ଭୁବନେଶ୍ୱର: ଅସନ୍ତୋଷରୁ ରାଗ ଶେଷରେ ବିଦ୍ରୋହର ରୂପ ନେଇଛି । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱକୁ ଖୋଲା ଚାଲେଞ୍ଜ କରିଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ୍ । କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ସେ ନିଜର ଅସନ୍ତୋଷ ଝାଡ଼ିଛନ୍ତି । ଓଡ଼ିଶା କଂଗ୍ରେସର ନେତୃତ୍ୱ ନେବାକୁ ଭକ୍ତ ଅଯୋଗ୍ୟ ବୋଲି ଜଣାଇ ଦେଇଛନ୍ତି । ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ୍ ଖଡ଼ଗେଙ୍କୁ ମଧ୍ୟ ସେ ଛାଡ଼ିନାହାନ୍ତି । ସେମାନଙ୍କ ଯୋଗୁଁ ଆଜି ସାରା ଦେଶରେ କଂଗ୍ରେସର ଏହି ଅବସ୍ଥା ବୋଲି ସେ ରୋକଠୋକ୍ ଲେଖିଛନ୍ତି ।
ଓଡ଼ିଶାରେ କଂଗ୍ରେସର ନେତୃତ୍ୱ ନେବାକୁ ଭକ୍ତ ଦାସ କାହିଁକି ଅଯୋଗ୍ୟ ତାହାର ବାଖ୍ୟା କରିଛନ୍ତି ମୋକିମ୍ । ଲଗାତର ତିନିଥର ନିର୍ବାଚନ ହାରିଛନ୍ତି ଭକ୍ତ । ତାଙ୍କର ରାଜନୈତିକ ଚିନ୍ତାଧାରା କଂଗ୍ରେସଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଜୟପ୍ରକାଶଙ୍କ ଆନେ୍ଦାଳନ ବେଳେ ସେ ଗାନ୍ଧୀ ପରିବାରକୁ ସମାଲୋଚନା କରିଥିଲେ । ସେ ଓ ତାଙ୍କ ପୁଅ କୋଶଳ ଆନେ୍ଦାଳନକୁ ସମର୍ଥନ କରି ଦଳକୁ ଅସୁବିଧାରେ ପକାଇଥିଲେ । ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ୱରେ ୮୩ ହଜାର ଭୋଟରେ ହାରିଲା । ନୂଆପଡ଼ା ତାଙ୍କ ସଂସଦୀୟ କ୍ଷେତ୍ର ହୋଇଥିଲେ ମଧ୍ୟ ଲୋକେ ଯଦି ତାଙ୍କୁ ଭରସା କରୁନାହାନ୍ତି ସାରା ରାଜ୍ୟର କର୍ମୀମାନେ କିଭଳି ବିଶ୍ୱାସ କରିବେ ବୋଲି ମୋକିମ୍ ପ୍ରଶ୍ନ କରିଛନ୍ତି ।
ତାଙ୍କ ପୂର୍ବ ଶରତ ପଟ୍ଟନାୟକ ଥିଲେ ପିସିସି ସଭାପତି । ଲଗାତର ୬ ଥର ଲୋକସଭା ନିର୍ବାଚନ ହାରିବା ସତ୍ତ୍ୱେ ତାଙ୍କୁ ରାଜ୍ୟ ନେତୃତ୍ୱ ଦିଆଯାଇଥିଲା । ତାଙ୍କ ନେତୃତ୍ୱରେ ୨୦୨୪ରେ କଂଗ୍ରେସ ନିର୍ବାଚନ ଲଢ଼ି ସର୍ବନିମ୍ନ ୧୩% ଭୋଟ ପାଇଲା । ନିର୍ବାଚନରେ ତାଙ୍କ ନିଜର ଅମାନତ ଉଡ଼ିଗଲା ।
ଏଭଳି ଲୋକଙ୍କ ହାତରେ ନେତୃତ୍ୱ ଦେଇ ହାଇକମାଣ୍ଡ କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ମୋକିମ୍ ପ୍ରଶ୍ନ କରିଛନ୍ତି । ନିକଟ ଅତୀତର ଏକ ଦୃଷ୍ଟାନ୍ତ ଦେଇ ସେ ଲେଖିଛନ୍ତି, ସଂଗଠନ ସୃଜନ ଅଭିଯାନରେ ଲୋକପ୍ରିୟତା ମାପକାଠିରେ ୬ ନମ୍ବରରେ ଥିବା ବ୍ୟକ୍ତିଙ୍କୁ ଜିଲ୍ଲା ସଭାପତି ନିଯୁକ୍ତି ଦିଆଯାଇଛି । ତାହାପୁଣି କେ.ସି ବେଣୁଗୋପାଳଙ୍କ ତତ୍ତ୍ୱାବଧାନରେ । ନବ ନିଯୁକ୍ତ ଏହି ସଭାପତି ସାଂଗଠନିକ ଦକ୍ଷତାରେ ଶୂନ । ଲୋକଙ୍କର ଆଦୋ÷ ଗ୍ରହଣୀୟତା ନାହିଁ । ସେଭଳି ବ୍ୟକ୍ତିଙ୍କୁ ନେତୃତ୍ୱ ଦିଆଗଲେ ଦଳର ଅବସ୍ଥା ଯାହା ହବା କଥା ।
ତାଙ୍କ ନିଜ ବିଷୟରେ ମଧ୍ୟ ସୋନିଆଙ୍କୁ ଭଲଭାବେ ଅବଗତ କରିଛନ୍ତି ମୋକିମ୍ । ସେ ଜଣେ କଂଗ୍ରେସର ସଚ୍ଚା କର୍ମୀ । କଂଗ୍ରେସ ସହ ତାଙ୍କ ପରିବାରର ସମ୍ପର୍କ ବହୁତ ପୁରୁଣା । ତାଙ୍କ ଅଣ ଜେଜେବାବା ସ୍ୱାଧୀନତା ସଂଗ୍ରାମୀ ଥିଲେ । ମାତ୍ର ୪୨ ବର୍ଷରେ ମୃତ୍ୟୁବରଣ କରିଥିବା ତାଙ୍କ ଦିବଙ୍ଗତ ବଡ଼ଭାଇ କଂଗ୍ରେସ ପାଇଁ ଉତ୍ସର୍ଗୀକୃତ ଥିଲେ । ସେମାନଙ୍କ ତ୍ୟାଗ ଓ ଆଦର୍ଶରେ ପ୍ରେରିତ ହୋଇ ସେ କଂଗ୍ରେସରେ କାମ କରୁଛନ୍ତି । କଟକ ବାରବାଟୀରେ କଂଗ୍ରେସ ୩୫ ବର୍ଷ ହେଲା ଜିତି ପାରୁ ନ ଥିଲା । ୨୦୧୯ରେ ସେ ଜିତି ବିଧାୟକ ହୋଇଥିଲେ । ଏଥର ତାଙ୍କ ଝିଅ ସୋଫିଆ ଫିରଦୋସ୍ ନିର୍ବାଚନ ଜିତିଛନ୍ତି । ଖୋଦ୍ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ତାଙ୍କୁ ଅଟକାଇପାରିନାହିଁ । ତୃଣମୂଳସ୍ତରର କର୍ମୀ ଏବଂ ସାଧାରଣ ଜନତାଙ୍କ ସହ ସୁସମ୍ପର୍କ ଯୋଗୁଁ ଏହା ସମ୍ଭବ ହୋଇଛି ।
କେବଳ ଓଡ଼ିଶା କଂଗ୍ରେସ ନେତୃତ୍ୱ ଉପରେ ମୋକିମ୍ ତାଙ୍କର ରାଗ ସୀମିତ ରଖିନାହାନ୍ତି । ବିହାର, ଦିଲ୍ଲୀ, ହରିଆଣା, ମହାରାଷ୍ଟ୍ର, କଶ୍ମିରୀ ନିର୍ବାଚନ ଫଳାଫଳ କଥା ଉଠାଇ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱଙ୍କୁ ମଧ୍ୟ ଚାଲେଞ୍ଜ କରିଛନ୍ତି । କଂଗ୍ରେସକୁ ମଜବୁତ କରିବା ପାଇଁ କେନ୍ଦ୍ରୀୟ ନେତୃତ୍ୱ କାର୍ଯ୍ୟ କରୁନାହାନ୍ତି । ସେ ବିଧାୟକ ଥିଲା ବେଳେ ୩ ବର୍ଷ ଅପେକ୍ଷା କରି ମଧ୍ୟ ରାହୁଲଙ୍କୁ ଦେଖାକରିପାରିଲେନି । ସମଗ୍ର ଦେଶରେ କଂଗ୍ରେସ କର୍ମୀଙ୍କର ଆଜି ଏହି ଅବସ୍ଥା । ଖଡ଼ଗେଙ୍କୁ ୮୩ ବର୍ଷ ହେଲାଣି । ସେ କିଭଳି ଯୁବବର୍ଗଙ୍କ ନେତୃତ୍ୱ ନେବେ?
