ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ପଦରେ ପୁନଃ ଅବସ୍ଥାପିତ ହୋଇଥିବା ଆଲୋକ ବର୍ମାଙ୍କୁ ଭାଗ୍ୟ ସହାୟ ହେଲାନି । ଦାୟିତ୍ୱ ନେବାର ୪୮ ଘଣ୍ଟା ନ ପୂରୁଣୁ ସେ ତାଙ୍କ ପଦ ହରାଇଛନ୍ତି । ତାଙ୍କ ବିରୋଧରେ ରହିଥିବା ଅଭିଯୋଗଗୁଡ଼ିକୁ ଗୁରୁତର ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ତାଙ୍କୁ ପଦଚୁ୍ୟତ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ସଂଧ୍ୟାରେ ଚୟନ କମିଟିର ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ମନୋନୀତ ଜଷ୍ଟିସ୍ ଏ.କେ.ସିକରି ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ୍ ଖଡ଼ଗେ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀ ଓ ଜଷ୍ଟିସ୍ ସିକରି ଶ୍ରୀ ବର୍ମାଙ୍କ ବିପକ୍ଷରେ ମତ ରଖିଥିଲା ବେଳେ ଶ୍ରୀ ଖଡ଼ଗେ ତାଙ୍କୁ ସମର୍ଥନ କରିଥିଲେ । ସଂଖ୍ୟାଧିକ ମତ ବଳରେ ଶ୍ରୀ ବର୍ମା ତାଙ୍କ ପଦରୁ ହଟିଛନ୍ତି ।
ଏକ ନାଟକୀୟ ଘଟଣାକ୍ରମେ ଗତ ଅକ୍ଟୋବର ୨୩ ମଧ୍ୟରାତ୍ରରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାଜେଶ ଅସ୍ଥାନାଙ୍କୁ କେନ୍ଦ୍ର ସରକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ପଠାଇଦେଇଥିଲେ । ସିବିଆଇର ଏହି ଦୁଇ ମୁଖ୍ୟ ଅଧିକାରୀ ପରଷ୍ପରଙ୍କ ବିରୋଧରେ ଗୁରୁତର ଲାଞ୍ଚ ଅଭିଯୋଗ ଆଣିଲା ପରେ ସରକାର ଏହି ପଦକ୍ଷେପ ନେଇଥିଲେ । ବର୍ମାଙ୍କ ସ୍ଥାନରେ ସିବିଆଇ ଅନ୍ତରୀଣ ନିଦେ୍ର୍ଦଶକ ଭାବେ ଏମ.ନାଗେଶ୍ୱର ରାଓଙ୍କୁ ନିଯୁକ୍ତି ଦିଆଯାଇଥିଲା ।
ତେବେ ଶ୍ରୀ ବର୍ମା କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସୁପ୍ରିମକୋର୍ଟରେ ଚାଲେଂଜ କରିଥିଲେ । ଗତ ୮ ତାରିଖରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ରାୟ ଶୁଣାଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ । ଶ୍ରୀ ବର୍ମା ସିବିଆଇ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିପାରିବେ ବୋଲି କୋର୍ଟ କହିଥିଲେ । ତେବେ ତାଙ୍କ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସମ୍ପନ୍ନ କମିଟିକୁ କହିଥିଲେ । ସୁପ୍ରିମକୋର୍ଟଙ୍କ ଏହି ରାୟ କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା ଦେଇଥିଲା । ଏହାକୁ ନେଇ ବିରୋଧୀଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଥିଲେ ।
ଆଲୋକ ବର୍ମାଙ୍କ ଭାଗ୍ୟ ନିର୍ଣ୍ଣୟ ପାଇଁ ଉଚ୍ଚକ୍ଷମତା ସମ୍ପନ୍ନ କମିଟିରେ ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏବଂ ଲୋକସଭାରେ ବିରୋଧୀ ଦଳ ନେତା ସଦସ୍ୟ ଥିଲେ । ତେବେ ଏହି ମାମଲାର ରାୟ ତାଙ୍କ ବେଞ୍ଚ ଦେଇଥିବାରୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇ କମିଟିରୁ ଦୂରେଇ ରହିଥିଲେ । ତାଙ୍କ ବଦଳରେ ଜଷ୍ଟିସ୍ ସିକରିଙ୍କୁ କମିଟି ସଦସ୍ୟ ଭାବେ ମନୋନୀତ କରିଥିଲେ । ଆସନ୍ତା ୩୧ ତାରିଖରେ ଶ୍ରୀ ବର୍ମା ଅବସର ନେବାକୁ ଥିବା ବେଳେ ସେ ପର୍ଯ୍ୟନ୍ତ ସିବିଆଇ ମୁଖ୍ୟ ଭାବେ ରହିବେ ନା ନାହିଁ ସେ ସମ୍ପର୍କରେ ଆଜି କମିଟିରେ ଆଲୋଚନା ହୋଇଥିଲା । ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସଙ୍ଗୀନ ବୋଲି ଦର୍ଶାଇଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସିକରି । ତାଙ୍କୁ ସିବିଆଇ ମୁଖ୍ୟ ପଦରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ ।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ରାୟ ପରେ ଗତକାଲି ଶ୍ରୀ ବର୍ମା ତାଙ୍କ ଦାୟିତ୍ୱକୁ ଫେରିଥିଲେ । ଦାୟିତ୍ୱ ନେଉ ନେଉ ସେ ପୂର୍ବ ଅନ୍ତରୀଣ ମୁଖ୍ୟ ଏମ.ନାଗେଶ୍ୱର ରାଓଙ୍କ ଦ୍ୱାରା କରାଯାଇଥିବା ୧୦ ଜଣ ଅଧିକାରୀଙ୍କ ବଦଳି ଆଦେଶଗୁଡ଼ିକୁ ବାତିଲ କରିଦେଇଥିଲେ । ପୁନଃ ଅବସ୍ଥାପିତ ହୋଇ ସେ କୌଣସି ବଡ଼ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ କଟକଣା ଥିଲେ ମଧ୍ୟ ଶ୍ରୀ ବର୍ମା କଠୋର ଆଭିମୁଖ୍ୟ ପୋଷଣ କରିଥିଲେ ।