ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ମାହୋଲ୍ କୁ ଉଷ୍ଣ କରିଛି ପ୍ରଧାନମନ୍ତ୍ରୀ ଫସଲ ବୀମା ରାଜନୀତି । ଏହି ପ୍ରସଙ୍ଗକୁ ଆଳ କରି ବିଜେପି ଗତକାଲି ନାମାଙ୍କନ ଭରି ନ ଥିଲା । ବହୁ ଆଡମ୍ବରରେ ନାମାଙ୍କନ ଭରିବାକୁ ଯାଇ ଉପଜିଲ୍ଲାପାଳଙ୍କ ଅଫିସ ଦ୍ୱାରରୁ ପ୍ରାର୍ଥୀ ଫେରି ଆସିଥିଲେ । ଏହିକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ରାଜନୀତି ଅଙ୍କ ଜଣାଇବା ପରେ ସେ ଟୁଇଟ୍ କରି ପଦ୍ମପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପ୍ରତି ଦରଦ ଦେଖାଇଛନ୍ତି ।
ତେବେ କେନ୍ଦ୍ରମନ୍ତ୍ରୀଙ୍କ ଟୁଇଟ୍ କୁ ବୁମେରାଂ କରିଛି ବିଜେଡି । ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ୍ ପାତ୍ର କହିଛନ୍ତି ଯେ ତୋମାରଙ୍କ ଟୁଇଟ୍ ରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ, ଏଯାଏ ଏହା କେନ୍ଦ୍ର ସରକାର ହିଁ ଦେଇ ନ ଥିଲେ । ତେଣୁ ଏବେ ଚାଷୀଙ୍କୁ ବୀମା ରାଶି ପ୍ରଦାନ କରିବାକୁ କେନ୍ଦ୍ର କୃଷିମନ୍ତ୍ରୀ ବୀମା କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଉଛନ୍ତି ।
ଡ. ପାତ୍ର କହିଛନ୍ତି, ଚଳିତବର୍ଷ ଅଗଷ୍ଟ ୨୯ରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ କରିବାକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଆଉ ନଭେମ୍ବର ୭ରେ ବୈଷୟିକ ପରାମର୍ଶଦାତା କମିଟି ଏ ନେଇ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହାର ଦୁଇ ଦିନ ପରେ ନଭେମ୍ବର ୯ ତାରିଖ ଦିନ ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ସାକ୍ଷାତ କରି ତୁରନ୍ତ ରାଜ୍ୟର ବଞ୍ଚିତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ।
କେନ୍ଦ୍ର କୃଷିମନ୍ତ୍ରୀ ଭଲ ଭାବେ ଜାଣିଛନ୍ତି ଯେ ଏହି ବୀମା ରାଶି ପ୍ରଦାନ ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେବା ପରେ ଏହା ପ୍ରଦାନ କରିବା ବୀମା କମ୍ପାନୀଗୁଡ଼ିକର କାମ । ଏଥିରେ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନାହିଁ । ଯଦି କେନ୍ଦ୍ର ସରକାର ପୂର୍ବରୁ ଏହି ନିଷ୍ପତ୍ତି ନେଇଥାନ୍ତେ, ତେବେ ବରଗଡ଼ ଜିଲ୍ଲା ଏବଂ ପଦ୍ମପୁର ନିର୍ବାଚନମଣ୍ଡଳୀର ହଜାର ହଜାର ଚାଷୀଙ୍କୁ ଏତେ ଦିନ ଧରି ଦୁର୍ଦ୍ଦଶାରେ କାଳ କାଟିବାକୁ ପଡ଼ିନଥାନ୍ତା ।
କେବଳ ପଦ୍ମପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ବକେୟା ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ନୁହେଁ, କେନ୍ଦ୍ର କୃଷିମନ୍ତ୍ରୀ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଫସଲ ବୀମା ରାଶି ପ୍ରଦାନର ବ୍ୟବସ୍ଥା କରନ୍ତୁ । କାରଣ ଦୀର୍ଘ ଦିନ ହେଲା ସେମାନେ ମଧ୍ୟ ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି ଡ. ପାତ୍ର କହିଛନ୍ତି ।