ଭୁବନେଶ୍ୱର: ବର୍ଷକରେ ଆମ ଓଡ଼ିଆ ଲୋକ ଦୁଇଟି ନବବର୍ଷ ପାଳନ କରନ୍ତି । ଗୋଟେ ଓଡ଼ିଆ ନବବର୍ଷ ଯାହା ଏପ୍ରିଲ୍ ୧୪ ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରେ ପଡ଼ିଥାଏ । ଅନ୍ୟଟି ଇଂରାଜୀ ନବବର୍ଷ ଯାହା ଜାନୁଆରୀ ୧ ରେ ପଡ଼ିଥାଏ । ମାତ୍ର ଆଉ ଗୋଟେ ‘ରାଷ୍ଟ୍ରୀୟ ନବବର୍ଷ’ ଥାଏ ବୋଲି ଓଡ଼ିଶାବାସୀଙ୍କୁ ପୂର୍ବରୁ ଜଣା ନ ଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ତଥା ଦେଶବାସୀଙ୍କୁ ରାଷ୍ଟ୍ରୀୟ ନବବର୍ଷର ଶୁଭେଚ୍ଛା ଜଣାଇଥିବାରୁ ଏହା ସରକାରୀ ସ୍ୱୀକୃତିପ୍ରାପ୍ତ ଦିବସ ବୋଲି ଜାଣିବାକୁ ମିଳୁଛି ।
ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟର(ଏକ୍ସ) ରେ ଆଜି ରାଷ୍ଟ୍ରୀୟ ନବବର୍ଷର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ସେଥିରେ ଲେଖିଛନ୍ତି- ଜୟ ଜଗନ୍ନାଥ! ଚୈତ୍ର ଶୁକ୍ଲ ପ୍ରତିପଦା ରାଷ୍ଟ୍ରୀୟ ନବବର୍ଷ ଅବସରରେ ରାଜ୍ୟବାସୀ ଭାଇଭଉଣୀ ତଥା ସମଗ୍ର ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । ଭାରତବର୍ଷର ଐତିହାସିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାରେ ଗୁରୁତ୍ୱ ବହନ କରୁଥିବା ଏହି ଦିବସଟି ଅତ୍ୟନ୍ତ ଶୁଭ ଓ ମଙ୍ଗଳମୟ । ରାଷ୍ଟ୍ରୀୟ ନବବର୍ଷ ଆପଣମାନଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ ଏହା ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା । ବନ୍ଦେ ମାତରମ୍
ଟୁଇଟର(ଏକ୍ସ)ରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ଆସିଲା ପରେ କିନ୍ତୁ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହି ଟୁଇଟ୍ ଉପରେ ଫ୍ୟାକ୍ଟ ଚେକ୍ ପାଇଁ ଉଦ୍ଦିଷ୍ଟ କମ୍ୟୁନିଟି ନୋଟ୍ କୁ ଅନୁମତି ମିଳିଛି । ଯାହା ଭିଭିଆଇପିଙ୍କ କ୍ଷେତ୍ରରେ ପ୍ରାୟତଃ ଘଟି ନ ଥାଏ । ଏହି କମ୍ୟୁନିଟି ନୋଟ୍ ରେ ରାଷ୍ଟ୍ରୀୟ ନବବର୍ଷ ପୁଣି କ’ଣ ବୋଲି ପ୍ରଶ୍ନ କରାଯାଇଛି । ଓଡ଼ିଶାରେ ରାଷ୍ଟ୍ରୀୟ ନବବର୍ଷ ପାଳନ ଉପରେ ଅଧିକାଂଶ ଲୋକ ଆପତ୍ତି ଉଠାଇବା ସହ ଏହା କ’ଣ ‘ଓଡ଼ିଆ ଅସ୍ମିତା’ ର ପ୍ରତୀକ କି ବୋଲି ପ୍ରଶ୍ନ କରିଛନ୍ତି ।
ସୂଚନାଥାଉକି, ଯଦି ଏକ ଟୁଇଟ୍ ଉପରେ ବହୁତ ପାଠକଙ୍କ ଆପତ୍ତି ଆସେ ତେବେ ଟୁଇଟର(ଏକ୍ସ) ପକ୍ଷରୁ କମ୍ୟୁନିଟି ନୋଟ୍ କୁ ଅନୁମତି ମିଳିଥାଏ । ତାହା କ’ଣ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଥିବାରୁ ସମସ୍ତଙ୍କୁ ମତ ରଖିବାକୁ ସୁଯୋଗ ଦିଆଯାଏ । କାରଣ ଟୁଇଟର(ଏକ୍ସ) ବିଷୟବସ୍ତୁର ସତ୍ୟାସତ୍ୟ ପ୍ରତି ସାବଧାନ ଥାଏ ।
ଜଣେ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍ ର ସତ୍ୟାସତ୍ୟ ଉପରେ ଆପତ୍ତି ଉଠିବା ଏବଂ ଫ୍ୟାକ୍ଟ ଚେକ୍ ପାଇଁ ଟୁଇଟର ଅନୁମତି ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏହା ଅସମ୍ମାନ ବୋଲି ବିବେଚନା କରାଯାଉଛି ।