ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ତଦନ୍ତ ହେବ – ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କର ତତ୍କାଳୀନ ବ୍ୟକ୍ତିଗତ ସଚିବ ତଥା ବର୍ତ୍ତମାନର ରାଜନୈତିକ ସହଯୋଗୀ – ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପାଣ୍ଡିଆନ ଏବଂ ଆଉ ଜଣେ କାର୍ଯ୍ୟରତ ଆଇପିଏସ୍ ଅଧିକାରୀଙ୍କର ବିଦେଶ ଗସ୍ତ ସମ୍ପର୍କରେ। କିନ୍ତୁ ଏହି ବିଷୟରେ ଏବେ ସାଧାରଣରେ ଅନେକ ଆଲୋଚନା ପର୍ଯ୍ୟାଲୋଚନା, ଯାହା ଲୋକଙ୍କ ମନରେ ସୃଷ୍ଟି କରୁଛି ଅନେକ ଅସହଜ ପ୍ରଶ୍ନ! ଗଣତନ୍ତ୍ରରେ ତଦନ୍ତର ମାପକାଠି ବ୍ୟକ୍ତିର ରାଜନୈତିକ ପରିଚୟ ନୁହେଁ, ବରଂ ଅଭିଯୋଗର ଗମ୍ଭୀରତା ଓ ଉପଲବ୍ଧ ପ୍ରମାଣ ହେବା ଉଚିତ୍।
ଭରତପୁର ଘଟଣା, ପାଠ୍ୟପୁସ୍ତକ ତ୍ରୁଟି ଓ ହଜିଯାଇଥିବା ତଦନ୍ତ କମିଶନ ରିପୋର୍ଟ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀ ଏବେ ନବୀନ, ପାଣ୍ଡିଆନ ଓ ରବିକାନ୍ତଙ୍କ ବିଦେଶ ଗସ୍ତ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ମଧ୍ୟ ଭଲ କଥା। କିନ୍ତୁ ବର୍ତ୍ତମାନ ପ୍ରକାଶିତ ତଦନ୍ତଟି ହେଉଛି ସାଧାରଣ ପ୍ରଶାସନ ବିଭାଗକୁ ଏକ ପ୍ରାଶାସନିକ ତଦନ୍ତ ନିର୍ଦ୍ଦେଶ। ଯାହା ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଅପରାଧିକ ତଦନ୍ତ କରିବା ସହ ସମାନ ନୁହେଁ।
କିନ୍ତୁ ଏଠାରେ ଏକ ମୌଳିକ ପ୍ରଶ୍ନ ଉଠୁଛି – ପାଣ୍ଡିଆନଙ୍କ ବିଦେଶ ଗସ୍ତ ଓ ସରକାରୀ ଖର୍ଚ୍ଚ ସମ୍ପର୍କରେ ତଥ୍ୟ ଯାଞ୍ଚ କରିବା ପାଇଁ କ’ଣ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ ଆଇନଗତ ଭାବେ ଅନିବାର୍ଯ୍ୟ ଥିଲା? ନା ସମ୍ପୃକ୍ତ ପ୍ରାଶାସନିକ ବିଭାଗ ନିଜ ଅଧିକାର ଓ ନିୟମ ଅନୁସାରେ ଏହି ତଥ୍ୟ ଯାଞ୍ଚ କରିପାରିଥାନ୍ତା? ସାଧାରଣ ପ୍ରାଶାସନିକ ତଥ୍ୟ ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ ସବୁ କ୍ଷେତ୍ରରେ ଆଇନଗତ ଆବଶ୍ୟକତା ନୁହେଁ। ତେବେ ଏହି ନିର୍ଦ୍ଦେଶ ପଛରେ ଥିବା ପ୍ରାଶାସନିକ ଓ ଆଇନଗତ ଆଧାର ସରକାର ସ୍ପଷ୍ଟ କରିନାହାଁନ୍ତି। ଯଦି ଦୁର୍ନୀତିର ଅଭିଯୋଗ ରହିଛି, ତେବେ ଉପଯୁକ୍ତ ତଦନ୍ତକାରୀ ସଂସ୍ଥା ଦୁର୍ନୀତି ନିବାରଣ ଆଇନ ଅନୁସାରେ ତଦନ୍ତ କରିବା ଉଚିତ୍। ନିଶ୍ଚିତ ଭାବରେ ସାଧାରଣ ଲୋକଙ୍କ ଟିକସ ଅର୍ଥରେ ହୋଇଥିବା ପ୍ରତ୍ୟେକ ବିଦେଶ ଗସ୍ତର ଉଦ୍ଦେଶ୍ୟ, ଖର୍ଚ୍ଚ ଓ ଫଳାଫଳ ଜନସାଧାରଣଙ୍କର ଜାଣିବାର ସମ୍ପୂର୍ଣ୍ଣ ଅଧିକାର ଅଛି। ଏଥିରେ କାହାର ଦ୍ଵିମତ ନାହିଁ।
ଦୈନନ୍ଦିନ ଘଟଣାବଳୀ ଆଲୋଚନାରେ ଆଗ୍ରହ ରଖୁଥିବା ଅନେକ ବରିଷ୍ଠ ବୁଦ୍ଧିବାଦୀଙ୍କ କହିବା କଥା ହେଉଛି, ଯେମିତି ନବୀନ ପଟ୍ଟନାୟକ, ପାଣ୍ଡିଆନ ଓ ଅନ୍ୟ ଅଧିକାରୀଙ୍କ ବିଦେଶ ଗସ୍ତ ସମ୍ପର୍କରେ ତଦନ୍ତ ଆବଶ୍ୟକ ଅଛି ସେମିତି ରାଜ୍ୟରେ ଦୀର୍ଘଦିନ ଧରି ଉଠୁଥିବା ଅନ୍ୟାନ୍ୟ ଅନେକ ଦୁର୍ନୀତି ଅଭିଯୋଗଗୁଡ଼ିକ ପ୍ରତି ସରକାରଙ୍କ ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ ହେବା ଜରୁରୀ?
ଆମ ରାଜ୍ୟରେ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ରାଜ୍ୟ ଭିଜିଲାନ୍ସ ବିଭାଗ ରହିଛି। ଏହା କେବଳ ଏକ ନାମକୁ ମାତ୍ର ସଂସ୍ଥା ନୁହେଁ। ଏହାର ନିଜସ୍ୱ ତଦନ୍ତ କ୍ଷମତା, ଅଧିକାରୀ ଓ କଠୋର ଆଇନଗତ ବ୍ୟବସ୍ଥା ରହିଛି, ଯାହା ଗୃହ ବିଭାଗ ନିୟନ୍ତ୍ରଣାଧୀନ ଏବଂ ଗୃହ ବିଭାଗ ଏବେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ। ତେବେ ଏହି ସବୁ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଦୁର୍ନୀତି ନିବାରଣ ବ୍ୟବସ୍ଥା ଅକ୍ଷମ ନା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ହିଁ ଶେଷ କଥା?
