– ଦେଢ଼ ଲକ୍ଷ କୋଟି ଟଙ୍କାର ବଜେଟ୍
– ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଆସିଲା ଇ-ବଜେଟ୍(ପେପରଲେସ୍)
– ୧୯,୪୦୮ କୋଟି ଟଙ୍କାର କୃଷି ବଜେଟ୍
ଭୁବନେଶ୍ୱର: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଦେଢ଼ ଲକ୍ଷ କୋଟି ଟଙ୍କାର ବଜେଟ୍ ଅଟକଳ କରିଛନ୍ତି । ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ କରିବା ପାଇଁ ଅବଡ଼ା ଯୋଜନାରେ ୩,୨୦୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ଆଗାମୀ ଆର୍ଥିକ ବର୍ଷରେ ୬୯୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସେହିଭଳି ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ବିକାଶ ପାଇଁ ୭୦୦ କୋଟିର ଯୋଜନାରୁ ଆଗାମୀ ଆର୍ଥିକ ବର୍ଷ ପାଇଁ ଦେଢ଼ଶହ କୋଟି ଟଙ୍କା ଦିଆଯାଇଛି । କଟକ ଏସସିବିକୁ ବିଶ୍ୱସ୍ତରୀୟ କରିବା ଲାଗି ଦୁଇବର୍ଷରେ ହଜାର କୋଟିରୁ ଅଧିକ ଟଙ୍କାର ଖର୍ଚ୍ଚ ଯୋଜନା କରାଯାଇଛି ।
କୃଷି ପାଇଁ ସ୍ୱତନ୍ତ୍ର ବଜେଟ୍ ରେ ୧୯,୪୦୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଚାଷୀମାନଙ୍କଠାରୁ ଠିକ୍ ସମୟରେ ଧାନ ସଂଗ୍ରହ ପାଇଁ ବଜେଟ୍ ବର୍ହିଃଭୂତ ସମ୍ବଳରୁ ପ୍ରାୟ ୧୨ ହଜାର କୋଟି ଟଙ୍କା ବ୍ୟୟ କରାଯିବ । କୃଷକଙ୍କ ଆୟ ବୃଦ୍ଧି ପାଇଁ ‘ସମୃଦ୍ଧି କୃଷିନୀତି’ ଘୋଷଣା କରାଯାଇଛି । ‘କାଳିଆ’ ଯୋଜନାରେ ୩,୧୯୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଏହି ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାରଙ୍କ ୫ଟି ଆଭିମୁଖ୍ୟ ଏଥିରେ ସମ୍ପୂର୍ଣ୍ଣ ପ୍ରତିଫଳିତ ହେବା ସହ ଏକ ନୂତନ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନର ପରିକଳ୍ପନା କରାଯାଇଛି । କୃଷି ସମେତ ବିଶ୍ୱସ୍ତରୀୟ ଭିତ୍ତିଭୂମି ସୃଷ୍ଟି, ଉନ୍ନତ ସ୍ୱାସ୍ଥ୍ୟ ସେବା, ଶିକ୍ଷା ଓ ଦକ୍ଷତା ବୃଦ୍ଧିକୁ ବଜେଟ୍ ରେ ବିଶେଷ ଗୁରୁତ୍ୱ ଦିଆଯାଇଛି । କ୍ରୀଡ଼ା, ପର୍ଯ୍ୟଟନ, ସଂସ୍କୃତି ଓ ଶିଳ୍ପ କ୍ଷେତ୍ରର ବିକାଶକୁ ମଧ୍ୟ ଧ୍ୟାନ ଦିଆଯାଇଛି ।
କେଉଁଥିପାଇଁ କେତେ ଖର୍ଚ୍ଚ
ପ୍ରଶାସନିକ ବ୍ୟୟ-୬୫,୬୫୫ କୋଟି
କାର୍ଯ୍ୟକ୍ରମ ବ୍ୟୟ-୭୪,୦୦୦ କୋଟି
ବିିପର୍ଯ୍ୟୟ ପ୍ରଶମନ ବ୍ୟୟ- ୩,୨୦୦ କୋଟି
ନିକାୟ ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର- ୭,୧୪୫ କୋଟି
କେଉଁଠୁ ଆସିବ ଟଙ୍କା
ରାଜସ୍ୱ ପ୍ରାପ୍ତି-୧,୨୪,୩୦୦ କୋଟି
ଋଣ ଓ ଅନ୍ୟାନ୍ୟ ବାବଦରୁ-୨୫,୭୦୦ କୋଟି
ରାଜସ୍ୱ ବଳକା ଏହି ବଜେଟ୍ ରେ ବିତ୍ତୀୟ ନିଅଣ୍ଟ ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦନର ୩ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ।
