ୟାୟରେ ସରକାର, ଦେଶକୁ ତ୍ରିରଙ୍ଗାରେ ରଙ୍ଗାୟିତ କରି କେବଳ ଗ୍ରୀନ୍ ଜୋନରେ ମଦକୁ ଦେଲେ ଅନୁମତି । କିନ୍ତୁ ମଦରେ ଏମିତି ପାତର ଅନ୍ତରକୁ ସହି ପାରିଲେନି ବିଭିନ୍ନ ରାଜ୍ୟର ସରକାର । ଯେଉଁଥି ପାଇଁ ଲକ୍ ଡାଉନ୍ 2.0 ଶେଷ ହେବାର ଦିନକ ଆଗରୁ ସାରା ଦେଶରେ ମଦ ବିକ୍ରିକୁ ଅନୁମତି ଦେବାକୁ ବାଧ୍ୟ ହୋଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଗ୍ରୀନ୍ ଏବଂ ଅରେଞ୍ଜ ଜୋନ୍ ପାଇଁ ମଦ ବିକ୍ରି, ପୂର୍ବ ଭଳି ସ୍ୱାଭାବିକ ଥିବା ବେଳେ କରୋନା ସମ୍ବେଦନଶୀଳ ରେଡ୍ ଜୋନ୍ ପାଇଁ ରହିଛି ସାମାନ୍ୟ କଟକଣା ।  
ମାର୍ଚ୍ଚ 25 ତାରିଖରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଶରେ ପ୍ରଥମ ପର୍ଯ୍ୟାୟ ଲକ୍ ଡାଉନ୍ ଘୋଷଣା କଲେ । ଏହା ସହିତ ମଦ ଦୋକାନରେ ପଡ଼ିଲା ସଟର୍ । ଯାହାକୁ ନେଇ କେବଳ ଯେ, ମଦୁଆ ଚିନ୍ତାରେ ଥିଲେ ତା ନୁହେଁ, ସରକାର ବି ବହୁ ଟେନସନରେ ଥିଲେ । କାରଣ, ମଦୁଆ ସିନା ମଦ ନିଶାରେ ଆସକ୍ତ… ସରକାରଙ୍କ ଆସକ୍ତି କିନ୍ତୁ ମଦରୁ ମିଳୁଥିବା ରାଜସ୍ୱରେ । ତାହା ନ ହୋଇଥିଲେ, ଲକ୍ ଡାଉନ୍ ବେଳେ ମଦ ବିକ୍ରି ପାଇଁ 10 ରାଜ୍ୟର ସରକାର, କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅନୁମତି ପାଇଁ ପତ୍ର ଲେଖି ନଥାନ୍ତେ ! ଆଉ କେନ୍ଦ୍ର ଯେତେବେଳେ ଏ ପ୍ରସଙ୍ଗରେ ଚୁପ୍ ରହିଲା, ନିଜ କ୍ଷମତାର ବ୍ୟବହାର କଲେ କିଛି ରାଜ୍ୟ ସରକାର । ତେବେ ଏ କ୍ଷେତ୍ରରେ କିଛି ରାଜ୍ୟର ଲୋକଙ୍କ ଠାରେ ଦେଖା ଦେଇଥିବା ମାନସିକ ବା ଶାରିରୀକ ବିଲକ୍ଷଣ (Withdrawal Symptom) କୁ ଏଡ଼ାଯାଇ ପାରିବ ନାହିଁ ।
ସତରେ, କାହାର ମଦ ପ୍ରତି ରହିଛି ଅଧିକ ଆସକ୍ତି ? ବର୍ଷକୁ ବର୍ଷ ଆମ ଦେଶରେ ମଦର ଚାହିଦା ବଢ଼ିଚାଲିଛି । 2019-20 ଆର୍ଥିକ ବର୍ଷରେ ମଦରୁ ସରକାର, ଅଢେଇ ଲକ୍ଷ କୋଟି ଟଙ୍କା ରାଜସ୍ୱ ପାଇଥିଲେ । ଏହି ସମୟ ମଧ୍ୟରେ ଡିଷ୍ଟିଲଡ୍ ସ୍ପିରିଟ୍ 2.3% ଏବଂ ବିଅର୍ ବିକ୍ରି 3ରୁ 4% ବଢିଛି । ଏହା ବାଦ୍ ସରକାରୀ ଭାବେ 2019-20 ଆର୍ଥିକ ବର୍ଷରେ ଦେଶୀ ମଦ 3 ଶହ ନିୟୂତ ଏବଂ ୱାଇନ୍ 2.7 ନିୟୂତ କେସ୍ ବ୍ୟବହାର ହୋଇଛି । ରାଜ୍ୟଗୁଡ଼ିକ ମଧ୍ୟ ସେମାନଙ୍କ ରାଜସ୍ୱର ସିଂହ ଭାଗ ମଦରୁ ପାଇଥାନ୍ତି । ରାଜ୍ୟମାନଙ୍କ ରାଜସ୍ୱର 15ରୁ 30 ପ୍ରତିଶତ ମଦ ହିଁ ଭରଣା କରିଥାଏ । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ମଦ ଯୋଗୁଁ ଆମ ଦେଶରେ ବର୍ଷକୁ 2 ଲକ୍ଷ 60 ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଉଛି । କିନ୍ତୁ, ରାଜସ୍ୱ ଆସକ୍ତିରେ ସରକାର ଏମିତି ପଡ଼ି ଯାଇଛନ୍ତି ଯେ, ମଦକୁ ଛାଡ଼ିବା ମୁସ୍କିଲ୍ ।
