ଭୁବନେଶ୍ୱର: ଭି.କେ ପାଣ୍ଡିଆନଙ୍କ ଆଶୀର୍ବାଦରେ ଏକଦା ବିଜେଡି ଆକାଶରେ ଉଡୁଥିବା ଶ୍ରୀମୟୀ ମିଶ୍ରଙ୍କୁ ତଳେ କଚାଡ଼ି ଦେଇଥିଲେ ସୁଜାତା କାର୍ତ୍ତିକେୟନ୍ । ପତ୍ନୀଙ୍କ ଆଗରେ ପାଣ୍ଡିଆନଙ୍କ ଆତ୍ମସମର୍ପଣ ଭାବ ଶ୍ରୀମୟୀଙ୍କ ସ୍ୱପ୍ନକୁ ଚୁରମାର କରିଦେଲା । ସେଥିପାଇଁ କିଛି ଦିନ ତାଙ୍କର ରାଗ ଅଭିମାନ ହେଲା । ପରବର୍ତ୍ତୀ ସମୟରେ ତାହା ବିଦ୍ରୋହର ରୂପ ନେଇଛି । ରାଗ, ଅଭିମାନ ଏବଂ ବିଦ୍ରୋହର ଫେଣ୍ଟାଫେଣ୍ଟିରେ ତାଙ୍କ ଲେଖନୀରୁ ବାହାରୁଛି ବ୍ୟଙ୍ଗ, କବିତା, ସାଏରି । କେତେବେଳେ ପୁଣି ଜ୍ୟୋତିଷ ହୋଇ ବିଜେଡିର ଭବିଷ୍ୟତ ଗଣନା କରୁଛନ୍ତି । ନିର୍ଦ୍ଦିଷ୍ଟ ଦୁଇଟି ଗଣମାଧ୍ୟମ ତାଙ୍କର ଫ୍ୟାନ୍ ବନିଥିବାରୁ ଏହାର ବଢ଼ିଆ ମାର୍କେଟିଂ ହେଉଛି । ବଡ଼ ବଡ଼ ସାମ୍ବାଦିକ ଓ ରାଜନୈତିକ ସମୀକ୍ଷକମାନେ ଟିଭି ଷ୍ଟୁଡିଓରେ ବସି ଶ୍ରୀମୟୀଙ୍କ ଭାବନାକୁ ଘଣ୍ଟା ଘଣ୍ଟା ଧରି ବ୍ୟାଖ୍ୟା କରୁଛନ୍ତି । ସତେ ଯେମିତି ବିଜେଡିରେ କ’ଣ ହେଉଛି, ଆଗକୁ କ’ଣ ହେବ ତାହା କେବଳ ଶ୍ରୀମୟୀ କହିପାରିବେ । ତାଙ୍କର ବିଚାର ସମସ୍ତଙ୍କ ପାଇଁ ଶିରୋଧାର୍ଯ୍ୟ!
ବିଜେଡି ରାଜନୀତିରେ ହଟଚମଟ ସୃଷ୍ଟି ପାଇଁ ଏହା ପ୍ରାୟୋଜିତ ଅଭିନୟ ବୋଲି ସମସ୍ତେ ବୁଝିଗଲେଣି । ଟିଆରପି ମାନଦଣ୍ଡରେ ପାଣ୍ଡିଆନଙ୍କ ଦର କମି କମି ଆସୁଥିବାରୁ ସୁଜାତା କାର୍ତ୍ତିକେୟନ୍ ଙ୍କୁ ଏଣ୍ଟ୍ରି ମିଳିଛି । ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ବନ୍ଦ କରିବା ପାଇଁ ଏହା ଚାଲ୍ ହୋଇଥିଲେ ମଧ୍ୟ ଫଳ କିନ୍ତୁ ଓଲଟା ମିଳିବାର ଯଥେଷ୍ଟ ସମ୍ଭାବନା ଅଛି । କାରଣ ବିଜେଡିର ଉତ୍ତରାଧିକାରୀ ଭାବେ ନବୀନ ପଟ୍ଟନାୟକ ଯଦି କାହାକୁ ଚୟନ କରିବାକୁ ଯାଉଛନ୍ତି ସେ ହେବେ ସୁଜାତା କାର୍ତ୍ତିକେୟନ । ବିଜେଡିର କିଛି ନେତାଙ୍କ ପାଇଁ ଏହା ଗାତ୍ରଦାହ ହୋଇଥିଲେ ମଧ୍ୟ ନବୀନଙ୍କ ପାଇଁ ତାହା ଶେଷ ବିକଳ୍ପ ବୋଲି କୁହାଯାଉଛି ।