କୃଷି ସ୍ୱତନ୍ତ୍ର ବଜେଟ୍ ରେ ୧,୮୪,୦୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆଗାମୀ ଆର୍ଥିକ ବର୍ଷରେ ୧୯୩ କୋଟି ଟଙ୍କା ବ୍ୟୟରେ ୨୦୦ ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ଲକ୍ଷ୍ୟ ରଖାଯାଇଛି । କୃଷି ଓ ଆନୁସଙ୍ଗିକ କାର୍ଯ୍ୟକ୍ରମରେ ୪୩,୨୮୨ କୋଟି ଟଙ୍କାର ଋଣ କ୍ଷମତା ସୃଷ୍ଟି କରାଯାଇ ସମବାୟ ସଂସ୍ଥା ଓ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ମାଧ୍ୟମରେ ଚାଷୀଙ୍କୁ ଋଣ ପ୍ରଦାନ କରାଯିବ । କୃଷକମାନଙ୍କୁ ସୁଧ ରିହାତି ପ୍ରଦାନ ନିମନ୍ତେ ବଜେଟ୍ ରେ ୭୦୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ ଅଧୀନରେ କୃଷକମାନଙ୍କୁ ତ୍ୱରିତ ସହାୟତା ଓ ପର୍ଯ୍ୟାପ୍ତ କ୍ଷତି ପୂରଣ ନିମନ୍ତେ ୭୦୦ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି । ମତ୍ସ୍ୟଚାଷ ଓ ପଶୁପାଳନ କ୍ଷେତ୍ରରେ ବ୍ୟବରାଦକୁ ୩୫% ବୃଦ୍ଧି କରାଯାଇ ୧୨୧୧ କୋଟି ଟଙ୍କା କରାଯାଇଛି । ଖାରଜଳ ମାଛଚାଷ, ସାମୁଦ୍ରିକ ମାଛଚାଷ, ସଘନ ଓ ଆଭ୍ୟନ୍ତରୀଣ ମାଛଚାଷର ଉନ୍ନୟନ ନିମନ୍ତେ ୧୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ପାଞ୍ଚ ବର୍ଷ ତଳେ ସ୍ୱାସ୍ଥ୍ୟ ପାଇଁ ଯେତିକି ବଜେଟ୍ ଥିଲା ଏଥର ତାହା ଦ୍ୱିଗୁଣିତ ହୋଇ ୭,୭୦୦ କୋଟିରେ ପହଞ୍ଚିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ୭୦ ଲକ୍ଷ ପରିବାରକୁ ପରିବାର ପିଛା ୫ ଲକ୍ଷ ଟଙ୍କାର ବାର୍ଷିକ ସ୍ୱାସ୍ଥ୍ୟବୀମା ଏବଂ ପରିବାରର ମହିଳା ସଦସ୍ୟାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମାକୁ ଏଥିରେ ଅର୍ନ୍ତଭୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ଅଧୀନରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ଓ ସେବା ଯୋଗାଇ ଦେବା ପାଇଁ ୫୭୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସ୍ୱାସ୍ଥ୍ୟସେବା, ଆମ୍ବୁଲାନସ୍ ଓ ଭିତ୍ତିଭୂମି ନିର୍ମାଣ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୧୬୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପରିମଳ ବ୍ୟବସ୍ଥା ଅନ୍ତର୍ଗତ ନିର୍ମଳ ଯୋଜନାରେ ୩୬୦ କୋଟି ଟଙ୍କା ଖର୍ଚ୍ଚ ହେବ । ପୁରୀ, ଯାଜପୁର, କେଉଁଝଯ, ଭବାନୀପାଟଣା, କନ୍ଧମାଳ, ସୁନ୍ଦରଗଡ଼ ଏବଂ ତାଳଚେରଠାରେ ନୂଆ ମେଡ଼ିକାଲ ସ୍ଥାପନ ପାଇଁ ୫୬୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଗୁଣାତ୍ମକ ଶିକ୍ଷା ଏବଂ ନିଯୁକ୍ତି ଉପଯୋଗୀ ଦକ୍ଷତା ବୃଦ୍ଧି ପାଇଁ ୨୨,୬୩୧ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖାଯାଇଛି । ଆଦର୍ଶ ବିଦ୍ୟାଳୟ ପାଇଁ ୪୦୦ କୋଟି, ସମଗ୍ର ଶିକ୍ଷା ଅଭିଯାନ ପାଇଁ ୩୧୫୭ କୋଟି, ମଧ୍ୟାହ୍ନ ଭୋଜନ ପାଇଁ ୮୦୦ କୋଟି ଏବଂ ଏଲପିଜି ସଂଯୋଗ ନିମନ୍ତେ ୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଭୁବନେଶ୍ୱରଠାରେ ଏକ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ ପ୍ରତିଷ୍ଠା ପାଇଁ ୨୨୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ଦିଆଯାଇଛି । ଏଥିସହ ବୈଷୟିକ ବିଶ୍ୱବିଦ୍ୟାଳୟ, ଯାନ୍ତ୍ରିକ ମହାବିଦ୍ୟାଳୟ, ପଲିଟେକନିକ୍ ଏବଂ ଆଇଟିଆଇ ଗୁଡ଼ିକର ଭିତ୍ତିଭୂମି ବିକାଶ ଲାଗି ୧୯୯ କୋଟି ଟଙ୍କାର ବ୍ୟୟବରାଦ ରହିଛି ।
ବକ୍ସି ଜଗବନ୍ଧୁ ନିଶ୍ଚିତ ଜଳଯୋଗାଣ(ବସୁଧା) ଯୋଜନାରେ ଗ୍ରାମାଞ୍ଚଳ ଜଳଯୋଗାଣ ପାଇଁ ୩୨୫୦ ଟଙ୍କା ଏବଂ ସହରାଞ୍ଚଳରେ ଜଳଯୋଗାଣ ପାଇଁ ୨୩୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଜଳଜୀବନ ମିଶନ ଅଧୀନରେ ୨୦୦୦ କୋଟି ଟଙ୍କା ଏବଂ ଜଳଯୋଗାଣ ବ୍ୟବସ୍ଥାର କାର୍ଯ୍ୟକାରିତା ଓ ରକ୍ଷଣାବେକ୍ଷଣ ପାଇଁ ୫୬୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପାଇପ୍ ଜଳଯୋଗାଣ ପ୍ରକଳ୍ପଗୁଡ଼ିକରେ ସର୍ବମୋଟ ପୁଞ୍ଜି ନିବେଶ ପରିମାଣ ରହିଛି ୮୦୦୦ କୋଟି ଟଙ୍କା ।
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଏବଂ ବିଜୁ ପକ୍କାଘର ଯୋଜନାରେ ୩୯୬୨ କୋଟି ଟଙ୍କା ଏବଂ ନଗରାଞ୍ଚଳରେ ଗୃହନିର୍ମାଣ ପାଇଁ ଆଉ ୫୧୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଶିଶୁ ବିକାଶ ଯୋଜନାର କାର୍ଯ୍ୟକାରିତା ପାଇଁ ରାଜ୍ୟ ସହାୟତା ବାବଦରେ ୪୭୪ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ବେଳେ ‘ମମତା’ ଯୋଜନା ପାଇଁ ୩୦୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ମହିଳା ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ‘ମିଶନ ଶକ୍ତି’ ଅଧୀନରେ ୭୦ ଲକ୍ଷରୁ ଉଦ୍ଧ୍ୱର୍ ମହିଳାଙ୍କ ପାଇଁ ୩୧୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଗ୍ରାମୀଣ ନିଯୁକ୍ତି, ଜୀବିକା ଏବଂ ମୌଳିକ ସେବାକୁ ବଜେଟ୍ ରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ଗ୍ରାମୀଣ ଶ୍ରମିକ ପରିବାରଙ୍କୁ ବର୍ଷରେ ଅନ୍ୟୁନ ବାଧ୍ୟତାମୂଳକ ୧୦୦ ଶ୍ରମ ଦିବସ ଯୋଗାଇ ଦେବା ନିମନ୍ତେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ୧୫୦୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଗ୍ରାମାଞ୍ଚଳ ଲୋକଙ୍କ ମଜୁରିକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ ସହାୟତା ପାଇବା ପୂର୍ବରୁ ଠିକ୍ ସମୟରେ ମଜୁରି ପୈଠ ଉଦ୍ଦେଶ୍ୟରେ ମନରେଗା ଅଧୀନରେ ମଜରି ବାବଦରେ ୫୦୦ କୋଟି ଟଙ୍କାର କର୍ପସ୍ ପାଣ୍ଠି ସୃଷ୍ଟି କରାଯାଇଛି ।
