ସ୍ନାନ, ଅଣସର ଓ ରଥଯାତ୍ରା ନେଇ ଦଇତାପତିଙ୍କ ସହ ଆଲୋଚନା
ପୁରୀ: ମହାପ୍ରଭୁଙ୍କ ଚକଡେରା ନୀତି ସମ୍ପନ୍ନ ହୋଇଛି । ଏଥିସହ ଶ୍ରୀକ୍ଷେତ୍ରରେ ଭକ୍ତିଭାବାପନ୍ନ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି ଭଉଁରୀ ଯାତ୍ରା । ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହେବାରୁ ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ହୋଇପାରି ନଥିଲା ମଧ୍ୟ ତିଥି ଅନୁସାରେ ଚକଡ଼େରା ନୀତି ସଂପନ୍ନ ହୋଇଛି । ସେପଟେ ଗାଇଡ୍ଲାଇନ୍ ଅନୁସାରେ ସ୍ନାନଯାତ୍ରା, ଅଣସର ନୀତି ଓ ରଥଯାତ୍ରା ଲାଗି ଦଇତାପତିଙ୍କୁ ନେଇ ଏକ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବାରୁ ରଥ ନେଇ ରହିଥିବା ସଂଶୟ ଦୂର ହୋଇଛି ।

ଶୁକ୍ରବାର ଘଣ୍ଟା କାହାଳୀ ବାଦ୍ୟ ସହିତ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ପରେ ରଥଖଳାର ଏକ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଥିଲା । କରୋନା କଟକଣା ଭିତରେ କାର୍ଯ୍ୟରତ ସେବାୟତମାନେ ଉତ୍ସାହିତ ହୋଇପଡ଼ିଥିଲେ । ଆଜ୍ଞାମାଳ ବିଜେ ପରେ କାଳବିଳମ୍ବ ନକରି ଆରମ୍ଭ ହୋଇଥିଲା ଚକଡେରା ନୀତି । ସେବାୟତମାନେ ତିନି ରଥର ତିନୋଟି ଅଖ ସହ ଛଅଟି ଚକ ସଂଯୋଗ କରିଥିଲେ ।
ଚଳିତବର୍ଷ ୧୨ ଦିନ ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହୋଇଥିବାରୁ ଭଉଁରୀ ତିଥିରେ ଚକଡେରା ନୀତି ସେବାୟତମାନଙ୍କ ପାଇଁ ଏକ ଚାଲେଞ୍ଜ୍ ଥିଲା । ବିନା ବିଘ୍ନରେ ଏହିନୀତି ସଂପନ୍ନ ହେବା ପରେ ରଥ ନିର୍ମାଣର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଛି । ଆଗକୁ ରଥ ନିର୍ମାଣର ସମସ୍ତ କାମ ତିଥି ଅନୁସାରେ ସଂପନ୍ନ ହୋଇ ଠିକ୍ ସମୟରେ ରଥ ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ।