ଏହାର ମୂଳ କଥାଟି ହେଉଛି ବିଜେଡି ଆରମ୍ଭରୁ ଏକ ବ୍ୟୁରୋକ୍ରାଟିକ୍ ଡ୍ରିଭିନ୍ ଦଳ । ନବୀନ ବାବୁ ତାଙ୍କ ରାଜନୈତିକ ସହଯୋଗୀମାନଙ୍କୁ କେବେହେଲେ ବିଶ୍ୱାସକୁ ନେଇନାହାନ୍ତି । ଦଳୀୟ ବ୍ୟାପାରରେ ମଧ୍ୟ ବେଣୁ ମିଶ୍ର, ଯୁଗଳ ମହାପାତ୍ର, ବିଜୟ ପଟ୍ଟନାୟକଙ୍କ ଭଳି ତୃତୀୟ ମହଲା ଅଫିସରଙ୍କ ପରାମର୍ଶକୁ ଗ୍ରହଣ କରୁଥିଲେ । ପ୍ୟାରୀମୋହନ ମହାପାତ୍ରଙ୍କ ଅଧ୍ୟାୟ ଏକ ଇତିହାସ । ବିଜେଡିକୁ ତାଙ୍କ ହାତରେ ଛାଡ଼ି ଦେଇଥିଲେ ନବୀନ ବାବୁ । ବିଜେଡିକୁ ତୃଣମୂଳସ୍ତରରୁ ସଂଗଠିତ କରି ଏକ ସଶକ୍ତ ଦଳ ଗଠନ ପଛରେ ପ୍ୟାରୀଙ୍କ ନିଷ୍ଠା ଓ ପରିଶ୍ରମକୁ କେହି ଅସ୍ୱୀକାର କରିପାରିବେନି । ତାଙ୍କ ପରେ ନବୀନଙ୍କ ଜୀବନ ପରିଧିକୁ ଆସିଲେ ପାଣ୍ଡିଆନ୍ । ପାଣ୍ଡିଆନଙ୍କ ଦକ୍ଷତା, ନିଷ୍ଠା ଓ ନବୀନଙ୍କ ପ୍ରତି ସମର୍ପଣ ଭାବକୁ କେହି ପ୍ରଶ୍ନ କରିପାରିବେନି । ମାତ୍ର ନବୀନଙ୍କ ଅତି ବିଶ୍ୱସ୍ତ ଓ ନିକଟତର ଭାବେ ବିଜେଡି କ୍ଷମତାର ସ୍ୱାଦ ଚାଖୁ ଚାଖୁ ମୁଖ୍ୟମନ୍ତ୍ରୀ ହେବାର ଅଭିଳାଷ ତାଙ୍କ ପାଇଁ ବରବାଦର କାରଣ ହୋଇଛି ।
କ୍ଷମତା ହରାଇଥିବା ନବୀନ ବାବୁ ଏବେ ବୟସର ଅପରାହ୍ନରେ । ପାଣ୍ଡିଆନଙ୍କ ବିରୋଧରେ ପ୍ରବଳ ଜନଅସନ୍ତୋଷ । ବିଜେଡିର ଅବସ୍ଥା ଅସମ୍ଭାଳ । ଏହି ସମୟରେ ଦଳକୁ ସମ୍ଭାଳିବା ଦାୟିତ୍ୱ କାହାକୁ ଦେବେ ତାହାକୁ ନେଇ ଚର୍ଚ୍ଚା ଆଲୋଚନା । ଏହା ସ୍ପଷ୍ଟ ଯେ ଦଳର କୌଣସି ନେତାଙ୍କ ଉପରେ ନବୀନ ଏ ପର୍ଯ୍ୟନ୍ତ ବିଶ୍ୱାସ କି ଭରସା କରିପାରିନାହାନ୍ତି । ଜଣେ ବି ନେତା ନିଜ ବଳରେ ବଳୀୟାନ ହୋଇ ଓଡ଼ିଶାବାସୀଙ୍କର ଆସ୍ଥାଭାଜନ ହୋଇନାହାନ୍ତି । ଅତୀତରେ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମାଙ୍କ ଭଳି ଯୁବନେତାଙ୍କୁ ପ୍ୟାରୀବାବୁ ଯଥେଷ୍ଟ ସୁଯୋଗ ଦେଇଥିଲେ । ବିଜେଡିର ସେମାନେ ପରବର୍ତ୍ତୀ ପୀଢ଼ି ବୋଲି ବିଚାର କରାଯାଉଥିଲା । ନବୀନ ବାବୁଙ୍କର ମଧ୍ୟ ସେମାନଙ୍କ ପ୍ରତି ଯଥେଷ୍ଟ ଶୁଭଦୃଷ୍ଟି ଥିଲା । ମାତ୍ର ସେମାନେ ନିଜର ସ୍ୱାର୍ଥକୁ ପ୍ରାଧାନ୍ୟ ଦେବାରୁ ଲୋକଙ୍କର ବିଶ୍ୱାସଭାଜନ ହୋଇପାରିନାହାନ୍ତି ।
ପରବର୍ତ୍ତୀ ସମୟରେ ବବି ଦାସଙ୍କ ଭଳି ଯୁବନେତାଙ୍କ ଉପରେ ନବୀନ ବାବୁ ଆଶୀର୍ବାଦ ଢ଼ାଳି ଦେଇଥିଲେ । ମାତ୍ର ସେ ସଦବିନିଯୋଗ କରିପାରିଲେ ନାହିଁ । ଅର୍ଥ ଓ କ୍ଷମତାବଳର ଔଦ୍ଧତ୍ୟ ଓ ଅହଂକାର ତାଙ୍କୁ ଖାଇଦେଲା । ସମସ୍ତଙ୍କୁ ସମ୍ମାନ ଓ ସାଙ୍ଗରେ ନେଇ ସଂଗଠନ ମଜବୁତ କରିବା ବଦଳରେ ଚେରକଟା ରାଜନୀତି କଲେ । ବରିଷ୍ଠମାନଙ୍କୁ ଚାକର ବାକର ଭଳି ବ୍ୟବହାର କଲେ । ଦଳକୁ ଚଳାଉଥିବା ପାଣ୍ଡିଆନଙ୍କୁ ସଠିକ୍ ପରାମର୍ଶ ଦେବା ବଦଳରେ ଭୁଲ୍ ବାଟରେ ପରିଚାଳିତ କଲେ । ଦଳେ ସମମନସ୍କ ବିଧାୟକଙ୍କୁ ଧରି ଅରାଜକତା ସୃଷ୍ଟି କଲେ । ଯାବତୀୟ କଳା କାରନାମାରେ ସଂପୃକ୍ତ ରହିଲେ ।
ମୋଟାମୋଟି ଭାବେ କ୍ଷମତା ହରାଇବା ଡରରେ ଏହିସବୁ ନେତା ପାଣ୍ଡିଆନଙ୍କ ଚେଲା ହୋଇ ରହିବାକୁ ବରଂ ଅଧିକ ପସନ୍ଦ କରି ନିଜର ପରିଚୟକୁ ବଳି ପକାଇଛନ୍ତି । ଆଜି ବିଜେଡିକୁ ବଞ୍ଚାଇବା କଥା କହି ପାଣ୍ଡିଆନଙ୍କ ବିରୋଧରେ ମେଳି କରିବାକୁ ଏମାନଙ୍କର ନୈତିକ ଅଧିକାର ନାହିଁ । କାରଣ ପାଣ୍ଡିଆନଙ୍କୁ ତେଲମାରି ଏମାନେ ହିଁ ବିଜେଡି ବରବାଦର କାରଣ ହୋଇଛନ୍ତି । ପାଣ୍ଡିଆନ୍ ଯେତେବେଳେ ବିଜେଡିର ସର୍ବେସର୍ବା ଦୃଶ୍ୟମାନ ଥିଲେ ଏମାନେ ନତମସ୍ତକ ହେଉଥିଲେ । ପାଣ୍ଡିଆନ୍ ଏକା ବୁଲିଲେ ବିଜେଡିର ଭୋଟ ଗଦା ହୋଇଯିବ ବୋଲି ତେଲ ମାରୁଥିଲେ । ବିଜେଡିକୁ ଏହା ଘାତକ ହେବ ଜାଣି ମଧ୍ୟ ଆଗକୁ ମନ୍ତ୍ରୀ ହେବା ଲୋଭରେ ନବୀନ କି ପାଣ୍ଡିଆନଙ୍କ ମୁହଁରେ କହିବାକୁ ସାହାସ କରି ନ ଥିଲେ ।
ଏବେ ବିଜେଡିର ଉତ୍ତରାଧିକାରୀ ଭାବେ ସୁଜାତା କାର୍ତ୍ତିକେୟନ୍ ଙ୍କ ନାଁ ଚର୍ଚ୍ଚା ହେବା ପରେ ଏହି ସବୁ ନେତା ଭୀଷଣ ବିଚଳିତ । କାରଣ ସୁଜାତା ଏମାନଙ୍କୁ ହାଡ଼େ ହାଡ଼େ ଚିହ୍ନିଛନ୍ତି । ଡ଼ହରା ନେତାଙ୍କୁ ସେ ପସନ୍ଦ କରନ୍ତି ନାହିଁ ବୋଲି ଏମାନଙ୍କୁ ଭଲଭାବେ ଜଣା । ଏପରିକି ତାଙ୍କ ସ୍ୱାମୀଙ୍କ ଭୁଲ୍ କୁ ବି ସେ ବରଦାସ୍ତ କରନ୍ତି ନାହିଁ । ସିଏ ଆସିଲେ ପାଣ୍ଡିଆନଙ୍କ ଅନୁଗାମୀଙ୍କ ସ୍ଥିତି ବିପନ୍ନ ହେବା ନିଶ୍ଚିତ ବୋଲି କୁହାଯାଉଛି । ନିକଟରେ ଭୁବନେଶ୍ୱର ଉପକଣ୍ଠ ଝୁମୁକାଠାରେ ଭୋଜି ଆଳରେ ଅସନ୍ତୁଷ୍ଟଙ୍କୁ ମେଳି କରିବା ପଛରେ କାହାର ମୁଖ୍ୟ ଭୂମିକା ଥିଲା ଏବଂ ଉଦ୍ଦେଶ୍ୟ କ’ଣ ତାହା ମଧ୍ୟ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ।
ବିଜେଡିର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କ ନଜର । ଜାତୀୟସ୍ତରର ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ ତାଙ୍କ ୟୁଟ୍ୟୁବ୍ ଚାନେଲ୍ ରେ ଏ ନେଇ ଏକ ସୁଦୀର୍ଘ ଓ ସମୟୋପଯୋଗୀ ବିଶ୍ଲେଷଣ କରିଛନ୍ତି । ନବୀନଙ୍କ ପାଇଁ ବିଜେଡ଼ିର ଉତ୍ତରାଧିକାରୀ ଭାବେ ସୁଜାତା କାର୍ତ୍ତିକେୟନ୍ ଏକମାତ୍ର ଉପଯୋଗୀ ବିକଳ୍ପ ବୋଲି ତାଙ୍କ ଅନୁଶୀଳନ କହୁଛି । ପ୍ରଥମତଃ ସେ ଜଣେ ପୂର୍ବତନ ପ୍ରଶାସିକା । ତାଙ୍କର ଦକ୍ଷତା, ବିଶ୍ୱନୀୟତା ଉପରେ ନବୀନଙ୍କର ସନ୍ଦେହ ନାହିଁ । ଅତୀତରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ବିଜେଡିର ମହିଳା ଭୋଟ ବ୍ୟାଙ୍କ ଉପରେ ତାଙ୍କର ଅଖଣ୍ଡ ପ୍ରଭାବ ଥିଲା । ବିଜେଡିର ସଂଗଠନକୁ ସେ ଭଲ ଭାବରେ ବୁଝିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜେପି ହାଇକମାଣ୍ଡଙ୍କ ସହ ସମ୍ପର୍କ ରକ୍ଷା କରିବାର ଯୋଗ୍ୟତା ଓ ଦକ୍ଷତା ସୁଜାତାଙ୍କ ପାଖରେ ଅଛି । ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ବିଜେଡିର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଏହା ଅବଶ୍ୟମ୍ଭାବୀ ।
Continue Reading







