ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ବିବାହ ଖବର ସୋସିଆଲ୍ ମିଡ଼ିଆରେ ଛାଇ ହୋଇ ରହିଥିଲା ବେଳେ ଆଉ ଦୁଇ ଜିଲ୍ଲାପାଳଙ୍କ ବିବାହ ଖବର ସାମନାକୁ ଆସିଛି । ସେମାନେ ହେଲେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂହ ଏବଂ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଆସନ୍ତା ସପ୍ତାହରେ ବାରାଣସୀରେ ଦୁହିଁଙ୍କର ହାତଗଣ୍ଠି ପଡ଼ିବ । ଅନନ୍ୟା-ଚଞ୍ଚଳଙ୍କ ଭଳି ସ୍ୱଧା-ସମର୍ଥଙ୍କର ଏହା ଦ୍ୱିତୀୟ ବିବାହ ହେବ ।
ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ପ୍ରଥମ ବିବାହ କରିଥିଲେ ସ୍ୱଧାଦେବ ସିଂହ । ମାତ୍ର ଏହି ଆଇଏଏସ ଯୋଡ଼ିଙ୍କର ବୈବାହିକ ସମ୍ପର୍କ ତିଷ୍ଠି ପାରି ନ ଥିଲା । ସେମାନେ ଛାଡ଼ପତ୍ର ଦେଇଥିଲେ । ଅନ୍ୟପକ୍ଷରେ ଭାରତୀୟ ରେଳବାଇ ଅଧିକାରୀ ସୂଚୀ ସିଂହଙ୍କୁ ପ୍ରଥମ ବିବାହ କରିଥିଲେ ସମର୍ଥ ବର୍ମା । ମାତ୍ର ବିବାହର କିଛି ଦିନ ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ସେମାନେ ଅଲଗା ହୋଇଯାଇଥିଲେ । ସୂଚୀ ଝାଡଖଣ୍ଡର ଜଣେ ଆଇଏଏସ୍ ଅଫିସରଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।
ପ୍ରଥମ ବୈବାହିକ ଜୀବନରେ ଅସଫଳ ହୋଇଥିବା ସମର୍ଥ ଏବଂ ସ୍ୱଧାଦେବଙ୍କ ମଧ୍ୟରେ ନିବିଡ଼ତା ସୃଷ୍ଟି ହୋଇ ଏବେ ତାହା ବିବାହ ବନ୍ଧନରେ ପରିଣତ ହେବାକୁ ଯାଉଛି । ବାରାଣସୀରେ ବିବାହ ଉତ୍ସବର ଆୟୋଜନ କରାଯାଇଛି । ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ବିବାହ ପାଇଁ ଛୁଟି ନେଇ ସାରିଲେଣି । ଦିଲ୍ଲୀରେ ରହୁଥିବା ତାଙ୍କ ପରିବାର ସହ ସେ ବିବାହ ଆୟୋଜନରେ ବ୍ୟସ୍ତ ଅଛନ୍ତି । ସେହିଭଳି ପୁରୀ ଜିଲ୍ଲାପାଳ ସମର୍ଥ ମଧ୍ୟ ସୋମବାରଠାରୁ ଛୁଟି ନେଉଛନ୍ତି । ଆସନ୍ତାକାଲି ପୁରୀରେ ରଥଯାତ୍ରା ସମ୍ପର୍କିତ ବୈଠକରେ ଯୋଗ ଦେଇସାରି ସେ ବାରାଣାସୀ ଯାତ୍ରା କରିବେ ।
ସୂଚନାଯୋଗ୍ୟ, ଆସାମ ଗୌହାଟୀର ଏକ ପଞ୍ଚତାରକା ହୋଟେଲରେ ଅନନ୍ୟା ଦାସ ଏବଂ ଚଞ୍ଚଳ ରାଣାଙ୍କ ମଧ୍ୟରେ ନଗଦ ହାତଗଣ୍ଠି ପଡ଼ିଛି । ତିନି ଦିନ ଧରି ବଡ଼ ଧୂମଧାମରେ ବିବାହ ପର୍ବ ଅନୁଷ୍ଠିତ ହୋଇଥିଲା । ବିବାହ ପର୍ବରେ ଏହି ଆଇଏଏସ୍ ଯୋଡିଙ୍କର ଡ୍ୟାନସ୍ ଭିଡିଓ ସାରା ଦେଶରେ ଭାଇରାଲ୍ ହୋଇଛି ।