ଭୁୁବନେଶ୍ୱର: ନିମାପଡ଼ାର ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ ଦଳରୁ ବିଦା କରିଛନ୍ତି ନବୀନ ପଟ୍ଟନାୟକ । ଗତ ନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା । ଠକେଇ ଓ ଜାଲିଆତିପୂର୍ଣ୍ଣ କାର୍ଯ୍ୟକଳାପ ଅଭିଯୋଗ ପାଇଁ ଆଜି ସସପେଣ୍ଡ କରାଯାଇଛି । ଏହା ଦଳବିରୋଧୀ କାର୍ଯ୍ୟ ସହ ସମାନ ବୋଲି ଦର୍ଶାଯାଇଛି । ବିଜେଡିରୁ ଦିଲ୍ଲୀପଙ୍କ ବିଦା ହେବା ଘଟଣା ନିମାପଡ଼ା ରାଜନୀତିରେ ହଲଚଲ ସୃଷ୍ଟି କରିଛି । ସମୀର ଦାଶଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଏହା ରାସ୍ତା ସଫା ବୋଲି ଚର୍ଚ୍ଚା ହେଉଛି ।
୨୦୨୪ ସାଧାରଣ ନିର୍ବାଚନରେ ସମୀର ଦାଶଙ୍କ ଭଳି ବିଜେଡିର ହେଭିୱେଟ୍ ଙ୍କ ଟିକେଟ୍ କଟିଯାଇଥିଲା । ସେଠି ଦିଲ୍ଲୀପ ନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ତାଙ୍କ ପ୍ରତି ଅନ୍ୟାୟର ପ୍ରତିବାଦରେ ଦଳ ଛାଡ଼ି ଦେଇଥିଲେ ସମୀର । ବିଜେଡି ପ୍ରାର୍ଥୀ ଦିଲ୍ଲୀପଙ୍କୁ ହରାଇବାର ଶପଥ ନେଇ ବିଜେପିରେ ମିଶିଥିଲେ ଏବଂ ତାଙ୍କର ଚିରଶତ୍ରୁ ପ୍ରଭାତୀ ପରିଡ଼ାଙ୍କୁ ଜିତାଇବା ପାଇଁ ବଳ କୌଶଳ ଲଗାଇଥିଲେ ।
ସମୀର ତାଙ୍କ ଉଦ୍ୟମରେ ସଫଳ ହେଲେ ଏବଂ ବିଜେଡି ହାତରୁ ନିମାପଡ଼ା ଆସନ ପ୍ରଭାତୀଙ୍କ ପାଖକୁ ଚାଲିଗଲା । ଦିଲ୍ଲୀପ ନାୟକଙ୍କୁ ସେ ୪,୫୮୮ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ସମୀରଙ୍କ ସହଯୋଗରୁ ପ୍ରଥମ ଥର ପାଇଁ ନିର୍ବାଚନ ଜିତି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟପ୍ରାପ୍ତ ହେଲେ ପ୍ରଭାତୀ ।
କିନ୍ତୁ ସମୀରଙ୍କ ଦୁର୍ଭାଗ୍ୟ ଯେ ପ୍ରଭାତୀ କ୍ଷମତା ପାଇଲା ପରେ ତାଙ୍କୁ ମୁହଁ ମୋଡ଼ିଦେଲେ । ନିର୍ବାଚନ ଫଳ ପ୍ରକାଶ ପାଇଲା ପରେ ପ୍ରଭାତୀ ତାଙ୍କ ଗୋଡ଼ ଛୁଇଁ ଆଶୀର୍ବାଦ ଭିକ୍ଷା କରିଥିଲେ ସତ କିନ୍ତୁ ଆଉ ମୁହଁ ଫେରାଇନାହାନ୍ତି । ସେବେଠାରୁ ତାଙ୍କ ଫୋନ୍ ବି ଉଠାଇନାହାନ୍ତି । ସମୀର-ପ୍ରଭାତୀଙ୍କ ମଧ୍ୟରେ ପୁରୁଣା ତିକ୍ତତା ଖାଲି ଫେରି ଆସିନି ଏହା ସାଂଘାତିକ ରୂପ ନେଇସାରିଛି । ସମୀର ବିଜେପିରେ ଥାଇ ମଧ୍ୟ ପ୍ରଭାତୀଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧ ଘୋଷଣା କରିଛନ୍ତି । ନିକଟରେ ଅନୁଷ୍ଠିତ ନିମାପଡ଼ା କଲେଜ ଛାତ୍ର ସଂସଦ ନିର୍ବାଚନରେ ସେ ପ୍ରଭାତୀଙ୍କ ହୋସ୍ ଉଡ଼ାଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ତାଙ୍କୁ ସଫା କରିଦେବେ ବୋଲି ସମୀର ଚାଲେଞ୍ଜ ଦେଇଛନ୍ତି ।
ସେହି ସମୟରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ସସପେଣ୍ଡ କରିବା ଚର୍ଚ୍ଚାର ବିଷୟ ହେବା ସ୍ୱାଭାବିକ । ନିର୍ବାଚନର ବର୍ଷକ ପରେ ଗତବର୍ଷ ସେପ୍ଟେମ୍ବର ମାସରେ ଦିଲ୍ଲୀପ ୧୨.୪୨ କୋଟି ଟଙ୍କାର ଏକ ଠକେଇ ମାମଲାରେ ପଡ଼ିଥିଲେ । କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ତାଙ୍କୁ ଗିରଫ କରିଥିଲା । ପାଖାପାଖି ବର୍ଷେ କାଳ ସେ ଜେଲ୍ ରେ ଥିଲେ ମଧ୍ୟ ବିଜେଡି ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ଜେଲ୍ ରୁ ଫେରିଲା ପରେ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଥିଲେ । ମାତ୍ର ଆଜି ତାଙ୍କୁ ଦଳରୁ ସସପେଣ୍ଡ କରିବା ଘଟଣାକୁ ଅପ୍ରତ୍ୟାଶିତ ବୋଲି କୁହାଯାଉଛି । ହୋଇପାରେ, ସମୀର ଦାଶ ବିଜେଡିକୁ ଫେରି ଆସିପାରନ୍ତି ।