ଏହି ପ୍ରସଙ୍ଗରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନଟିକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ। ନବ ଦାସ ହତ୍ୟାକାଣ୍ଡ ଘଟଣାରେ ତାଙ୍କ ପରିବାର ସିବିଆଇ ତଦନ୍ତ ଦାବି କରିଥିଲେ। କିନ୍ତୁ ସିବିଆଇ ତଦନ୍ତ ପରିବର୍ତ୍ତେ କ୍ରାଇମବ୍ରାଞ୍ଚ ଦ୍ୱାରା ପୁନଃତଦନ୍ତର ପଥ ବଛାଗଲା। ଏହି ଘଟଣାରେ ପରିବାରର ଦାବି, ତଦନ୍ତର ନିରପେକ୍ଷତା ଓ ଜନସାଧାରଣଙ୍କ ସନ୍ଦେହ ଦୂର କରିବା ମଧ୍ୟ ସରକାରଙ୍କ ଦାୟିତ୍ୱ।
ସୁଚନାଯୋଗ୍ୟ, ୨୯ ଜାନୁଆରୀ ୨୦୨୩ରେ ଝାରସୁଗୁଡ଼ାର ବ୍ରଜରାଜନଗରଠାରେ ଜଣେ କାର୍ଯ୍ୟରତ ପୋଲିସ ଏଏସ୍ଆଇଙ୍କ ଗୁଳିରେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା। ତତ୍କାଳୀନ ସରକାରଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ପରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଏକମାତ୍ର ହତ୍ୟାକାରୀ ଭାବେ ଦର୍ଶାଇ ଚାର୍ଜସିଟ୍ ଦାଖଲ କରିଥିଲା। କିନ୍ତୁ ସେତେବେଳେ ବିରୋଧୀ ଦଳରେ ଥିବାବେଳେ ବିଜେପି ଏହି ଘଟଣାକୁ ନେଇ ତୀବ୍ର ପ୍ରଶ୍ନ ଉଠାଇଥିଲା। ତଦନ୍ତର ନିରପେକ୍ଷତା ଉପରେ ସନ୍ଦେହ ପ୍ରକାଶ କରି ସିବିଆଇ ତଦନ୍ତ ଦାବି କରିଥିଲା।
ବିଜେପି ସରକାରକୁ ଆସିବା ପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ଏହି ମାମଲାରେ ପରିବର୍ତ୍ତିତ ଆଭିମୁଖ୍ୟର ସଙ୍କେତ ଦେଇଥିଲେ। ୧୭ ଜାନୁଆରୀ ୨୦୨୫ରେ ସେ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ସିବିଆଇ ତଦନ୍ତ ଚାହୁଁଥିଲେ ସରକାରଙ୍କୁ ଲିଖିତ ଭାବେ ଜଣାଇବାକୁ କହିଥିଲେ।
ପରବର୍ତ୍ତୀ ସମୟରେ ୧୮ ମାର୍ଚ୍ଚ ୨୦୨୫ରେ ଆଇନମନ୍ତ୍ରୀ ବିଧାନସଭାରେ ଘୋଷଣା କରିଥିଲେ ଯେ ସରକାର ଏହି ମାମଲାର ପୁନର୍ବାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିୟୋଜିତ କରିଛନ୍ତି। ସେହି ସମୟରେ ମନ୍ତ୍ରୀ କହିଥିଲେ ଯେ ସିବିଆଇ ତଦନ୍ତ କରିପାରିଥାନ୍ତା, କିନ୍ତୁ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତର ସ୍ୱାଧୀନତା ଦେବାକୁ ଉଚିତ ମନେ କରିଛନ୍ତି।
ଏହାପରେ ୧୯ ମାର୍ଚ୍ଚ ୨୦୨୫ରେ ନବ ଦାସଙ୍କ ପତ୍ନୀ ମିନତୀ ଦାସ, ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଲୋକସେବା ଭବନରେ ସାକ୍ଷାତ କରି ଲିଖିତ ଭାବରେ ସିବିଆଇ ତଦନ୍ତ ଦାବି ଜଣାଇଥିଲେ। ଅର୍ଥାତ୍ ମନ୍ତ୍ରୀଙ୍କ ପୂର୍ବ ସର୍ତ୍ତ ଅନୁଯାୟୀ ପରିବାର ପକ୍ଷରୁ ଲିଖିତ ଅନୁରୋଧ ମଧ୍ୟ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ପରିବାରକୁ ନିରପେକ୍ଷ ତଦନ୍ତର ଆଶ୍ୱାସନା ଦେଇଥିଲେ। କିନ୍ତୁ ସିବିଆଇ ତଦନ୍ତ ବଦଳରେ କ୍ରାଇମବ୍ରାଞ୍ଚର ପୁନଃତଦନ୍ତ ଜାରି ରହିଲା।
ଏଠାରେ ଆମର ପ୍ରଶ୍ନ ହେଉଛି, ଯେଉଁ ଦଳ ବିରୋଧୀ ଆସନରେ ଥିବାବେଳେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଥିଲା, ସେହି ଦଳ ସରକାରକୁ ଆସିବା ପରେ ପରିବାରର ଲିଖିତ ଅନୁରୋଧ ସତ୍ତ୍ୱେ ସିବିଆଇ ତଦନ୍ତ କାହିଁକି ହେଲା ନାହିଁ?
