ଭୁବନେଶ୍ୱର : ବେଲଜିୟମ ଗସ୍ତରେ ଥିବା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ସେଠାରେ ପ୍ରବାସୀ ଓଡିଆମାନଙ୍କ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇଛନ୍ତି । ବ୍ରୁସଲେସ ସହରର ସିଟି ସେଣ୍ଟର ଠାରେ ପ୍ରବାସୀ ଓଡିଆ ଦ୍ୱାରା ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ବେଲଜିୟମରେ ରହୁଥିବା ପ୍ରବାସୀ ଓଡିଆମାନେ ଏବେ ବି ନିଜ ଜନ୍ମାମାଟି ପ୍ରତି ଆବେଗ ରଖିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାର ସାମଗ୍ରିକ ବିକାଶ ଆଜି ବିଶ୍ୱ ମାନଚିତ୍ରରେ ଓଡିଶାକୁ ପରଚିତ କରାଇପାରିଛି । ଏ କ୍ଷେତ୍ରରେ ପ୍ରବାସୀ ଓଡିଆମାନଙ୍କର ମଧ୍ୟ ବଡ ଅବଦାନ ରହିଛି । ଏଥି ସହିତ ପ୍ରବାସୀ ଓଡିଆମାନଙ୍କ ପାଇଁ ଓଡିଶା ସରକାର ଗ୍ରହଣ କରିଥିବା ସ୍ୱତନ୍ତ୍ର ପଦକ୍ଷେପ, ଓଡିଶା ମୋ ପରିବାର ଏବଂ ମିଶନ ଶକ୍ତିର ସଫଳତା ଆଦି ସମ୍ପର୍କରେ ସେ ସୂଚନା ଦେଇଥିଲେ । ଏଥିସହ ବିଦେଶରେ ରହୁଥିବା ପ୍ରବାସୀ ଓଡିଆମାନେ ଓଡିଶାର ଏହି ବିକାଶ ଧାରାରେ ନିଜକୁ ସାମିଲ କରିବାପାଇଁ ଶ୍ରୀ ନାୟକ ସେମାନଙ୍କୁ ଆହ୍ୱାନ ଦେଇଥିଲେ ।







