ଭୁବନେଶ୍ୱର: ଯାହାଙ୍କ ପାଖରେ ଗଡ଼ରକ୍ଷାର ଦାୟିତ୍ୱ ଥିଲା ତାଙ୍କରି ଘରୁ ଆରମ୍ଭ ହୋଇଛି ଗଡ଼ ଦମନ ଅଭିଯାନ । ଭଦ୍ରକର ବିଜେଡି ଗଡ଼ ରଖିବା ଦାୟିତ୍ୱ ପ୍ରଫୁଲ୍ଲ ସାମଲଙ୍କୁ ଦେଇଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ହେଲେ ତାଙ୍କ ବଡ଼ପୁଅ ଅୟସକାନ୍ତି ସାମଲ(ଲୁଲୁ)ଙ୍କ ନେତୃତ୍ୱରେ ବିଜେଡି ଗଡ଼ ଦମନ ଆରମ୍ଭ ହୋଇଛି । ଏହି ଅଭିଯାନର ସହନେତୃତ୍ୱରେ ଅଛନ୍ତି ସାନପୁଅ ପ୍ରଣିତକାନ୍ତି ସାମଲ(ଜୁଲୁ) ଏବଂ ଭଉଣୀ ଉର୍ମିଳା ନାୟକ । ସାମଲ ପରିବାରର ଏହି ତିନିଜଣ ଆଜି ବିଜେପିରେ ମିଶିଛନ୍ତି । ସେମାନଙ୍କ ନେତୃତ୍ୱରେ ବନ୍ତ, ଭଣ୍ଡାରୀପୋଖରୀ ଏବଂ ବାସୁଦେବପୁର ବ୍ଲକ୍ ଅଧ୍ୟକ୍ଷ, ୩୦ ଜଣ ସରପଞ୍ଚ ଏବଂ ୩୫ ଜଣ ସମିତି ସଭ୍ୟ ପଦ୍ମ ଧରିଛନ୍ତି । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ହୋଇଥିଲା ।
ଭଦ୍ରକ ବିଜେଡି ଗଡ଼ର ଏହି ଅବସ୍ଥା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଅତୀତରେ ପ୍ରଫୁଲ୍ଲ ସାମଲଙ୍କୁ କୋଣଠେସା କରିବାର ପରିଣାମ ବିଜେଡିକୁ ଭୋଗିବାକୁ ପଡ଼ୁଛି ବୋଲି ଗୋଟେ ପଟେ ଚର୍ଚ୍ଚା ହେଉଥିବା ବେଳେ ତାଙ୍କୁ ବିଜେଡିର ବିଭୀଷଣ ବୋଲି ଅନ୍ୟପଟେ ଚିତ୍ରଣ କରାଯାଉଛି । ନିଜ ଦୁଇପୁଅ, ଭଉଣୀଙ୍କୁ ବିଜେପି ପଠାଇ ସେ ପୁରୁଣା ରାଗର ପ୍ରତିଶୋଧ ନେଉଥିବା କୁହାଯାଉଛି ।
ଭଣ୍ଡାରୀପୋଖରୀ ଉପନିର୍ବାଚନ ଦିନରୁ ଭଦ୍ରକ ବିଜେଡିରେ ଅସ୍ଥିରତା ସୃଷ୍ଟି ହୋଇଥିଲା । ଭୁଲ୍ ପ୍ରାର୍ଥୀ ଚୟନ ଏବଂ ସ୍ଥାନୀୟ ନେତାଙ୍କୁ ଉପେକ୍ଷା ଦଳକୁ ଅସ୍ଥିରତା ଆଡ଼କୁ ଠେଲିଦେଲା । ସାଧାରଣ ନିର୍ବାଚନରେ ଏହା ଦଳ ପାଇଁ ମହଙ୍ଗା ହେଲା । ପରବର୍ତ୍ତୀ ସମୟରେ ବିଜେଡି ଦୁର୍ଗର ସୁରକ୍ଷା ପାଇଁ ନେତୃତ୍ୱ ମନ ଦେଲେ ନାହିଁ ଯାହାର ଫଳ ଦଳକୁ ଆଜି ଭୋଗିବାକୁ ପଡୁଛି ।
ଦଳର ସବୁଠୁ ପୁରୁଖା ନେତା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରୁ ହିଁ ବିଜେଡି ବିଦ୍ରୋହର ସୂତ୍ରପାତ ହୋଇଥିଲା । ବଡ଼ ପୁଅ ତଥା ଭଦ୍ରକ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ପ୍ରୟାସକାନ୍ତି ସାମଲ ଗତ ମେ ମାସରେ ବିଜେଡିରୁ ଇସ୍ତଫା ଦେଇଥିଲେ । ଗତ ସପ୍ତାହରେ ତାଙ୍କ ପିଉସୀ ତଥା ପ୍ରଫୁଲ୍ଲ ସାମଲଙ୍କ ଭଉଣୀ ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକଙ୍କ ସମେତ ବନ୍ତ, ଭଣ୍ଡାରିପୋଖରୀ ବ୍ଲକ୍ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେଇଥିଲେ । ଏହାର ଦୁଇଦିନ ପରେ ବାସୁଦେବପୁର ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ ମଧ୍ୟ ବିଜେଡି ଛାଡ଼ିଥିଲେ ।
ବିଜେଡିର ଭଦ୍ରକ ଜିଲ୍ଲା ସଂଗଠନରେ ଏଭଳି ହଲଚଲ୍ ପରେ ଗତ ୧ ତାରିଖରେ ନବୀନ ନିବାସ ଡାକରାରେ ଭଦ୍ରକର ସବୁ ବରିଷ୍ଠ ନେତା ଓ ବିଧାୟକ ଏକାଠି ହୋଇଥିଲେ । ସଭାପତିଙ୍କ ସହ ସମସ୍ତଙ୍କର ଆଲୋଚନା ହୋଇଥିଲା । ଏକାଠି ହୋଇ କାମ କରିବାକୁ ନବୀନ ପରାମର୍ଶ ଦେବା ସହ ପ୍ରଫୁଲ୍ଲ ସାମଲଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରିଥିଲେ ।
ବିଡ଼ମ୍ବନା ଯେ ସେହି ପ୍ରଫୁଲ୍ଲ ସାମଲଙ୍କ ପରିବାରର ତିନି ଜଣଙ୍କ ନେତୃତ୍ୱରେ ହିଁ ବିଜେଡି ଗଡ଼ର ପତନ ଆରମ୍ଭ ହୋଇଛି । ଭଉଣୀ ଉର୍ମିଳା ନାୟକ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଦଳରେ କୋଣଠେସା ପାଇଁ ସେ ବିଜେଡିରୁ ଇସ୍ତଫା ଦେଲେ । ଏହା ପରେ ମଧ୍ୟ ଅପେକ୍ଷା କରିଥିଲେ । ମାତ୍ର ଉପର ନେତା କେହି ତାଙ୍କ ସହ ଆଲୋଚନା କଲେ ନାହିଁ । ଏହି ପରିସ୍ଥିତିରେ ସେ ପ୍ରୟାସକାନ୍ତିଙ୍କ ନେତୃତ୍ୱରେ ଆଜି ବିଜେପିରେ ମିଶିଲେ ବୋଲି କହିଛନ୍ତି ।
ଯଦି ତାଙ୍କ କଥା ସତ ତାହାହେଲେ ନବୀନଙ୍କଠାରୁ ନିର୍ଦ୍ଦେଶ ନେଇ ଯାଇଥିବା ପ୍ରଫୁଲ୍ଲ ସାମଲ ଭଦ୍ରକରେ କ’ଣ କରୁଥିଲେ? ଦଳକୁ ସଂଗଠିତ ରଖିବା ପାଇଁ ତାଙ୍କର କି ପ୍ରକାର ଉଦ୍ୟମ ଥିଲା? କାହା ସହ ସେ କଥା ହୋଇଥିଲେ? ନିଜର ଦୁଇପୁଅ ଓ ଭଉଣୀଙ୍କୁ ସେ ଦଳର ଭଲ ପାଇଁ ଚାହିଁଲେନି ନା ଅନ୍ୟ କିଛି, ତାହା ଏବେ ବିଭିନ୍ନ ମହଲରେ ଆଲୋଚନାର ବିଷୟ ହୋଇଛି ।
ସୂଚନାଯୋଗ୍ୟ ଯେ ପ୍ରଫୁଲ୍ଲ ସାମଲ ଅତୀତରେ ତାଙ୍କ ପୁଅ ପ୍ରୟସାକାନ୍ତିଙ୍କୁ ଭଦ୍ରକ ମ୍ୟୁନିସିପାଲିଟି ଅଧ୍ୟକ୍ଷ କରାଇଥିଲେ । ଗତ ଥର ଭଉଣୀ ଉର୍ମିଳାଙ୍କୁ ଭଦ୍ରକ ପଞ୍ଚାୟତ(ସଦର ବ୍ଲକ୍) ଅଧ୍ୟକ୍ଷା ଏବଂ ସାନପୁଅ ପ୍ରଣିତକାନ୍ତିଙ୍କୁ ଭଣ୍ଡାରୀପୋଖରୀ ବ୍ଲକ୍ ଉପାଧ୍ୟକ୍ଷ ପଦରେ ବସାଇବାକୁ ସମର୍ଥ ହୋଇଥିଲେ ।