ଭୁବନେଶ୍ୱର: ଭୁବନେଶ୍ୱର ଆରଟିଓ ଅଫିସ ନିକଟସ୍ଥ ଓମଫେଡ୍ ବୁଥ୍ ରେ ଚା’ ବିକୁଥିବା ଦୋକାନୀ ଶିବଶଙ୍କର ଜେନା ନିଜ ରୋଜଗାରରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୮ ହଜାର ୩୫୦ ଟଙ୍କା ଦାନ କରିଛନ୍ତି । ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭେଟି ଏହି ରାଶିର ଚେକ୍ ପ୍ରଦାନ କରିଥିଲେ ।
ଏହି ଅବସରରେ ଶିବଶଙ୍କର କହିଥିଲେ, ସେ ଜଣେ କୋଭିଡ୍ ଯୋଦ୍ଧା ଭାବେ କାର୍ଯ୍ୟ କରିଥିଲେ । ପ୍ରଥମ ଅବସ୍ଥାରେ ଆବିଷ୍କୃତ ହେଉଥିବା ଟିକାର ପରୀକ୍ଷାତ୍ମକ ପ୍ରୟୋଗ ନିଜ ଉପରେ କରାଇବା ପାଇଁ ସେ ସ୍ୱେଚ୍ଛାକୃତ ଭାବେ ଆଗଭର ହୋଇଥିଲେ । ଟିକା ନେବା ପୂର୍ବ ଏବଂ ପରେ ବିଭିନ୍ନ ପ୍ରକାର ଡାକ୍ତରୀ ପରୀକ୍ଷା ପାଇଁ ମଧ୍ୟ ସେ ସମ୍ ହସ୍ପିଟାଲ୍ କୁ ଯିବା ଆସିବା କରୁଥିଲେ । ଏହି ଖର୍ଚ୍ଚ ବାବଦରେ ତାଙ୍କୁ ୬ହଜାର ୭୫୦ ଟଙ୍କା ମିଳିଥିଲା । ଟିକା ପରୀକ୍ଷଣ ସଫଳ ହେବାରୁ ସେ ବହୁତ ଆନନ୍ଦିତ ହେବା ସହ ଆତ୍ମସନ୍ତୋଷ ଲାଭ କରିଥିଲେ ।
ସେହି ରାଶି ସହ ଚା’ ବେପାରରୁ ମିଳିଥିବା ୧ ମାସର ଲାଭ ମିଶାଇ ଶିବଶଙ୍କର ସମୁଦାୟ ୧୮ ହଜାର ୩୫୦ ଟଙ୍କା ର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଥିବା କହିଛନ୍ତି । ପ୍ରତିବର୍ଷ ଦୋକାନରୁ ୧ ମାସର ରୋଜଗାର ସେ କୌଣସି ନା କୌଣସି ଅଭାବଗ୍ରସ୍ତ, ଦିବ୍ୟାଙ୍ଗ ଓ ନିଃସହାୟଙ୍କ ସହାୟତା ବା ସମାଜ କଲ୍ୟାଣ କାମରେ ବିନିଯୋଗ କରିଥାନ୍ତି । ବିଗତ ୧୦ ବର୍ଷ ଧରି ସେ ଏ ପ୍ରକାର ମାନବିକ ସେବା କାର୍ଯ୍ୟ କରୁଥିବା ତାଙ୍କୁ ଜାଣିଥିବା ଲୋକମାନେ କହିଛନ୍ତି ।
ଶିବଶଙ୍କରଙ୍କ ଏଭଳି ପରୋପକାରୀ ଓ ମାନବିକତାପୂର୍ଣ୍ଣ କାର୍ଯ୍ୟ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସ।ଧୁବାଦ ଜଣାଇବା ସହ ତାଙ୍କର ଉତ୍ତୋରତ୍ତେର ମଙ୍ଗଳ କାମନା କରିଥିଲେ । ଚେକ୍ ପ୍ରଦାନ ସମୟରେ ବିଧାୟକ ଅନନ୍ତ ନାରାୟଣ ଜେନା ଓ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଉପସ୍ଥିତ ଥିଲେ ।