ଭୁବନେଶ୍ୱର: ସରକାରୀ ଅର୍ଥ ଲୁଟିବା ପାଇଁ ବଢ଼ିଆ ମାଧ୍ୟମ ହୋଇଛି ସୋସିଆଲ୍ ମିଡିଆ । ବିଜେଡି ସରକାରଠାରୁ ଆରମ୍ଭ ହୋଇଥିବା ଏହି ଧାରାରେ ବ୍ରେକ୍ ଲାଗିନାହିଁ । ଏଥିପାଇଁ ପୂର୍ବ ସରକାର ଅମଳରୁ ଏକ ପ୍ରଭାବଶାଳୀ ରାକେଟ୍ ସକ୍ରିୟ ଅଛନ୍ତି । ହାତଗଣତି ନିର୍ଦ୍ଦିଷ୍ଟ ସଂସ୍ଥା ପାଇଁ ମିଲି ଭଗତରେ ସରକାରୀ ଭଣ୍ଡାରରୁ କୋଟି କୋଟି ଟଙ୍କା ଅଜାଡ଼ି ହୋଇପଡୁଛି । ସୋସିଆଲ୍ ମିଡିଆ ବ୍ୟବହାର ପାଇଁ ରାଜ୍ୟ ସରକାରଙ୍କର କୌଣସି ନୀତି ନିୟମ ନଥିବାରୁ ଏମାନେ ମାଲେମାଲ୍ ହେଉଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏ ସମ୍ପର୍କରେ ଅନ୍ଧାରରେ ରଖିବାକୁ ଉଦ୍ୟମ କରାଯିବା ଅନେକଙ୍କୁ ଆଚମ୍ବିତ କରିଛି ।
ଗତକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଏକ ଲିଖିତ ଉତ୍ତରରୁ ଏହାର ଗୁମର ପଦାକୁ ଆସିଛି । ସରକାରୀ ବିଭାଗଗୁଡ଼ିକରେ ସୋସିଆଲ ମିଡିଆ ଚଳାଇବା ପାଇଁ ରାଜ୍ୟ ସରକାରଙ୍କର କ’ଣ ସବୁ ବ୍ୟବସ୍ଥା ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କଠାରୁ ଜାଣିବାକୁ ଚାହିଁଥିଲେ ଶାସକ ଦଳର ବିଧାୟକ ଟଙ୍କଧର ତ୍ରିପାଠୀ । ସେ ଆହୁରି ଜାଣିବାକୁ ଚାହିଁଥିଲେ କି ସରକାରୀ ବିଭାଗଗୁଡ଼ିକ ସୋସିଆଲ୍ ମିଡିଆ ଚଳାଇବା ପାଇଁ ଘରୋଇ ସଂସ୍ଥାର ସହାୟତା ନେଉଛନ୍ତି କି? ଯଦି ହଁ, ତେବେ କେଉଁ କେଉଁ ବିଭାଗ ଏଥିପାଇଁ କେଉଁ ସଂସ୍ଥାଙ୍କୁ ମୁତୟନ କରିଛନ୍ତି ଏବଂ ସେ ବାବଦରେ ବର୍ଷକୁ କେତେ ଅର୍ଥ ବ୍ୟୟ କରୁଛନ୍ତି ତାହାର ଏକ ବିଭାଗୱାରୀ ତାଲିକା ମାଗିଥିଲେ ।
ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ସମୟରେ ବିଭିନ୍ନ ବିଭାଗ ଦ୍ୱାରା ସୋସିଆଲ ମିଡିଆ ବ୍ୟବହାର ପାଇଁ ସରକାରଙ୍କର କୌଣସି ନିୟମ କି ନିଦେ୍ର୍ଦଶାବଳୀ ନାହିଁ । ବିଭାଗଗୁଡ଼ିକ ନିଜସ୍ୱ ଆବଶ୍ୟକତା, ପ୍ରଚାର କାର୍ଯ୍ୟ ଓ ସାମଗ୍ରିକ ଯୋଗ୍ୟତା ଅନୁସାରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି । ସେଥିପାଇଁ ବିଭାଗଗୁଡ଼ିକ ସେମାନଙ୍କ ଆର୍ଥିକ କ୍ଷମତା ଅନୁଯାୟୀ ବେସରକାରୀ ସଂସ୍ଥାକୁ ନିୟୋଜିତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜଣାଇ ଏହାର ତାଲିକା ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ କେବଳ ୧୬ଟି ବିଭାଗର ନାଁ ଅଛି । ବାକି ୧୬ଟି ବିଭାଗର ନାଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ନାହିଁ । ସୁତରାଂ ଏହି ବିଭାଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଅନ୍ଧାରରେ ଅଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ତାଲିକା ଅନୁଯାୟୀ ପଞ୍ଚାୟତିରାଜ ବିଭାଗର ସୋସିଆଲ୍ ମିଡିଆ କାମ ନେଇଛି ସିଏସଏମ୍ ଟେକ୍ନୋଲୋଜି ଲିମିଟେଡ୍ । ସେ ବାବଦରେ ବର୍ଷକୁ ଦିଆଯାଉଛି ୨୬ ଲକ୍ଷ ୫୫ ହଜାର ଟଙ୍କା । ସେହି ସିଏସଏମ୍ ଟେକ୍ନୋଲୋଜି ଲିମିଟେଡ୍ କୁ ଦିଆଯାଇଛି ସ୍ୱାସ୍ଥ୍ୟ ବିଭାଗର ସୋସିଆଲ୍ ମିଡିଆ କାମ । ସେ ବାବଦରେ ବର୍ଷକୁ ଯାଉଛି ୨୬ ଲକ୍ଷ ୫୫ ହଜାର ଟଙ୍କା । ସମବାୟ ବିଭାଗର ସୋସିଆଲ୍ ମିଡିଆ କାମ ପାଇଛି ଓଏସିସ୍ ଟେକ୍ ସଲ୍ୟୁସନସ୍ ପ୍ରାଇଭେଟ୍ ଲିମିଡେଟ୍ । ସେଥିପାଇଁ ବିଭାଗ ଖର୍ଚ୍ଚ କରୁଛି ବର୍ଷକୁ ୫୩ ଲକ୍ଷ ୧୦ ହଜାର ଟଙ୍କା । ଓମ୍ କମ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ କୁ ଦିଆଯାଇଛି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସୋସିଆଲ୍ ମିଡିଆ କାମ । ବର୍ଷକୁ ଏହି ସଂସ୍ଥା ନେଉଛି ୪୯ ଲକ୍ଷ ୫୬ ହଜାର ଟଙ୍କା । ଏସସି/ଏସଟି ଉନ୍ନୟନ ବିଭାଗର ସୋସିଆଲ୍ ମିଡିଆ ପରିଚାଳନା କାମ ପାଇଛି ଓରିଏଣ୍ଟାଲ୍ ସିକ୍ୟୁରିଟି ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ । ବର୍ଷକୁ ପାଉଛି ୧୭ ଲକ୍ଷ ୬୪ ହଜାର ୬୨୪ ଟଙ୍କା ।
ସଂପୃକ୍ତ ବିଭାଗଗୁଡ଼ିକ ଏତେ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କ’ଣ କାମ ହେଉଛି ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଜାଣିନାହାନ୍ତି । ଏ ସମ୍ପର୍କରେ ଆମେ କିଛି ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲୁ । ମାତ୍ର ସେମାନେ ମୁହଁ ଖୋଲିବାକୁ ଡରିଥିଲେ । ବରଂ ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ପଚାରନ୍ତୁ ବୋଲି ସେମାନେ ଉତ୍ତର ଦେଇଥିଲେ ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ତାଲିକାରେ ୧୬ଟି ବିଭାଗ ନାଁ ରହିଥିଲେ ଅବଶିଷ୍ଟ ବିଭାଗଗୁଡ଼ିକ କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠିଛି । ସେହିଭଳି ତାଲିକାରେ ଥିବା ୮ଟି ବିଭାଗ ସମ୍ପର୍କରେ ଆଦୋ÷ ତଥ୍ୟ ନାହିଁ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସୋସିଆଲ୍ ମିଡିଆ କାମ ନିଜସ୍ୱ କର୍ମଚାରୀମାନେ ବୁଝୁଥିବା ଉଲ୍ଲେଖ ରହିଛି ।
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ଅସମ୍ପୂର୍ଣ୍ଣ ତାଲିକା ଧରାଇ ମିଲି ଭଗତ କାରବାରକୁ ଘୋଡ଼େଇବାକୁ ଉଦ୍ୟମ କରିଥିବା କୁହାଯାଉଛି । ହୁଏତ ମୁଖ୍ୟମନ୍ତ୍ରୀ ନିଜେ ଏ ବିଷୟରେ ଅନୁଧ୍ୟାନ କରିବାକୁ ସମୟ ପାଇନାହାନ୍ତି । ତେବେ ଲୁଚା ଯାଇଥିବା ବିଭାଗଗୁଡ଼ିକର କାମ ସରକାରଙ୍କ ଗେହ୍ଲାପୁଅ ସାଜିଥିବା ସେହି ନିର୍ଦ୍ଦିଷ୍ଟ ସଂସ୍ଥାମାନଙ୍କ ହାତକୁ ଟେକି ଦିଆଯାଇଥିବା ଜଣାପଡ଼ିଛି । ଯେମିତି କି କୃଷି ବିଭାଗର ସୋସିଆଲ୍ ମିଡିଆ ପରିଚାଳନା ଓମ୍ କମ ମିଡିଆ ପ୍ରାଇଭେଟ୍ ସଂସ୍ଥାକୁ ଦିଆଯାଇଛି । ଏଥି ନିମନ୍ତେ ଘରୋଇ ସଂସ୍ଥାର ନିୟୋଜିତ କର୍ମଚାରୀଙ୍କୁ କୃଷି ଭବନର ଗୋଟିଏ ହଲ୍ ବି ଛାଡ଼ିଦିଆଯାଇଛି । ବର୍ଷକୁ ମୋଟା ପାଉଣା ସହ ସରକାରୀ ଦପ୍ତର ବ୍ୟବହାର ସୁଯୋଗ କୌଣସି ଘରୋଇ ସଂସ୍ଥାକୁ ଭାଗ୍ୟରେ ଥିଲେ ମିଳେ ।
ସୂଚନାଥାଉକି, ବିଜେଡି ସରକାର ଅମଳରେ ମଧ୍ୟ ଉପରୋକ୍ତ ନିର୍ଦ୍ଦିଷ୍ଟ ଘରୋଇ ସଂସ୍ଥାମାନଙ୍କର ଏକଚାଟିଆ କାରବାର ଥିଲା । ତୃତୀୟ ମହଲାକୁ ହାତ କରି ସେମାନେ ସୂଚନା ଓ ଲୋକସମ୍ପର୍କ ବିଭାଗ ଜରିଆରେ ବଡ଼ ବଡ଼ କାମ ହାତେଇଥିଲେ । ଏମିତି ବି ହେଉଥିଲା ବିନା ୱାର୍କ ଅର୍ଡରରେ ନିର୍ଦ୍ଦିଷ୍ଟ ସଂସ୍ଥା କୋଟି କୋଟି ଟଙ୍କା ବିଲ୍ ପାସ୍ କରାଇ ନେଉଥିଲା । ବିନା ରିଲିଜ୍ ଅର୍ଡରରେ ସରକାରୀ ବିଜ୍ଞାପନ ବସାଇ ସେହି ବାବଦରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ନେବାର ଉଦାହରଣ ଅଛି ।
୨୦୧୯ ରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଏ ସମ୍ପର୍କିତ ଫାଇଲ୍ ଗୁଡ଼ିକ ଖୋଳତାଡ଼ ହେଲେ ସବୁ ଖୋଲିଯାଆନ୍ତା । ନୂଆ ସରକାର ଏହି ଅସାଧୁ କାରବାର ବନ୍ଦ କରିବେ ବୋଲି ଆଶା କରାଯାଉଥିଲା । ମାତ୍ର ପରିସ୍ଥିତି ଯଥା ପୂର୍ବ ତଥା ପରଂ । ସତେ ଯେମିତି ରାଜ୍ୟରେ ଆଉ କେହି ଯୋଗ୍ୟ ସଂସ୍ଥା ନାହାନ୍ତି । ତେଲିଆ ମୁଣ୍ଡରେ ତେଲ ଢ଼ାଳିବାର ଗୁମର ପଦାକୁ ଆସୁ ବୋଲି ବିଭିନ୍ନ ମହଲରେ ଦାବି ହେଉଛି ।