ମଦ ଶରୀର ପାଇଁ କ୍ଷତିକାରକ । ଏହା ଲୋକେ ଜାଣନ୍ତି ଏବଂ ସରକାର ମଧ୍ୟ । କିନ୍ତୁ ଆଇନର ଜାଲରୁ ଖସିବା ପାଇଁ ସରକାର କେବଳ ନାମକୁ ମାତ୍ର ସଚେତନତାର ପ୍ରଚାର ପଥ ଆପଣାଇଛନ୍ତି । ମଦ ଜୋକାନ ଏବଂ ବୋତଲରେ “ମଦ୍ୟ ପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ” ନାମକୁ ମାତ୍ର ଲେଖାଇ ଦେଇ ମଦ ବିକ୍ରିକୁ ଆଇନାନୁମୋଦିତ କରିଛନ୍ତି ସରକାର ।
ସମାଜ, ପରିବାର ଓ ବ୍ୟକ୍ତିଗତ ଜୀବନରେ ମଦର ସିନା ଅନେକ ସାଇଡ୍ ଇଫେକ୍ଟ ରହିଛି, କିନ୍ତୁ ରାଜନୀତିରେ ରହିଛି ଯଥେଷ୍ଟ ଗୁରୁତ୍ୱ । ନିର୍ବାଚନ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ ‘ମଦ’ । ରାଜନୈତାଙ୍କ ପ୍ରଚାର ଶୋଭାଯାତ୍ରାକୁ କରିଥାଏ ଲୋକାରଣ୍ୟ । ଏହା ସହିତ ପରାଜୟ ସମ୍ଭାବନା ଥିବା ଅନେକ ନେତାଙ୍କୁ ମଦ ଚଖାଇ ଥାଏ ବିଦୟର ସ୍ୱାଦ । ସେପଟେ ଗୋଟିଏ ପରେ ଗୋଟେ ମାଗଣା ଯୋଜନା, ସରକାରଙ୍କ ଉପରେ ଆର୍ଥିକ ଚାପ ବଢ଼ାଉ ଥିବା ବେଳେ ବିଭିନ୍ନ ବିକାଶମୂଳକ କାମ ପାଇଁ ଆବଶ୍ୟକ ହେଉଛି ପ୍ରଚୁର ଅର୍ଥ । ଯେଉଁଥି ପାଇଁ ରାଜସ୍ୱ ଲୋଭରେ ମଦକୁ ଭରସା କରିବାକୁ ବାଧ୍ୟ ହେଉଛନ୍ତି ସରକାର ।
ଅନେକ ସ୍ଥାନରେ, ବିଭିନ୍ନ ସମୟରେ ଦେଖା ଦେଇଛି ମଦ ବିରୋଧୀ ଆନ୍ଦୋଳନ । ମଦ ଯୋଗୁଁ ସିଧାସଳଖ ପ୍ରଭାବିତ ହେଉଥିବା ମହିଳାମାନେ ମଦ ଦୋକାନ ଭଙ୍ଗାରୁଜା କରିଛନ୍ତି । କିନ୍ତୁ ଏଭଳି ଅଧିକାଂଶ ଘଟଣାକୁ ଯଦି ଭିତିରେଇ କି ଦେଖିବା, ଏ ଭଙ୍ଗାରୁଜା ପଛରେ ଚୋରା ବେପାରୀଙ୍କ ହାତ ଜଳ ଜଳ ଦିଶିବ । ଯାହା ପରୋକ୍ଷରେ, ଗାଁ ଗାଁରେ ମୋବାଇଲ୍ ମଦ ଯୋଗାଣକୁ ପ୍ରଶ୍ରୟ ଦେଇଛି । ସହରରେ ମଦ ବିକ୍ରିର ସମୟ ସୀମା ଅଛି, କିନ୍ତୁ ଗାଁରେ ସେମିତି କିଛି ନାହିଁ ।
ଇଣ୍ଟର ନାସନାଲ୍ ସ୍ପିରିଟସ୍ ଆଣ୍ଡ ୱାଇନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ତଥ୍ୟ ଅନୁଯାୟୀ, ଭାରତରେ 57 ନିୟୂତ ଲୋକ ମଦ୍ୟ ସେବନ କରୁଛନ୍ତି । ତେବେ କରୋନା ମହାମାରୀ ବେଳେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶକୁ ଭୃକ୍ଷେପ କରି 130 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ସରକାର କେମିତି ମଦ ଦୋକାନ ସଟର୍ ଖୋଲିବାକୁ ଅନୁମତି ଦେଲେ ତାହା ଏବେ ବଡ଼ ପ୍ରଶ୍ନ ? 2006ର ଖାଦ୍ୟ ନିରାପତ୍ତା ଓ ମାନକ ଆଇନ ଅନୁୟାୟୀ, ଭାରତରେ ମଦ ଏକ ‘ଖାଦ୍ୟ ଶ୍ରେଣୀଭୁକ୍ତ’ । କିନ୍ତୁ କରୋନା ମହାମାରୀ ବେଳେ ଏହାର ବ୍ୟବହାର ପାଇଁ ସରକାର ଯେଉଁଭଳି ଭାବେ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ, ଏଭଳି ସ୍ଥିତିରେ ମଦକୁ ଅତ୍ୟାବଶ୍ୟକ ସାମଗ୍ରୀ କହିବାରେ ଭୁଲ୍ ରହିଲା କେଉଁଠି ?
SHARE

LEAVE A REPLY