ଭୁବନେଶ୍ୱର: ଦଳବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସର ଦୁଇ ବରିଷ୍ଠ ନେତା ମହମ୍ମଦ ମୋକିମ୍ ଏବଂ ଚିରଞ୍ଜୀବ ବିଶ୍ୱାଳ ଦଳରୁ ସସପେଣ୍ଡ ହୋଇଛନ୍ତି । ଦଳର କିଛି ନେତା ତାଙ୍କ ବିରୋଧରେ ଚକ୍ରାନ୍ତ କରିଥିବା ମୋକିମ୍ ଗତକାଲି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ । ଆଜି ଚିରଞ୍ଜୀବ ଏକ ସାମ୍ବାଦିକ ସମ୍ମିଳନୀରେ ସମାନ କଥା ଉଠାଇଛନ୍ତି । କଂଗ୍ରେସରେ କୁଚକ୍ରୀ ଗୋଷ୍ଠୀ ମାତିଛନ୍ତି ବୋଲି କହିଛନ୍ତି । ଉଭୟ ନେତା ଏହି କୁଚକ୍ରୀଙ୍କ ନାଁ ନେଇ ନ ଥିଲେ ମଧ୍ୟ ଇଙ୍ଗିତ ଯାଉଛି ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ।
ଆଜିର ସାମ୍ବାଦିକ ସମ୍ମିଳନୀରେ ଚିରଞ୍ଜୀବ ତାଙ୍କ ବିରୋଧରେ ଅଣାଯାଇଥିବା ଦଳବିରୋଧୀ କାର୍ଯ୍ୟକୁ ଖଣ୍ଡନ କରିଛନ୍ତି । ତାଙ୍କର ସଫେଇ ହେଉଛି, ମେ ୮ ତାରିଖରେ ଭୁବନେଶ୍ୱରର ଜୟଦେବ ଭବନରେ ” ଜାନକୀବାବୁ ଓ ବସନ୍ତବାବୁଙ୍କ ଯୋଡି: ଓଡିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ବିଷୟବସ୍ତୁ ଉପରେ ଅନୁଷ୍ଠିତ ସେମିନାରରେ କଂଗ୍ରେସକୁ ସୁଦୃଢ଼ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ନେତା ଓ କର୍ମୀମାନେ ତୃଣମୂଳସ୍ତରରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହା ଦଳବିରୋଧୀ କାର୍ଯ୍ୟ କିଭଳି ହେଲା ଏବଂ ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ମୁଁ କେମିତି ଦାୟୀ ହେବି ବୋଲି ପ୍ରଶ୍ନ କରିଛନ୍ତି ।
ଉଲ୍ଲେଖଥାଉକି, ଚିରଞ୍ଜୀବ ମେ ୮ ତାରିଖ ଯେଉଁ ସେମିନାର କଥା ଉଲ୍ଲେଖ କରିଛନ୍ତି ତାହା ହିଁ ତାଙ୍କୁ କଂଗ୍ରେସର ଅସନ୍ତୁଷ୍ଟ ନେତା ଭାବେ ପଦାକୁ ଆଣିଥିଲା । କାରଣ ଗତ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇ କଂଗ୍ରେସର ବିଦ୍ରୋହୀ ନେତାର ମାନ୍ୟତା ପାଇଥିବା ବିଧାୟକ ମହମ୍ମଦ ମୋକିମ୍ ଏହି ସେମିନାରର ଆୟୋଜନ କରିଥିଲେ । ଚିରଞ୍ଜୀବ ଏହାର ସହ- ଆୟୋଜକ ଥିବା ଚର୍ଚ୍ଚା ହୋଇଥିଲା । ଅତୀତରେ କଂଗ୍ରେସରୁ ତଡ଼ା ଖାଇଥିବା ସୌମ୍ୟରଂଜନ ପଟ୍ଟନାୟକ ମଞ୍ଚାସୀନ ଥିଲେ । ମଞ୍ଚ ତଳ ଆଗଧାଡ଼ିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବସିଥିଲେ । ପାଖରେ ଜାନକୀ ବାବୁଙ୍କ ପୁଅ ପୃଥ୍ୱୀରାଜ ଏବଂ ସୁର ରାଉତରାୟଙ୍କୁ ସାନପୁଅ ମନ୍ମଥ ବସିଥିଲେ ।
ମଞ୍ଚରେ ଭାଷଣ ଦେଇଥିବା ମୋକିମ୍, ଚିରଞ୍ଜୀବ, ସୌମ୍ୟ, ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଏବେକାର କଂଗ୍ରେସ ନେତୃତ୍ୱ ବିରୋଧରେ ଝାଡ଼ି ହୋଇଥିଲେ । କଂଗ୍ରେସ ଏଠି ଉଧେଇବ ନାହିଁ ବୋଲି ଜଣାଇ ଦେଇଥିଲେ ।
ଚିରଞ୍ଜୀବ ତାଙ୍କ ଭାଷଣରେ ଅବିକଳ ଏୟା କହିଥିଲେ…
