ଭୁବନେଶ୍ୱର: ଅସହ୍ୟ ତାତି ସାଙ୍ଗକୁ ଘନ ଘନ ବିଜୁଳିକାଟରେ ଆଉଟୁ ପାଉଟୁ ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଏଭଳି ସମୟରେ ବିଜୁଳିକାଟ ନ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଦ୍ୟୁତ ବିତରଣ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣକୁ ନିଶ୍ଚିତ କରିବାକୁ କହିଛନ୍ତି ।
ଖରା ତାତି ବୃଦ୍ଧି ଓ ପିଲାଙ୍କ ପରୀକ୍ଷା ବେଳକୁ ବିଜୁଳିକାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ସହରାଞ୍ଚଳରେ ଘୋଷିତ ବିଜୁଳିକାଟ ଯନ୍ତ୍ରଣାଠାରୁ ଗ୍ରାମାଞ୍ଚଳରେ ଅଘୋଷିତ ବିଜୁଳିକାଟ ଯନ୍ତ୍ରଣା ବହୁ ଗୁଣରେ ବଢ଼ିଯାଇଛି । ବାହାରର ପ୍ରବଳ ଖରା ଓ ଝାଞ୍ଜି ପବନରୁ ରକ୍ଷା ପାଇବା ପାଇଁ ଲୋକେ ଡ଼ହଳ ବିକଳ ହେଉଛନ୍ତି । ବିଜୁଳି ରହୁ ନ ଥିବାରୁ ଘରେ ପଙ୍ଖା ବୁଲୁନାହିଁ । ଲୋକଙ୍କୁ ଏହି ଦୁର୍ଦ୍ଦଶାକୁ ମୁକ୍ତି ଦେବା ପାଇଁ ରାଜ୍ୟ ସରକାର ବିଳମ୍ବରେ ଚେତିଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ବିଦ୍ୟୁତ ଉତ୍ପାଦନ ଓ ବଣ୍ଟନ ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।
ବୈଠକ ପରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, ବିଦ୍ୟୁତ ଯୋଗାଣରେ ଯାହା ବି ସମସ୍ୟା ରହିଛି ତାହା ସାମୟିକ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଦ୍ୟୁତ ଚାହିଦା ବଢ଼ୁଛି । ପିକ୍ ସମୟରେ ୧୦ ପ୍ରତିଶତ ଅଧିକ ବିଦ୍ୟୁତ ଚାହିଦା ବଢ଼ୁଛି । ତେବେ ଦିନବେଳା ବିଦୁ୍ୟତ ଯୋଗାଣରେ କୌଣସି ଅସୁବିଧା ନ ହେଉ ଏଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି । ସବୁ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାକୁ କୋଇଲା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଜଳବିବିଦ୍ୟୁତ ଉତ୍ପାଦନ କ୍ଷମତା ପାଖାପାଖି ୨୧୦୦ ମେଗାୱାଟ୍ ଥିବା ବେଳେ ତାହାର ୩୩% ବିଦ୍ୟୁତ ଉତ୍ପାଦନ କରାଯାଉଛି । ସେହିଭଳି ତାପଜ ବିଦ୍ୟୁତ କ୍ଷେତ୍ରରେ ମୋଟ ଉତ୍ପାଦନ କ୍ଷମତା ୨୨୦୦ ମେଗାୱାଟ୍ ଥିବା ବେଳେ ଏବେ ପ୍ରାୟ ୯୦୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ କରାଯାଉଛି । ସିଜିପି, କେନ୍ଦ୍ରୀୟ ସୂତ୍ରରୁ ଆସୁଥିବା ବିଦ୍ୟୁତ ସବୁକୁ ମିଶାଇଲେ ବି ପିକ୍ ଆୱାର୍ ଚାହିଦା ପୂରଣ କଷ୍ଟକର ହୋଇପଡ଼ିଛି । ବର୍ତ୍ତମାନ ପିକ୍ ଆୱାର୍ ରେ ୫ ହଜାର ମେଗାୱାଟ୍ ରୁ ଅଧିକ ବିଦ୍ୟୁତ ବ୍ୟବହାର ହେଉଛି ।
୩ ଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ ଟିପିସିଓଡିଏଲ୍ ସିଇଓ ଶ୍ରୀ ସେନବାଗମ୍ ରାଜ୍ୟରେ ପାୱାରକଟ୍ କଥାକୁ ସ୍ୱୀକାର କରିଥିଲେ । ଖରାଦିନ କାରଣରୁ ବିଦ୍ୟୁତ ଚାହିଦା ବୃଦ୍ଧି ପାଇଥିବା ବେଳେ ଜଳ ଅଭାବରୁ ୩୦୦ ମେଗାୱାଟ୍ କମ ଉତ୍ପାଦନ ହେଉଛି । ତାପଜଶକ୍ତି ଉତ୍ପାଦନରେ ମଧ୍ୟ ସାମୟିକ ବାଧା ଉପୁଜିଛି । ଏଥିସହ ଲୋ ଭୋଲଟେଜ୍ କୁ ମରାମତି କରିବା ପାଇଁ ଆବଶ୍ୟକତା ଦୃଷ୍ଟିରୁ ବିଜୁଳିକାଟ କରାଯାଉଥିବା ସେ କହିଥିଲେ । ଅସ୍ଥାୟୀ ଭାବେ ଦୈନିକ ୪୫ ମିନିଟ୍ ପର୍ଯନ୍ତ ବିଜୁଳିକାଟ୍ ହେଉଥିବା ମାନିଥିଲେ ।