ଭୁବନେଶ୍ୱର: ରାତାରାତି ହଜାର ହଜାର ସଂଖ୍ୟାରେ ମାଡ଼ିଆସିଲେ । କାହା ହାତରେ ବାଉଁଶ ଠେଙ୍ଗା ତ ଆଉ କାହା ହାତରେ ଥିଲା କାଠ ଫାଳିଆ । ସକାଳ ପାଇଲା ବେଳକୁ ରାଜଧାନୀର ମୁଖ୍ୟ ରାସ୍ତାକୁ ସେମାନେ କବଜା କରିସାରିଥିଲେ । ରାସ୍ତା ଅବରୋଧ, ଧାରଣା, ପିକେଟିଂ ଆରମ୍ଭ ହୋଇଥିଲା । ସେମାନଙ୍କ ବୋଲ ନମାନି ରାସ୍ତା ମାଡୁଥିବା ଗାଡି ଆଡକୁ ଠେଙ୍ଗା ଧରି ଗୋଡ଼ାଉଥିଲେ । ରାସ୍ତା ଜାମ୍ ଯୋଗୁଁ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଯାଇଥିବା ଅଭିଭାବକଙ୍କ ଘଣ୍ଟି ବାଜିଯାଇଥିଲା । କିଛି ଅଭିଭାବକ ଆତଙ୍କ ଖେଳାଇଥିବା ଡ୍ରାଇଭରଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ସ୍କୁଲ ଛୁଟି ପରେ ପିଲାଙ୍କ ଅବସ୍ଥା ତ ଆହୁରି ସାଂଘାତିକ ହୋଇଥିଲା । ଖରାରେ ସିଝି ସିଝି ଘଣ୍ଟାଏ ଦି ଘଣ୍ଟା ବିଳମ୍ବରେ ଘରକୁ ଫେରିଲା ବେଳକୁ ପିଲା ଶେତା ପଡ଼ିଯାଇଥିଲେ ।
କେବଳ ସ୍କୁଲ ପିଲା କାହିଁକି, ଡାକ୍ତରଖାନା ଯାଉଥିବା ରୋଗୀ, ଅଫିସ୍ ଯାଉଥିବା ଚାକିରିଆ, ଦୋକାନ ଖୋଲିବାକୁ ଯାଉଥିବା ବ୍ୟବସାୟୀ ଏବଂ ସଉଦା ପାଇଁ ଘରୁ ବାହାରିଥିବା ସାଧାରଣ ଜନତାଙ୍କର ଆଜି ଏଭଳି ହୀନସ୍ତା ଦୃଶ୍ୟ ରାଜଧାନୀରେ ଦେଖିବାକୁ ମିଳିଥିଲା । ରାଜମହଲରୁ ବାଣୀବିହାର, ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାରେ ଯମ ଯନ୍ତ୍ରଣା ଭୋଗିଥିଲେ ଲୋକେ । ଗଳି କନ୍ଦି ସବୁଆଡ଼େ ରାସ୍ତା ଜାମ୍ ହୋଇଥିଲା । ଦୁଇ କିଲୋମିଟର ଦୂର ଅଫିସ୍ କି ଘର ଯିବା ପାଇଁ ୧୦ କିଲୋମିଟର ବୁଲିବାକୁ ପଡୁଥିଲା । ତାହାପୁଣି ଗଣ୍ଡା ଗଣ୍ଡା ଟ୍ରାଫିକ୍ ଛକ କିମ୍ବା କଟିଂରେ ଦୀର୍ଘ ସମୟ ସିଝିଲା ପରେ ।
ରାଜଧାନୀ ମୁଖ୍ୟ ରାସ୍ତା କବଜାକୁ ନେଇ ଲୋକଙ୍କୁ ଅକଥନୀୟ ଦୁର୍ଦ୍ଦଶାରେ ପକାଇଥିବା ଏହି ଆନ୍ଦୋଳନକାରୀମାନେ ଥିଲେ ଡ୍ରାଇଭର । ଓଡ଼ିଶା ଡ୍ରାଇଭର ମହାସଂଘର ସେମାନେ ସଦସ୍ୟ । ରାଜଧାନୀକୁ ୩୦ ହଜାର ଡ୍ରାଇଭର ଆସିଥିଲେ ବୋଲି ଡିସିପି ସୂଚନା ଦେଇଛନ୍ତି । ସୁରକ୍ଷା, ଦୁର୍ଘଟଣା ବୀମା, ଆର୍ଥିକ ସହାୟତା ଆଦି ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ । ରାଜ୍ୟର ୩୦ଟି ଯାକ ଜିଲ୍ଲାର କୋଣ ଅନୁକୋଣରୁ ସେମାନେ ରାଜଧାନୀ ଆସିଥିଲେ । ତାହାପୁଣି ଅଘୋଷିତ । ମହାସଂଘ ପକ୍ଷରୁ ପୂର୍ବରୁ ଏଥିପାଇଁ କୌଣସି ସୂଚନା ଦିଆଯାଇ ନ ଥିଲା ।
ଦୂରଦୂରାନ୍ତରୁ ଗାଡ଼ି ମଟର ଧରି ଆସିଥିବା ଡ୍ରାଇଭରମାନେ ଭୁବନେଶ୍ୱରକୁ ରାତାରାତି କବଜା କଲା ବେଳକୁ ପୁଲିସ ବୋଧେ ଶୋଇ ପଡ଼ିଥିଲା । କାରଣ ସକାଳୁ ସକାଳୁ ସେଭଳି ପୁଲିସ ବ୍ୟବସ୍ଥା କୌଣସି ଜାଗାରେ ଦେଖିବାକୁ ମିଳି ନ ଥିଲା । ନିୟମିତ ଡ୍ୟୁଟିରେ ଥିବା ହାତଗଣତି ପୁଲିସ ସେମାନଙ୍କ ରୋବାବ୍ କୁ ବୋକା ଭଳି ଚାହିଁଥିଲେ । ପୂର୍ବ ପ୍ରସ୍ତୁତି ନ ଥିବାରୁ ପ୍ରବଳ ଜାମ୍ ରେ ଲୋକେ ଛଟପଟ ହୋଇଥିଲେ ମଧ୍ୟ ପୁଲିସ ହାତ ଟେକି ଦେଇଥିଲା । କିଛି ଜାଗାରେ ଭିଡ଼ ଭିତରେ ଆମ୍ବୁଲାନସ୍ ଫସିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।
ପ୍ରଶ୍ନ ଉଠୁଛି, ଡ୍ରାଇଭରଙ୍କ ଅଘୋଷିତ ଆନ୍ଦୋଳନ ଏବଂ ସେମାନଙ୍କର ଗତିବିଧି ସମ୍ପର୍କରେ ରାଜ୍ୟ ସରକାର କି କମିଶନରେଟ୍ ପୁଲିସ ପାଖରେ ଗୁଇନ୍ଦା ସୂଚନା ଥିଲା ତ? ଯଦି ଥିଲା, ଭୁବନେଶ୍ୱର ପ୍ରବେଶ ପଥରେ ସେମାନଙ୍କୁ ଅଟକା ଗଲା ନାହିଁ କାହିଁକି? ସେଥିପାଇଁ ପର୍ଯ୍ୟାପ୍ତ ପୁଲିସ ବନ୍ଦୋବସ୍ତ କରାଗଲା ନାହିଁ କାହିଁକି? ଗୁଇନ୍ଦା ସୂଚନା ଥିଲେ ରାଜଧାନୀବାସୀଙ୍କୁ କ’ଣ ଏମିତି ଏଭଳି କଲବଲ ହେବାକୁ ପଡ଼ିଥାନ୍ତା କି ବୋଲି ସହରର ବୁଦ୍ଧୀଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସୂଚନାଥାଉକି, ଦୀର୍ଘ ୫ ଘଣ୍ଟା ଧରି ଡ୍ରାଇଭରମାନେ ମାଷ୍ଟରକ୍ୟାଣ୍ଟିନ୍ ରେ ରାସ୍ତା ଅବରୋଧ କଲା ପରେ ରାଜ୍ୟ ସରକାର ଆଲୋଚନା ପାଇଁ ଡାକିଥିଲେ । ଡ୍ରାଇଭର ମହାସଂଘର କର୍ମକର୍ତ୍ତାଙ୍କ ସହ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଆଲୋଚନା କରିଥିଲେ । ଡ୍ରାଇଭରମାନଙ୍କ ଦାବି ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ କମିଟି କରାଯିବ ଏବଂ ୩ ମାସରେ ସେମାନଙ୍କ ଦାବି ଉପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।
ତେବେ ଆଲୋଚନାକୁ ନେଇ ଡ୍ରାଇଭର ମହାସଂଘ ଦୁଇ ଭାଗ ହୋଇଯାଇଛି । ମହାସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲି ଆନ୍ଦୋଳନ ପ୍ରତ୍ୟାହାର ହେଲା ବୋଲି ଘୋଷଣା କରିଥିଲା ବେଳେ ସମ୍ପାଦକ ଚୈତନ୍ୟ ପ୍ରଧାନ ଆଜି ପାଇଁ ଆନ୍ଦୋଳନ ବନ୍ଦ ରହିଲା ବୋଲି କହିଛନ୍ତି । ଆସନ୍ତାକାଲିଠାରୁ ଡ୍ରାଇଭରମାନେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବେ ବୋଲି ସେ ଘୋଷଣା କରିଛନ୍ତି ।