– ଛତିଶା ନିଯୋଗ ସହ ମୁଖ୍ୟ ପ୍ରଶାସକଙ୍କ ମାରାଥନ ମିଟିଂ
– ଲକ୍ ଡାଉନ୍ ନିୟମ ଭିତରେ ସମ୍ପନ୍ନ ହେବ ନୀତି
– ସାମାଜିକ ଦୂରତା ରକ୍ଷା ଦୃଷ୍ଟିରୁ ସାହାଣମେଲା ଦର୍ଶନ ବନ୍ଦ
ପୁରୀ: କରୋନା ଲକ୍ ଡାଉନ୍ ପରିପ୍ରେକ୍ଷୀରେ ଚଳିତବର୍ଷର ସ୍ନାନଯାତ୍ରା ନୀତି ନିର୍ଘଣ୍ଟରେ ପରିବର୍ତ୍ତନ କରାଯାଇଛି । ତିନି ଠାକୁରଙ୍କ ପହଣ୍ଡି ରାତି ୧ଟାରୁ ୪ଟା ମଧ୍ୟରେ ହେବ । ସ୍ନାନ ବିଧି ପାଳନ ସକାଳ ୭ଟାରୁ ସାଢ଼େ ୯ଟା ମଧ୍ୟରେ ହେବ । ଦିନ ସାଢ଼େ ୧୦ଟାରେ ଛେରାପହଁରା ନୀତି ଏବଂ ୧୧ଟାରୁ ୧୨ଟା ମଧ୍ୟରେ ଶ୍ରୀଜୀଉମାନଙ୍କର ହାତୀବେଶ ନୀତି ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ବାହୁଡ଼ା ପହଣ୍ଡି ସଂଧ୍ୟା ୫ଟାରୁ ରାତି ୮ଟା ମଧ୍ୟରେ କରାଯିବ ।
ତେବେ ପହଣ୍ଡିରେ ସାମାଜିକ ଦୂରତା ଠିକ୍ ଭାବରେ ବଜାୟ ରଖିବା କଷ୍ଟକର ହୋଇଥିବାରୁ ବିକଳ୍ପ ବ୍ୟବସ୍ଥାର ଯୋଜନା କରାଯାଉଛି । ସାହାଣମେଲା ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।

ସ୍ନାନଯାତ୍ରା ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଛତିଶା ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ଆଜି ମାରାଥନ୍ ମିଟିଂ କରିଥିଲେ । ଛତିଶା ନିଯୋଗର ମତାମତ ନିଆଯାଇ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।
ଲକ୍ ଡାଉନ୍ ନିୟମ ଭିତରେ ନୀତି ସମ୍ପନ୍ନ କରିବାକୁ ସହମତି ହୋଇଛି । ଆଲୋଚନା କାଳରେ ସମସ୍ତେ ସଅଳ ପହଣ୍ଡି ସପକ୍ଷରେ ମତ ଦେଇଥିବା ବେଳେ ଯେତେ ସଂଖ୍ୟକ ସମ୍ଭବ କମ୍ ସେବାୟତଙ୍କୁ ନେଇ ସ୍ନାନଯାତ୍ରା ସମ୍ପନ୍ନ ପାଇଁ କହିଥିଲେ । ସର୍ବନିମ୍ନ କେତେ ସେବାୟତରେ ସ୍ନାନଯାତ୍ରା କରାଯାଇପାରିବ, ମୁଖ୍ୟ ପ୍ରଶାସକ ତାହାର ତାଲିକା ମାଗିଛନ୍ତି । ଦୁଇ ଦିନ ଭିତରେ ତାଲିକା ଦେବାକୁ କୁହାଯାଇଛି । ତାଲିକା ପାଇବା ପରେ ୩୦ ତାରିଖରେ ପରିଚାଳନା କମିଟି ବୈଠକରେ ଏହା ଆଲୋଚନା ହୋଇ ଚୂଡ଼ାନ୍ତ କରାଯିବ । ଯେଉଁ ସେବକମାନଙ୍କର ଯେଉଁ ସେବା ରହିଛି ସେମାନେ ତାହା କରିବେ ବୋଲି ମୁଖ୍ୟ ପ୍ରଶାସକ ଡକ୍ଟର କୁମାର ସ୍ପଷ୍ଟ କରିଛନ୍ତି ।
ଗୋଟିଏ ପଟେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଆଗେଇ ଚାଲିଥିବା ବେଳେ ଅନ୍ୟପଟେ ପ୍ରଶାସନ ପକ୍ଷରୁ ରଥଯାତ୍ରା ପୂର୍ବ ବିଧିବିଧାନଗୁଡ଼ିକୁ ସୁଚାରୁ ରୂପେ ପାଳନ କରାଯାଉଥିବାରୁ ଚଳିତବର୍ଷ ରଥଯାତ୍ରା ନିଶ୍ଚିତ ହେବାର ଆଶା ବଢୁଛି । ଏ ଦିଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାରଙ୍କ ଉଦ୍ୟମକୁ ଭକ୍ତ ଓ ସେବାୟତମହଲରୁ ପ୍ରଶଂସା କରାଯାଇଛି ।