ତଥାପି ଏକ ବର୍ଷରୁ ଅଧିକ ସମୟ ପରେ ଜନସାଧାରଣଙ୍କ ମନରେ ଥିବା ପ୍ରଶ୍ନ ହେଉଛି – ପରିବାରର ସିବିଆଇ ତଦନ୍ତ ଅନୁରୋଧ ଉପରେ ସରକାରଙ୍କ ଚୂଡ଼ାନ୍ତ ନିଷ୍ପତ୍ତି କ’ଣ? ପୁନଃତଦନ୍ତର ଫଳାଫଳ କେଉଁଠି ପହଞ୍ଚିଲା? ଏହାର ସର୍ବଶେଷ ସ୍ଥିତି ସରକାର ସାର୍ବଜନୀନ କରିବା ଉଚିତ୍।
ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଜଣେ ଓଡ଼ିଆ ଅଧିକାରୀଙ୍କୁ ନିର୍ଘାତ ପିଟିଲେ । ଜୋତାରେ ଛେପ ପକାଇ ଚଟାଇଲେ । ୧୫ ଦିନ ମଧ୍ୟରେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇନମନ୍ତ୍ରୀ ବିବୃତି ଦେଲେ । ମାତ୍ର ସେହି ତଦନ୍ତ କୁଆଡ଼େ ଗଲା? ଓଡ଼ିଆ ଅସ୍ମିତା କେଉଁଠି ରହିଲା?
ଆଜି ରାଜ୍ୟରେ ପ୍ରତିଦିନ, ବିଭିନ୍ନ ବିଭାଗରେ ଦୁର୍ନୀତି, ସରକାରୀ ଯୋଜନାରେ ଅନିୟମିତତା, ନିମ୍ନମାନର ନିର୍ମାଣ କାର୍ଯ୍ୟ, ଚାଷୀଙ୍କ ସମସ୍ୟା, ନିଯୁକ୍ତିରେ ଅସଙ୍ଗତି ଏବଂ ସାଧାରଣ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟରେ ହଇରାଣ ହରକତ କରାଯିବା ଶହ ଶହ ଅଭିଯୋଗ ଆସୁଛି। ଏହି ସବୁ ଅଭିଯୋଗ ମଧ୍ୟରୁ ଯେଉଁଗୁଡ଼ିକରେ ପ୍ରାଥମିକ ତଥ୍ୟ ବା ପ୍ରମାଣ ରହିଛି, ସେଗୁଡ଼ିକରେ ତ୍ୱରିତ ତଦନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍।
ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା ନୀତି କେବଳ ପୂର୍ବ ସରକାରଙ୍କ କାର୍ଯ୍ୟକଳାପ ଯାଞ୍ଚରେ ସୀମିତ ରହିଲେ ଏହାର ଉଦ୍ଦେଶ୍ୟ ନେଇ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠିବ। ସବୁବେଳେ ସବୁ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତିର କାର୍ଯ୍ୟକାରିତା ସ୍ୱାଭାବିକ ଭାବେ ଜନସାଧାରଣଙ୍କୁ ଅନୁଭବ ହେବା ଉଚିତ୍। ଅର୍ଥାତ୍ ଶାସକ ଦଳ, ବିରୋଧୀ ଦଳ, ସରକାରୀ ଅଧିକାରୀ କିମ୍ବା ପ୍ରଭାବଶାଳୀ ବ୍ୟକ୍ତି – କେହି ମଧ୍ୟ ଆଇନଠାରୁ ଉର୍ଦ୍ଧ୍ବରେ ନୁହଁନ୍ତି।