କଂଗ୍ରେସରେ ନେତୃତ୍ୱ ଓ ଲଢ଼ୁଆ ମନବୃତ୍ତିର ଅଭାବ ଦେଖାଦେଇଛି । ଦଳ ପ୍ରତି ଆକୃଷ୍ଟ ହୋଇ ଗୋଟିଏ ବି ଯୁବକ ଆସୁନାହାନ୍ତି । ଏଠି ବିଚିତ୍ର ଅବସ୍ଥା ଦେଖିବାକୁ ମିଳୁଛି । ଯେମିତିକି ଜଣେ ସଂଗଠନ କରିବ, ଆଉ ଜଣେ ଟିକେଟ ପାଇବ । ପିସିସି ସଭାପତି ଯିଏ ହେବ ସେ କାହାରିକୁ ପଚାରିବେ ନାହିଁ । ଦଳରେ ଏବେ ୯ ବିଧାୟକ । ହେଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ୨୦ ଜଣ । ୯ ରୁ ପୁଣି ୯୦ ବିଧାୟକ? ଆସନ୍ତା ନିର୍ବାଚନରେ ୧୪୭ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଦେଇପାରିବନି ବୋଲି କଟାକ୍ଷ କରିଥିଲେ ଚିରଞ୍ଜୀବ ।
ସେମିନାର ଆଳରେ କଂଗ୍ରେସ ଅସନ୍ତୁଷ୍ଟଙ୍କ ଏହି ତଥାକଥିତ ମେଳିର ସମୟ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ସେଦିନ ଥିଲା ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରର ଶେଷଦିନ । ବିଜେଡ଼ି ଏବଂ ବିଜେପିର ତୁଙ୍ଗନେତାମାନେ ଝାରସୁଗୁଡ଼ାରେ ଝାଳନାଳ ହୋଇ ପ୍ରଚାର କରୁଥିଲା ବେଳେ ନିରଞ୍ଜନ, ମୋକିମ୍ ଏବଂ ଚିରଞ୍ଜୀବଙ୍କ ଭଳି କଂଗ୍ରେସର ତୁଙ୍ଗ ନେତାମାନେ ଜୟଦେବଭବନର ଏସି ପ୍ରେକ୍ଷାଳୟରେ ବସି ଓଡ଼ିଶା କଂଗ୍ରେସର ସ୍ଥିତିକୁ ତାତ୍ସଲ୍ୟ କରୁଥିଲେ । ପିସିସି ନେତୃତ୍ୱ ବିରୋଧରେ ବିଷୋଦଗାର କରୁଥିଲେ । ଦିନକ ପରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏହି ଆତ୍ମଘୋଷିତ ସଚ୍ଚୋଟ କଂଗ୍ରେସ ନେତାମାନଙ୍କ ମନରେ ସାମାନ୍ୟତମ ଚିନ୍ତା କି ବ୍ୟଗ୍ରତା ନ ଥିଲା ।
ଏବେ, କଂଗ୍ରେସ ହାଇକମାଣ୍ଡଙ୍କଠାରୁ ମୋକିମ୍ ଏବଂ ଚିରଞ୍ଜୀବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାର ଶିକାର ହୋଇଥିଲେ ମଧ୍ୟ ନିରଞ୍ଜନ ପଟ୍ଟନାୟକଙ୍କ ଦେହରେ ଧୂଳି ବାଜିନି । ଏହା ପଛର ରହସ୍ୟ କ’ଣ ବୋଲି ସମସ୍ତେ ପଚାରୁଛନ୍ତି । ପ୍ରକୃତରେ ଶରତ ପଟ୍ଟନାୟକଙ୍କ ବିରୋଧୀ ଗୋଷ୍ଠୀରେ ନିରଞ୍ଜନ ଅଛନ୍ତି ନା ପାଗ ଦେଖି ଅଭିନୟ କରୁଛନ୍ତି ତାହା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି । କାରଣ ସସପେଣ୍ଡ ଆଦେଶ ପରେ ଉଭୟ ମୋକିମ୍ ଏବଂ ଚିରଞ୍ଜୀବଙ୍କ ସମର୍ଥକମାନେ ନିରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ପୁଅ ସୁଲିଆ ପଟ୍ଟନାୟକଙ୍କ ବିରୋଧରେ ବିଷ ଓଗାଳୁଛନ୍ତି । ଶରତ ପଟ୍ଟନାୟକଙ୍କୁ ନିରଞ୍ଜନ ସଖି କଣ୍ଢେଇ କରି ଓଡ଼ିଶା କଂଗ୍ରେସକୁ ନିଶ୍ଚିନ୍ନ କରିଦେବାକୁ ବସିଛନ୍ତି ବୋଲି ଗର୍ଜନ କରୁଛନ୍ତି ।
ମେ ୮ ତାରିଖ ସେମିନାର ଦୃଶ୍ୟ ଏବଂ ଆଜିର ଏହି ଆରୋପକୁ ଦେଖିଲେ ନିଜ କାନକୁ ବିଶ୍ୱାସ କରିବା ବି କଷ୍ଟକର ହୋଇଯାଉଛି । ଓଡ଼ିଶା କଂଗ୍ରେସର ଗୋଷ୍ଠୀ କନ୍ଦଳର ଭୟାନକ ରୂପ ଏବଂ ନେତାଙ୍କ ଚରିତ୍ର ସାଧାରଣ କର୍ମୀଙ୍କ ପକ୍ଷରେ ବୁଝିବା ସହଜ ନୁହେଁ । ନିରଞ୍ଜନ ପଟ୍ଟନାୟକଙ୍କ ଭୂମିକାକୁ ନେଇ ଏବେ ସମସ୍ତଙ୍କ ମନରେ ବଡ଼ ପ୍ରଶ୍ନ ଉଙ୍କି ମାରିଛି । ସେପଟେ ମୋକିମ୍ ଏବଂ ଚିରଞ୍ଜୀବଙ୍କ କଂଗ୍ରେସ ