ଭୁବନେଶ୍ୱର: ଜୁନ୍ ୧୨ରେ ମୋହନ ମାଝୀ ସରକାରଙ୍କୁ ଦୁଇବର୍ଷ ପୂରିବ । ସରକାର ନିଜ ସଫଳତାର ପ୍ରଚାର ପାଇଁ ୧୦ ଦିନିଆ ପୂର୍ତ୍ତି ପାଳନ କରିବାକୁ ଯାଉଛନ୍ତି । ଆର୍ଥିକ ସଙ୍କଟ କାରଣରୁ କୁଆଡ଼େ ଏହାକୁ ନିରାଡ଼ମ୍ବର କରିବେ । ୨୦ ତାରିଖରେ ରାଇରଙ୍ଗପୁରରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ନେଇ ମୁଖ୍ୟ କାର୍ଯ୍ୟକ୍ରମ ହେବ । ରାଜ୍ୟରେ ଦୁଇବର୍ଷର ବିଜେପି ସରକାର ଅମଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହା ଅଷ୍ଟମ ଗସ୍ତ । ଓଡ଼ିଶାକୁ ତାଙ୍କର ପ୍ରବଳ ଭଲ ପାଇବା ଯୋଗୁଁ ବାରମ୍ବାର ଆସୁଛନ୍ତି ଏବଂ ଓଡ଼ିଆଙ୍କ ପ୍ରତି ଏହା ତାଙ୍କର ମମତା, ପ୍ରତିବଦ୍ଧତାର ନିଦର୍ଶନ ବୋଲି ତାଙ୍କ ଦଳ ପ୍ରଚାର କରୁଛି । ଯାହା ବି ହେଉ, ମୋହନ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ରେ ପ୍ରଧାନମନ୍ତ୍ରୀ ଆସିଥିଲେ । ଏବେ ଦ୍ୱିତୀୟ ବଷ ପୂର୍ତ୍ତିର୍ରେ ଆସୁଛନ୍ତି । ସେଦିନ ରାଷ୍ଟ୍ରପତିଙ୍କ ଜନ୍ମମାଟିରେ ରହି ପ୍ରଧାନମନ୍ତ୍ରୀ ନିଜକୁ ଗୌରବାନ୍ୱିତ ମନେ କରିବେ । ମୋହନ ମାଝୀଙ୍କୁ ପୁଣି ପ୍ରଶଂସା କରିବେ । ଓଡ଼ିଶାବାସୀଙ୍କ ଅକୁଣ୍ଠ ସମର୍ଥନ ପାଇଁ ପୁଣି କୃତଜ୍ଞତା ଜଣାଇବେ । ଓଡ଼ିଶା ଲୋକଙ୍କ ଭଲ ପାଇବାକୁ ସୁଧମୂଳ ସହ ପରିଶୋଧ କରିବାର ପୁଣି ପ୍ରତିଶ୍ରୁତି ଦେବେ । ଶେଷରେ ଓଡ଼ିଶା ପାଇଁ ଗୁଡ଼ାଏ ପ୍ରକଳ୍ପ ଘୋଷଣା କରି ଚାଲିଯିବେ ।
୨୦୧୪ରୁ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦୀ ଯେତେଥର ଓଡ଼ିଶା ଆସିଛନ୍ତି ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇ ସେମାନଙ୍କ ଭଲ ପାଇବାକୁ ସୁଧ ସହ ପରିଶୋଧ କରିବାର ପ୍ରତିଶ୍ରୁତି ଦେଇଛନ୍ତି । ଗତ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ଗୁଡ଼ାଏ ପ୍ରତିଶ୍ରୁତି ଦେଇଥିଲେ । ଓଡ଼ିଆ ଅସ୍ମିତାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ତାହାର ସୁରକ୍ଷା ପାଇଁ ରଣହୁଙ୍କାର ଦେଇଥିଲେ । ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଥିବା କହି ତାହାର କଡ଼ାଗଣ୍ଡା ଜବାବ ଦିଆଯିବ ବୋଲି ଘୋଷଣା କରିଥିଲେ । ଓଡ଼ିଶାକୁ ଲୁଟିଥିବା ଅଣଓଡ଼ିଆ ଗ୍ୟାଙ୍ଗକୁ ଜେଲ୍ ରେ ପୂରାଇ ଦେବୁ ବୋଲି ଧମକ ଦେଇଥିଲେ । ପୂର୍ବୋଦୟ ବିକାଶର କେନ୍ଦ୍ରବିନ୍ଦୁ ଓଡ଼ିଶା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟ ବିଜେପି ନେତାମାନେ ଆଉ ଦୁଇପାଦ ଆଗକୁ ଯାଇ ଓଡ଼ିଶାକୁ ରାମରାଜ୍ୟ ଏବଂ ଓଡ଼ିଶାବାସୀଙ୍କୁ ସ୍ୱର୍ଗସୁଖ ଦେବାର ପ୍ରତିଶ୍ରୁତି ଦେଇଥିଲେ ।
ମାତ୍ର ଏସବୁ ଯେ ମିଛ ଓ ଭୋଟ ସର୍ବସ୍ୱ ଥିଲା ତାହା ଓଡ଼ିଶାବାସୀଙ୍କୁ ବୁଝିବା ବାକି ନାହିଁ । ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିବାର ମାସେ ନ ପୂରୁଣୁ ଜଣେ ଓଡ଼ିଆ ଅଫିସରଙ୍କୁ ତକ୍ରାଳୀନ ରାଜ୍ୟପାଳ ଝାଡ଼ଖଣ୍ଡୀ ରଘୁବର ଦାସଙ୍କ ପୁଅ ନିର୍ଘାତ ପିଟିଥିଲେ । ଜୋତାରେ ଛେପ ପକାଇ ଚଟେଇଥିଲେ । ମାତ୍ର ମୋହନ ସରକାର ସେଇ ପ୍ରଥମରୁ ଝୁଣ୍ଟେଇଥିଲେ । ଆକ୍ରମଣକାରୀ ରାଜ୍ୟପାଳଙ୍କ ପୁଅ ହୋଇଥିବାରୁ ତାଙ୍କୁ ଦଣ୍ଡ ଦେବା ବଦଳରେ ସୁରକ୍ଷା ଦେଲେ ।
ପ୍ରଶାସନରେ ପୂର୍ବ ବିଜେଡି ଶାସନ ଢ଼ାଞ୍ଚାକୁ ଅପଣାଇ ଅଣଓଡ଼ିଆଙ୍କୁ ପ୍ରାଧାନ୍ୟ ଦିଆଗଲା । ତଥାକଥିତ ରତ୍ନଭଣ୍ଡାର ଚାବି ତାମିଲନାଡୁରୁ ଅଣାଗଲାନି କି ପୂର୍ବ ସରକାରଙ୍କ ଅମଳର ତଥାକଥିତ ଅଣଓଡ଼ିଆ ଗ୍ୟାଙ୍ଗ ଦେହରେ ହାତ ବାଜିଲାନି । ବରଂ ଦକ୍ଷତା ଆଧାରରେ ସେହି ଅଫିସରମାନଙ୍କୁ ପଦୋନ୍ନତି ସହ ଅଧିକ ଗୁରୁତ୍ୱ ଦିଆଯାଇଛି । ଯୋଉ ପାଣ୍ଡିଆନଙ୍କୁ ଲୁଟେରା କହି ଗାଳି କରୁଥିଲେ, ସେହି ପାଣ୍ଡିଆନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ପାଣ୍ଡିଆନଙ୍କ ବିରୋଧରେ ଯାହା କୁହାଯାଉଥିଲା ତାହା ବିଜେପିର ଅପପ୍ରଚାର ଥିଲା ବୋଲି ସେମାନେ ନିଜେ ପ୍ରମାଣ କରିଦେଲେ ।
ଦୁଇବର୍ଷ ଶାସନରେ ବିଜେପି କୌଣସି ଗୋଟିଏ ବି ପ୍ରତିଶ୍ରୁତି ପାଳନ କରିଥିବା ଦୃଶ୍ୟମାନ ହେଉନାହିଁ । ଗତକାଲିର ନିଷ୍ପତ୍ତି ଆଜିକି ରହୁନି । ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାଠାରୁ ଆରମ୍ଭ କରି ଚାଷୀଙ୍କ ଧାନକିଣା ପର୍ଯ୍ୟନ୍ତ ସବୁଥିରେ ନିଷ୍ପତ୍ତି ବାରମ୍ବାର ବଦଳୁଛି । ସୁଭଦ୍ର ଯୋଜନାରେ ବର୍ଷକୁ ୫୦ ହଜାର ଟଙ୍କା ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ବାସ୍ତବ ଯୋଜନାରେ ବର୍ଷକୁ ଦୁଇଥରରେ ୧୦ ହଜାର କରି ୫ ବର୍ଷରେ ୫୦ ହଜାର ଟଙ୍କା ରଖାଯାଇଛି । ପୁଣି ୬୦ ବର୍ଷର ମହିଳାଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯାଇଛି ।
ବିଜେଡିର ୧୦୦ ୟୁନିଟ୍ ମାଗଣା ବିଜୁଳି ପ୍ରତିଶ୍ରୁତିକୁ ଦେଖି ବିଜେପି ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳିର ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଏ ପର୍ଯ୍ୟନ୍ତ ସୂର୍ଯ୍ୟ ଘର ଲାଇଟ୍ ଜଳିଲା ନାହିଁ । ବିଜୁଳି ସଙ୍କଟରେ ରାଜ୍ୟବାସୀ କଲବଲ ହେଉଛନ୍ତି । ସବୁ ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାର ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ତାହାର ଓଲଟା କାମ ହୋଇଛି । ପୂର୍ବ ବିଜେଡି ସରକାରଙ୍କ ଅମଳରେ ଆରମ୍ଭ ହୋଇଥିବା ହଜାର ହଜାର କୋଟି ଟଙ୍କାର ଜଳଯୋଗାଣ ପ୍ରକଳ୍ପକୁ ତଦନ୍ତ ଆଳରେ ଅଟକାଇ ଦିଆଯାଇଛି । ଫଳରେ ୨୦୨୭ ପର୍ଯ୍ୟନ୍ତ ସବୁ ଲୋକ ପିଇବାକୁ ମୁନେ୍ଦ ପାଣି ପାଇବା ସ୍ୱପ୍ନ ।
ଏହି ଦୁଇବର୍ଷରେ ଚାଷୀଙ୍କ ଦୁର୍ଦ୍ଦଶା କମିବା ବଦଳରେ ବଢ଼ିଯାଇଛି । ଗତବର୍ଷ ସାର ଅଭାବରେ ଚାଷୀକୂଳ ହନ୍ତସନ୍ତ ହୋଇଥିଲେ । ଏ ବର୍ଷ ଧାନ ବିକ୍ରିରେ ଟୋକନ ସାଙ୍ଗକୁ ଯାବତୀୟ ସମସ୍ୟାରେ ଘାଣ୍ଟିହେଲେ ଚାଷୀ । ଦିନ ଦିନ ଧରି ସେମାନେ ଧାନବସ୍ତା ଧରି ବର୍ଷା, ଶୀତ କାକରରେ ପଡ଼ିଲେ । ସରକାର ବାରମ୍ବାର ନିୟମ ବଦଳାଇବାରୁ ଚାଷୀମାନେ ଯନ୍ତ୍ରଣା ଭୋଗିଲେ ।
ସାମାଜିକ ସୁରକ୍ଷା ଭତ୍ତା ବୃଦ୍ଧ କରାଯିବ ବୋଲି ଦିଆଯାଇଥିବା ପ୍ରତିଶ୍ରୁତି ପାଣିର ଗାର ହୋଇଗଲା । ଓଲଟି ହିତାଧିକାରୀଙ୍କର ଦୁର୍ଦ୍ଦଶା ବଢ଼ିଯାଇଛି । ଭତ୍ତା ପାଇବାକୁ ବୟସ୍କ, ଭିନ୍ନକ୍ଷମମାନେ ଖରାରେ ଘଣ୍ଟା ଘଣ୍ଟା ଧରି ଧରି ଲମ୍ବା ଲାଇନ୍ ରେ ଛିଡ଼ା ହେଉଛନ୍ତି । ଆହୁରି ଦୁର୍ଭାଗ୍ୟ ଯେ ୩ ମାସ ହେଲା ସରକାର ଭତ୍ତା ବି ଦେଇପାରୁନାହାନ୍ତି । ଏଥିପାଇଁ ଡହଳ ବିକଳରେ ଜୀବନ କାଟୁଛନ୍ତିି ବେସାହାରା ବୃଦ୍ଧ, ବୃଦ୍ଧା ଏବଂ ଭିନ୍ନକ୍ଷମ ମଣିଷ ।
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଥା ନ କହିଲେ ଭଲ । ପ୍ରତିଦିନି ରେପ୍, ମର୍ଡର, ଅପହରଣ, ଡକାଏତି । ବିଚ୍ ରାସ୍ତାରେ ବନ୍ଧୁକ, ଖଣ୍ଡା ବୁଲୁଛି । ସାଧାରଣ ଜୀବନ ଏବେ ବିପଦରେ । ମହିଳାମାନେ ଆଦୌ ସୁରକ୍ଷିତ ନୁହଁନ୍ତି । ଶାସନରେ ଢ଼ିଲାପଣ ଯୋଗୁଁ ପୁଲିସ ଉପରୁ ଅପରାଧୀଙ୍କର ଭୟ ତୁଟିଯାଇଛି ।
ସରକାରୀ ସ୍ତରରେ ଧାରାବାହିକ ବିକାଶ କାର୍ଯ୍ୟରେ ଅଧୋଗତି ପରିଲକ୍ଷିତ ହେଉଛି । ବିଭିନ୍ନ ବିକାଶମୂଳକ ଯୋଜନାରେ ଯୋଜନାରେ କାମ ପାଇବା ପାଇଁ ଶାସକ ଦଳର ସ୍ଥାନୀୟ କର୍ମକର୍ତ୍ତାମାନେ ଡହଳ ବିକଳ ହେଉଛନ୍ତି । ବିଡ଼ିଓଙ୍କୁ ଘେରୁଛନ୍ତି । ଧମକେଇ କାମ ନେଉଛନ୍ତି । ଆଗରୁ ୧୫ % ପିସି କାରବାର ହେଉଥିଲା । ଏବେ ତାହା ୪୦ରୁ ୫୦ ପ୍ରତିଶତ ଛୁଇଁଲାଣି । ଏଥିରେ କି ପ୍ରକାର କାମ ହେଉଛି ତାହା ସ୍ପଷ୍ଟ ଅନୁମେୟ । ଦୁଇବର୍ଷର ମୋହନ ସରକାର ତିନୋଟି ପୂର୍ଣ୍ଣକାଳୀନ ବଜେଟ୍ ଉପସ୍ଥାପନ କରିବାର ସୁଯୋଗ ପାଇ ମଧ୍ୟ ତାହାର ସଦୁପଯୋଗ କରିବାରେ ବିଫଳ ହୋଇଛନ୍ତି । ରାଜ୍ୟର ଆର୍ଥିକ ପରିଚାଳନା ଦିଗହରା ହୋଇଥିବା ବେଳେ ଆର୍ଥିକ ସ୍ଥିତି ବିପଜ୍ଜନକ ଅବସ୍ଥାକୁ ଚାଲି ଆସିଛି ।
ସରକାରଙ୍କ କେବଳ ଗୋଟିଏ ବଡ଼ ସଫଳତା ହେଉଛି, ନାଁ ଓ ରଙ୍ଗ ବଦଳାଇବା । ପୂର୍ବ ସରକାରଙ୍କ ୨୮ଟି ଯୋଜନାର ନାଁ ବଦଳେଇଛନ୍ତି ମୋହନ ସରକାର । ସେହି ଅନୁଯାୟୀ ରଙ୍ଗ ବି ବଦଳିଯାଇଛି । ସେଥିପାଇଁ ଅଜସ୍ର ଅର୍ଥ ଖର୍ଚ୍ଚ ହୋଇଛି ।
ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀ ମାତ୍ର ମାସକରେ ତାଙ୍କର ଦକ୍ଷତା ପ୍ରଦର୍ଶନ କରିଥିବା ବେଳେ ମୋହନ ସରକାର ଦୁଇବର୍ଷରେ ମଧ୍ୟ କୌଣସି ଆଖିଦୃଶିଆ କାର୍ଯ୍ୟ କରିନାହାନ୍ତି । ସରକାରଙ୍କ ପ୍ରଗତି କେବଳ ପ୍ରଚାରରେ ସୀମିତ ରହିଛି । ସଭା, ସମିତି, ଲମ୍ବା ଭାଷଣରେ ଚାଲିଛନ୍ତି ମୋହନ ସରକାର । ପୂର୍ବ ସରକାର ଅମଳରେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଚୋରି ହୋଇଥିବା ଆଇନମନ୍ତ୍ରୀ କହୁଥିଲେ ମଧ୍ୟ ତାହାର ତଦନ୍ତ କରାଯାଉନି । ବ୍ୟୁରୋକ୍ରାଟିକ୍ ଶାସନ ଅଭିଯୋଗରେ ପୂର୍ବ ସରକାରଙ୍କୁ ସମାଲୋଚନା କରୁଥିବା ଦଳ ଏବେ ନିଜେ ବ୍ୟୁରୋକ୍ରାଟଙ୍କ କବଜାରେ । ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ରାଜ୍ୟକୁ ଦୁଇଜଣ ଅଫିସର ଚଳାଉଥିବା ଚର୍ଚ୍ଚା ହେଉଛି ।
ସାଂଗଠନିକ ସ୍ତରରେ ମଧ୍ୟ ବିଜେପି ସେଭଳି ଅଗ୍ରଗତି କରିନାହିଁ । ଦଳରେ ପ୍ରବଳ ଗୋଷ୍ଠୀ କନ୍ଦଳ। ମୋହନ-ମନମୋହନଙ୍କ ଯୋଡି ନିଜର ଦକ୍ଷତା ଓ ଭାବମୂର୍ତ୍ତି ବଳରେ ସଂଗଠନ ବଢ଼ାଇବା କଥା । ମାତ୍ର ବିଜେଡିର ଆମଦାନୀ ନେତାଙ୍କ ଉପରେ ରାଜ୍ୟ ବିଜେପି ନିର୍ଭରଶୀଳ ହୋଇଯାଇଛି । ମୋହନ ମାଝୀଙ୍କୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାରକୁ ଲୋକଙ୍କ ସରକାର ବୋଲି ପ୍ରଚାର କରାଯାଉଥିଲେ ମଧ୍ୟ ତାହା ସତ୍ୟ ନୁହେଁ । ଲୋକଙ୍କ ମଧ୍ୟରେ ମୋହନ ମାଝୀଙ୍କର ସେଭଳି କୌଣସି କ୍ରେଜ୍ ସୃଷ୍ଟି ହୋଇପାରିନାହିଁ ।
ଦୁଇବର୍ଷରେ ଗୋଟିଏ ପୂର୍ଣ୍ଣ ମନ୍ତ୍ରୀ ପରିଷଦ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ସକ୍ଷମ ହୋଇନାହାନ୍ତି । ୬ ମନ୍ତ୍ରୀ ପଦ ଖାଲି ଥିବାରୁ ଜଣେ ଜଣେ ମନ୍ତ୍ରୀଙ୍କ ଉପରେ ଚାରି ଚାରିଟା ବିଭାଗର ଦାୟିତ୍ୱ ବୋଝ । ସେଥିଯୋଗୁଁ ଶାସନରେ ସ୍ଥାଣୁତା ଦେଖିବାକୁ ମିଳିଛି । ମନ୍ତ୍ରୀପଦ ପାଇଁ ଆଶାୟୀମାନେ ମନମାରି ରହିଥିବାରୁ ତାହା ମଧ୍ୟ ସରକାରଙ୍କ ଉପରେ ଭାରି ପଡ଼ିଛି । ସେହିଭଳି ନିଗମ ଏବଂ ବୋର୍ଡ ରେ ନିଯୁକ୍ତି ହୋଇ ନ ପାରିବାରୁ ଆଶାୟୀମାନେ ନିରାଶରେ ବସିଛନ୍ତି । ସରକାରଙ୍କଠୁ ନା ସେମାନେ କିଛି କାମ ପାଉଛନ୍ତି ନା ପଦପଦବୀ ପାଉଛନ୍ତି ।
ମୋଟାମୋଟି କହିଲେ- ମୋହନ ମାଝୀଙ୍କ ନେତୃତ୍ୱରେ ଗତ ଦୁଇବର୍ଷରେ ସରକାର କି ମନମୋହନ ସାମଲଙ୍କ ନେତୃତ୍ୱରେ ସଂଗଠନରେ କୌଣସି ଆଖିଦୃଶିଆ ସଫଳତା ନାହିଁ । ପ୍ରଶାସନରେ ମନମାନି, ସଂଗଠନରେ ନିଷ୍କ୍ରିୟତା ଏବଂ କାର୍ଯ୍ୟକର୍ତ୍ତା ନିରାଶରେ ଭରି ରହିଛନ୍ତି । ସାଧାରଣ ଜନତା ବି ସରକାରଙ୍କ ଉପରେ ଖୁସି ନାହାନ୍ତି । ବିଜେପି ସରକାରଙ୍କ କାର୍ଯ୍ୟକଳାପ ସେମାନଙ୍କୁ ନିରାଶ କରିଛି । ଏହା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଉପରେ ଓଡ଼ିଆଙ୍କ ସୁଧ ବଢ଼ାଇ ଦେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଆସନ୍ତା ୨୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଏହାର ଜବାବ ରଖିବା ଦରକାର ।