ଓଡ଼ିଆରେ କେତୋଟି ପୁରୁଣା କଥା ରହିଛି ଯଥା “ଛୁଞ୍ଚି ଓ ଚାଲୁଣି” ଏବଂ “ହାତୀ ଓ ପିମ୍ପୁଡ଼ି” ଉପାଖ୍ୟାନ। ଗଣତନ୍ତ୍ରରେ କ୍ଷମତାସୀନ ମାନେ ଏହି ଦୁଇଟି ମୂଲ୍ୟବାନ୍ କଥା ସବୁବେଳେ ମନେପକେଇବା ଉଚିତ୍। ଆଜିର ସାମାଜିକ ଗଣମାଧ୍ୟମ ଯୁଗରେ ଜନସାଧାରଣ କେବଳ ନିର୍ବାଚନ ସମୟରେ ନୁହେଁ, ପ୍ରତ୍ୟେକ ଦିନ ପ୍ରତ୍ୟେକ ମୁହୂର୍ତ୍ତରେ ସରକାରଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖୁଛନ୍ତି, ତଥ୍ୟ ଖୋଜୁଛନ୍ତି, ପ୍ରଶ୍ନ କରୁଛନ୍ତି ଏବଂ ପୂର୍ବ ପର ତୁଳନା ମଧ୍ୟ କରୁଛନ୍ତି।
ଶାସନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱର ଏକ ନୂଆ ଉଦାହରଣ ସୃଷ୍ଟି ହେଉ! ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ ହେଉ, କିନ୍ତୁ ତା’ ସହିତ ଆସୁଥିବା ସମସ୍ତ ଦୁର୍ନୀତି ଅଭିଯୋଗର ମଧ୍ୟ ତୁରନ୍ତ ଓ ନିରପେକ୍ଷ ତଦନ୍ତ ହେଉ।
ସାଧାରଣ ଜନତାଙ୍କୁ ରାଜନୈତିକ ଭାଷଣ ନୁହେଁ, ସ୍ବଚ୍ଛ ଏବଂ ଲୋକାଭିମୁଖୀ ଶାସନ ଦରକାର। ଆଶ୍ୱାସନା ନୁହେଁ, ନ୍ୟାୟ ଦରକାର। ଆଉ ଦୁର୍ନୀତି ବିରୋଧରେ ସ୍ଲୋଗାନ ନୁହେଁ, ସମୟୋପଯୋଗୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦରକାର। ପ୍ରତ୍ୟେକ ଆପତ୍ତି ଅଭିଯୋଗର ବ୍ୟାପକ ତଦନ୍ତ କ୍ଷମତା ସରକାରଙ୍କ ପାଖରେ, ତା ସହିତ ପ୍ରତିଟି ତଦନ୍ତରେ ସମ୍ପୂର୍ଣ୍ଣ ନିରପେକ୍ଷତା ପ୍ରମାଣ କରିବାର ଗୁରୁ ଦାୟିତ୍ୱ ମଧ୍ୟ ସରକାରଙ୍କର ନିଜସ୍ଵ। ଜନସାଧାରଣଙ୍କ ମତରେ ଦୁର୍ନୀତିର ତଦନ୍ତ ପ୍ରତିଶୋଧ ପାଇଁ ନୁହେଁ, ସତ୍ୟ ଓ ନ୍ୟାୟ ପାଇଁ ହେଉ। ତଦନ୍ତର ମାପକାଠି ରାଜନୈତିକ ପରିଚୟ ନୁହେଁ, ତଥ୍ୟ ଓ ପ୍ରମାଣ ହେଉ।