ଭୁବନେଶ୍ୱର: ଓଡ଼ିଶାର ଜିଲ୍ଲା ତାଲିକାରେ ଯୋଡି ହେବ ପଦ୍ମପୁର । ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ କ୍ରିୟାନୁଷ୍ଠାନ କମିଟିର ବୈଠକ ହୋଇଥିଲା । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏଥିରେ ଉପସ୍ଥିତ ଥିଲେ । ବୈଠକରେ ପଦ୍ମପୁର ଜିଲ୍ଲା ନେଇ ମୁଖ୍ୟମନ୍ତ୍ରୀ ଠୋସ୍ ପ୍ରତିଶ୍ରୁତି ଦେଇଥିବା କ୍ରିୟାନୁଷ୍ଠାନ କମିଟି ଆବାହକ ଉମେଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।
୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ । ବିଜେଡି ତାର ଉପନିର୍ବାଚନ ଇସ୍ତାହାରରେ ଏହା ସ୍ଥାନିତ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ, ବିଜେଡି ତାର ଇସ୍ତାହାରରେ ଏହା ସ୍ଥାନିତ କରିବା ପରେ ଯାଇ ଆନ୍ଦୋଳନ ହଟିବ ବୋଲି ଶ୍ରୀ ସାହୁ କହିଛନ୍ତି ।
ବରଗଡ଼ ଜିଲ୍ଲାର ପଦ୍ମପୁର, ବିଜେପୁର, ଗାଇସିଲଟ, ପାଇକମାଳ, ଝାରବନ୍ଧ ଏବଂ ସୋହେଲାକୁ ନେଇ ପଦ୍ମପୁର ଜିଲ୍ଲା ଗଠନ ପାଇଁ ବହୁ ଦିନ ତଳୁ ଦାବି ହୋଇ ଆସୁଛି । ଏବେ ଉପନିର୍ବାଚନ ଆସିଥିବାରୁ ଜିଲ୍ଲା ଦାବି ଆନ୍ଦୋଳନ ଜୋର ଧରିଛି । ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଆଶା କରାଯାଉଛି ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ ବୋଲି ସମାଲୋଚନା କରିଛନ୍ତି ବିରୋଧୀ ଦଳ । ଉପନିର୍ବାଚନକୁ ଆଖିରେ ରଖି ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଏହି ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ସେମାନେ କଟାକ୍ଷ କରିଛନ୍ତି ।