ଦୀନଦୟାଲ୍ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ୮୫୨ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ଶ୍ୟାମାପ୍ରସାଦ ମୁଖାର୍ଜୀ ରୁରବାନ ମିଶନ ନିମନ୍ତେ ୮୦ କୋଟି ଏବଂ ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ ୩୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
‘ମଧୁବାବୁ ପେନସନ ଯୋଜନା’ରେ ୧୭୧୮ କୋଟି, ଏନଏସଏପି ପାଇଁ ୯୨୮ କୋଟି ଏବଂ ଦିବ୍ୟାଙ୍ଗମାନଙ୍କ ସଶକ୍ତିକରଣ ପାଇଁ ୮୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବୃଦ୍ଧାଶ୍ରମ ପ୍ରତିଷ୍ଠା ପାଇଁ ପୂର୍ବବର୍ଷ ତୁଳନାରେ ୫ଗୁଣା ଅଧିକ ଟଙ୍କା ୧୮୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ୧,୦୩୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
୨୦୦୦ କିଲୋମିଟର ରାସ୍ତାର ଉନ୍ନତିକରଣ, ୫୦ଟି ସେତୁ ନିର୍ମାଣ ଏବଂ ୫ଟି ରେଲୱେ ଓଭରବ୍ରିଜ୍ ନିର୍ମାଣ ନିମନ୍ତେ ପୂର୍ତ୍ତବିଭାଗର ବ୍ୟୟବରାଦକୁ ୬ ହଜାର କୋଟି ଟଙ୍କା କରାଯାଇଛି । ୩ ହଜାର କିଲୋମିଟର ସଡ଼କ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ୨୫୦୦ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୨୫୭ କୋଟି ଟଙ୍କା ଏବଂ ବିଜୁ ସେତୁ ଯୋଜନାରେ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ସଡ଼କଗୁଡ଼ିକର ରକ୍ଷଣାବେକ୍ଷଣ ନିମନ୍ତେ ୩୦୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଏମର୍ଜେନ୍ସୀ ରେସପନ୍ସ ସପୋର୍ଟ ସିଷ୍ଟମ୍ ପ୍ରଚଳନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଦେଶର ବିଭିନ୍ନ ବିଭାଗର ଆପଦକାଳୀନ ହେଲପ୍ ଲାଇନ ନମ୍ବରର ସଂଯୋଗୀକରଣ କରି ତା’ ବଦଳରେ ଗୋଟିଏ ଏର୍ମଜେନ୍ସୀ ରେସପନ୍ସ ଟେଲିଫୋନ୍ ନମ୍ବର “୧୧୨”ର ବ୍ୟବସ୍ଥା କରାଯିବ । ସଙ୍କଟରେ ପଡ଼ିଥିବା ଲୋକମାନେ ଏହି ନମ୍ବରକୁ କଲ୍ କଲେ ସମାଧାନ ପାଇପାରିବେ ।
ଟ୍ରାନସଫରମେଟିଭ୍ ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ସ୍ଥାନରେ ପହଞ୍ଚିଛି । ଏହାକୁ ଆହୁରି ସୁଦୃଢ଼ କରିବା ଲାଗି ଶିଳ୍ପ ବିଭାଗର ବ୍ୟୟବରାଦକୁ ଦୁଇଗୁଣ ବଢ଼ାଇ ୫୭୫ କୋଟି ଟଙ୍କା କରାଯାଇଛି । ସେଥିରୁ ବିଶ୍ୱସ୍ତରୀୟ ଶିଳ୍ପ ଭିତ୍ତିଭୂମି ସୃଷ୍ଟି ପାଇଁ ୨୮୪ କୋଟି ଟଙ୍କା ଉପଯୋଗ କରାଯିବ । ବଳକା ପାଣ୍ଠିକୁ ଇଡ଼କୋରେ ଜମା କରାଯିବ । ୨୦୨୦ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ୍ ର ସଫଳ ଆୟୋଜନ ପାଇଁ ଇପିକଲ୍ କୁ ୭୦ କୋଟି ଟଙ୍କା ଦିଆଯିବ । ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରୁଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ) କ୍ଷେତ୍ର ଲାଗି ୨୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବିଗତ ଆର୍ଥିକ ବର୍ଷର ବ୍ୟୟବରାଦଠାରୁ ଏହା ୩୦ ପ୍ରତିଶତ ଅଧିକ ।
ଜଙ୍ଗଲ, ପରିବେଶ ତଥା ପର୍ଯ୍ୟଟନ ବିଭାଗର ବ୍ୟୟବରାଦକୁ ଦ୍ୱିଗୁଣିତ କରାଯାଇଛି । ପୁରୀ-କୋଣାର୍କ ବେଳାଭୂମିରେ ଇକୋ ରିଟ୍ରିଟ୍ ଚଳିତବର୍ଷ ଭଳି ଏଥର ପ୍ରତିବର୍ଷ ଆୟୋଜିତ ହେବ । ସମଲେଶ୍ୱରୀ ମନ୍ଦିର, ହୀରାକୁଦ ବନ୍ଧ ସମେତ ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ପୁରାତନ କୀର୍ତ୍ତିରାଜିର ଉନ୍ନତି ପାଇଁ ଏକ ନୂତନ ଯୋଜନା ନିମନ୍ତେ ପୂର୍ତ୍ତ ବିଭାଗ ଅଧୀନରେ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଶାମୁକା ବେଳାଭୂମି ଅଞ୍ଚଳରେ ନୂତନ ବିଶ୍ୱର ଅର୍ଥନୀତିକୁ ଆକୃଷ୍ଟ କରିବା ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମିର ବିକାଶ ପାଇଁ ୮୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ପୁରାତନ କୀର୍ତ୍ତିରାଜିଗୁଡ଼ିକର ରକ୍ଷଣାବେକ୍ଷଣ, ସଂରକ୍ଷଣ ଓ ସୁରକ୍ଷା ପାଇଁ ନୂତନଭାବେ ଏକ ପ୍ରତ୍ନତତ୍ତ୍ୱ ନିଦେ୍ର୍ଦଶାଳୟ ଖୋଲାଯିବ ।
ବିପର୍ଯ୍ୟୟ ପରିଚାଳନା ପାଇଁ ୩୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେଥିମଧ୍ୟରେ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି ପାଇଁ ୧୭୧୧ କୋଟି, ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠି ପାଇଁ ୧୦୦୦ କୋଟି, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୪୨୮ କୋଟି ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୪୩ କୋଟି ଉଦ୍ଦିଷ୍ଟ ।
ବିଧାୟକମାନଙ୍କ ପାଇଁ ଖୁସି ଖବର
ବିଧାୟକ ହାତପାଣ୍ଠି ତିନିଗୁଣା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଏହା ବାର୍ଷିକ ୧ କୋଟି ଥିବା ବେଳେ ଏବେ ୩ କୋଟିକୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୨ କୋଟି ଟଙ୍କା ସାଧାରଣ ଉନ୍ନୟନ କାର୍ଯ୍ୟ ଲାଗି, ୫୦ ଲକ୍ଷ ଟଙ୍କା ରାସ୍ତା କାମ ପାଇଁ ଏବଂ ୫୦ ଲକ୍ଷ ଟଙ୍କା ମହାବିଦ୍ୟାଳୟ ଶିକ୍ଷା ସମ୍ବନ୍ଧୀୟ ଉନ୍ନୟନ କାର୍ଯ୍ୟ ପାଇଁ ଖର୍ଚ୍ଚ କରାଯାଇପାରିବ । ସୂଚନାଯୋଗ୍ୟ, ବିଧାୟକ ହାତପାଣ୍ଠି ବଢ଼ାଇବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲା ।