ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସଂଧ୍ୟାରେ ଦିଲ୍ଲୀ ଯାତ୍ରା କରିଛନ୍ତି । ସେଠାରେ ଦୁଇ ଦିନ ରହିବେ । ଆସନ୍ତାକାଲି ‘ଅକ୍ଷୟଶକ୍ତି ଏକ୍ସପୋ-୨୦୨୬’ ରେ ଯୋଗଦେବେ । ଅନ୍ୟ କାର୍ଯ୍ୟକ୍ରମ ଯାହା କୁହାଯାଉଛି, ମୁଖ୍ୟମନ୍ତ୍ରୀ ଓଡ଼ିଶା ଲୋକଙ୍କ ବନ୍ୟା କଷ୍ଟ ସମ୍ପର୍କରେ କେନ୍ଦ୍ର ନେତାମାନଙ୍କ ସହ ଆଲୋଚନା କରିବେ । ବନ୍ୟା କ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଙ୍କ ଓଡ଼ିଶା ଗସ୍ତର ଅବ୍ୟବହିତ ପୂର୍ବରୁ ଦିଲ୍ଲୀ ଯାଇଥିବା ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ନେତାଙ୍କ ସହ କ’ଣ ଆଲୋଚନା କରିବେ ତାହା ଜଣାପଡ଼ିନାହିଁ । ଅକ୍ଷୟଶକ୍ତି ଏକ୍ସପୋ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ କୃଷି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେବେ ।
ମୁଖ୍ୟମନ୍ତ୍ରୀ ସେହି ସମୟରେ ଦିଲ୍ଲୀ ଯାଇଛନ୍ତି ଯେତେବେଳେ କି
୧.ଗଞ୍ଜାମ ଜିଲ୍ଲାରେ ବନ୍ୟାବିପନ୍ନମାନଙ୍କ ମଧ୍ୟରେ ହାହାକାର ପଡ଼ିଛି । ଉଜୁଡ଼ା କ୍ଷେତ ଦେଖି ଚାଷୀ ଆତ୍ମହତ୍ୟା କରିଛନ୍ତି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ପରିଚାଳନାଗତ ବିଭ୍ରାଟ ଯୋଗୁଁ ଲୋକେ ନିଆଁବାଣ ହୋଇଛନ୍ତି । ଗାଁ ଗାଁରେ ଶାସକ ଦଳର ବିଧାୟକ ଓ ମନ୍ତ୍ରୀଙ୍କୁ ଦେଖି ଗୋଡ଼ୋଉଛନ୍ତି । ବିଧାୟକଙ୍କ ବେକରେ ଗାମୁଛା ପକାଇ ଘୋଷାଡ଼ିବା ପର୍ଯ୍ୟନ୍ତ କଥା ଯାଇଛି ।
୨.ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗିଡ଼ିପାବାଲି ଗ୍ରାମରେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ନିଖୋଜ ୧୨ ଜଣଙ୍କର ସନ୍ଧାନ ମିଳିପାରିନାହିଁ । ଜିରୋ କାଜୁଆଲିଟି କେବଳ ପ୍ରଚାରରେ ସୀମିତ ରହିଯାଇଛି ।
୩. ପୁଣି.. ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ମୁରାସୁ’ । ଏହି ବାତ୍ୟା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଏବଂ ପୁରୀ ଜିଲ୍ଲାକୁ ପ୍ରଭାବିତ କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆଲର୍ଟ କରାଯାଇଛି । ରାଜୀବ ଭବନରେ ଏସଆରସିଙ୍କ ସହ ବସି ରାଜସ୍ୱମନ୍ତ୍ରୀ ସମୀକ୍ଷା ବୈଠକ ଚଳାଇଛନ୍ତି ।
୪. ହିଞ୍ଜିଳି କାନ୍ଥରେ ‘ନବୀନ ପଟ୍ଟନାୟକ ମିସିଂ’ ବୋଲି ବିରୋଧୀଙ୍କ ପକ୍ଷରୁ ପୋଷ୍ଟର ମରାଯାଇଛି ।