କଂଗ୍ରେସର ପୁନରୁଦ୍ଧାର ପାଇଁ ସେ ସୋନିଆଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱ ସପକ୍ଷରେ ଯୁକ୍ତି ରଖିଛନ୍ତି । ପ୍ରିୟଙ୍କାକୁ ସାରା ଦେଶର ଯୁବବର୍ଗ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି । ସଚିନ୍ ପାଇଲଟ୍, ଡି.କେ ଶିବକୁମାର, ଏ. ରେବନ୍ତ ରେଡ୍ଡୀ, ଡ. ଶଶୀ ଥରୁରଙ୍କ ସପକ୍ଷରେ ମଧ୍ୟ ସେ ମତ ରଖିଛନ୍ତି । ସାଧାରଣ ଜନତାଙ୍କ ଭାବାବେଗ ସହିତ ଯୋଡ଼ି ହେଲେ ଯାଇ କଂଗ୍ରେସ ଆଗକୁ ବଢ଼ିପାରିବ ବୋଲି ଉଲ୍ଲେଖ କରିଛନ୍ତି ।
ମୋକିମ୍ ଙ୍କ ଏହି ଚିଠି କଂଗ୍ରେସ ମହଲରେ ହଇଚଇ ସୃଷ୍ଟି କରିଛି । ରାଜ୍ୟ ଓ କେନ୍ଦ୍ର ନେତୃତ୍ୱ ବିରୋଧରେ ଏହା ବିଦ୍ରୋହର ଆଭାସ ହୋଇଥିବାରୁ ତାଙ୍କର ପରବର୍ତ୍ତୀ ପଦକ୍ଷେପ ସମସ୍ତଙ୍କର ଉକ୍ରଣ୍ଠା ବଢ଼ାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୋକିମ୍ ଙ୍କ ପଦକ୍ଷେପକୁ ରାଜ୍ୟର ବହୁ ବରିଷ୍ଠ ନେତା ସମର୍ଥନ କରୁଛନ୍ତି । ଭକ୍ତ ସମସ୍ତଙ୍କୁ ନେଇ କାମ କରିବାରେ ବିଫଳ ହୋଇଛନ୍ତି ବୋଲି ସେମାନେ ଭର୍ତ୍ସନା କରିଛନ୍ତି ।
ନୂଆପଡ଼ା ଉପନିର୍ବାଚନ ପରେ ଭକ୍ତଙ୍କ ବିରୋଧରେ ଥିବା ଅସନ୍ତୋଷ ବିଦ୍ରୋହର ରୂପ ନେଉଛି । ଗଣମାଧ୍ୟମରେ ପ୍ରଥମେ ଭକ୍ତ ଦାସଙ୍କ ବିଭୀଷଣ ପ୍ରତିକ୍ରିୟା ମହମ୍ମଦ ମୋକିମ୍ ଙ୍କୁ କ୍ଷୁବ୍ଧ କରିଥିଲା । ଏଥିରେ ଆପତ୍ତି ଉଠାଇ ଦଳର ଶୃଙ୍ଖଳା କମିଟିକୁ ଚିଠି ଲେଖିଥିଲେ । ଆଜି ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ମୋକିମ୍ ସେହି କଥା ଉଠାଇଛନ୍ତି । ବିଧାୟକ ରମେଶ ଜେନା ଏବଂ ତାଙ୍କୁ ଲକ୍ଷ୍ୟ କରି ଭକ୍ତ ଏହି ମନ୍ତବ୍ୟ ଦେଇଥିଲେ ବୋଲି କହିଛନ୍ତି ।
ସେହିଭଳି ବରିଷ୍ଠ ନେତା ନରସିଂହ ମିଶ୍ରଙ୍କୁ ଅଣଦେଖା ପ୍ରସଙ୍ଗ ବିରୋଧୀ ମେଳିକୁ ଦାନା ଯୋଗାଇଛି । ନିକଟରେ ବଲାଙ୍ଗୀରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ମିଶ୍ର ନିଜର କ୍ଷୋଭ ଓ ଅପମାନବୋଧକୁ ପ୍ରକାଶ କରିଥିଲେ । ଦୁଇଦିନ ତଳେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭକ୍ତଙ୍କର ଏଭଳି କାର୍ଯ୍ୟକୁ ନାପସନ୍ଦ କରିଥିଲେ । ନରସିଂହ ବାବୁଙ୍କୁ ଗୁରୁତ୍ୱ ନ ଦେବା ଦଳ ପାଇଁ କ୍ଷତିକାରକ ବୋଲି କହିଥିଲେ ।
ଇତିମଧ୍ୟରେ ବିବାଦ ଆହୁରି ଆଗକୁ ବଢ଼ିଛି । ଗୋଷ୍ଠୀ କନ୍ଦଳ ଥାନାକୁ ଯାଇଛି । ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ଦାସ ଗତକାଲି ଚନ୍ଦ୍ରଶେଖରପୁର ଥାନାରେ ବିଧାୟକ ରମେଶ ଜେନାଙ୍କ ନାଁରେ ଏତଲା ଦେଇଛନ୍ତି । ରାତିଅଧରେ ବିଧାୟକ ତାଙ୍କୁ ଫୋନ୍ ଯୋଗେ ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିବା ସିଦ୍ଧାର୍ଥ ଅଭିଯୋଗ କରିଛନ୍ତି ।
ତେବେ ମୋକିମ୍ ଙ୍କ ଚିଠି ଏବଂ ଅନ୍ୟ ଅଭିଯୋଗ ସଂକ୍ରାନ୍ତରେ ଭକ୍ତ ଦାସଙ୍କର ପ୍ରତିକ୍ରିୟା ଆସିନାହିଁ ।