ଗତ ଜୁଲାଇ ମାସ ଶେଷ ସପ୍ତାହରେ ରାଜ୍ୟରେ ବନ୍ୟା ବିଭୀଷିକା ବେଳେ ମୁଖ୍ୟମନ୍ତ୍ରୀ ଏମିତି ଅଚାନକ ଦିଲ୍ଲୀ ଯାଇଥିଲେ । ସେତେବେଳେ ଅବିଶ୍ରାନ୍ତ ବର୍ଷା ଓ ଭୟଙ୍କର ବନ୍ୟାରେ ଅଧା ଓଡ଼ିଶା ବେହାଲ୍ ହୋଇଥିଲା । ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ଅନେକ ଗାଁ ଗଣ୍ଡା ବନ୍ୟାଜଳ ଘେରରେ ଥିବାରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିଲା । ଲୋକମାନେ ଖାଇବାକୁ ନ ପାଇ ଭୋକ ଓପାସରେ ଦିନ କାଟୁଥିଲେ ।
ରାଜ୍ୟବାସୀଙ୍କର ଏହି ଦୁର୍ଦ୍ଦଶା ବେଳେ ମୁଖ୍ୟମନ୍ତ୍ରୀ ୪ ଦିନିଆ ଦିଲ୍ଲୀ ଗସ୍ତ କରିଥିଲେ । ଏହି ଗସ୍ତ ଥିଲା ରହସ୍ୟମୟ ।
କାରଣ- ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦରେ ଜୁଲାଇ ୨୫ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଧର୍ମେନ୍ଦ୍ର ପ୍ରଧାନ ୨୮ ତାରିଖ ମଧ୍ୟାହ୍ନରେ ଭୁବନେଶ୍ୱର ଆସିଥିଲେ । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସଂଧ୍ୟାରେ ଦିଲ୍ଲୀ ଫେରିଥିଲେ । ଧର୍ମେନ୍ଦ୍ରଙ୍କୁ ସ୍ୱାଗତ କରିବା ପାଇଁ ୪ ମନ୍ତ୍ରୀଙ୍କ ସହ ୨୧ ଜଣ ବିଧାୟକଙ୍କ ମେଳିକୁ ନେଇ ରାଜନୈତିକ ମାହୋଲ ସରଗରମ ଥିଲା ବେଳେ ପରଦିନ ସକାଳ ମୁଖ୍ୟମନ୍ତ୍ରୀ ଯାଇଥିଲେ ଦିଲ୍ଲୀ । ମୁଖ୍ୟମନ୍ତ୍ରୀଙ୍କ ତରବରିଆ ଦିଲ୍ଲୀ ଗସ୍ତ ପଛରେ ‘ଅସୁରକ୍ଷିତ ଭାବନା’ ଥିବା ଚର୍ଚ୍ଚା ହୋଇଥିଲା ।
ଜୁଲାଇ ୨୯ ତାରିଖ ସକାଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ପହଞ୍ଚି ସଂଧ୍ୟାରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଘରେ ଡିନର୍ ଭୋଜିରେ ଯୋଗଦେଇଥିଲେ । ପରଦିନ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ବିବାଦର ସମାଧାନ ନିମନ୍ତେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ ଯୋଗଦେଇଥିଲେ । ଏହି ବୈଠକ ପୂର୍ବ ସ୍ଥିରିକୃତ ନ ଥିଲା । ସଂଧ୍ୟାରେ ଅଶୋକ ହୋଟେଲରେ ଓଡ଼ିଶାର ସାଂସଦମାନଙ୍କୁ ଡିନର୍ ଭୋଜିରେ ମୁଖ୍ୟମନ୍ତ୍ରୀ ଆପ୍ୟାୟିତ କରିଥିଲେ ।
ତୃତୀୟ ଦିନରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଥିଲେ । ତା’ ପରଦିନ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରି ଖୁବ୍ ଜାକଜମକରେ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ ।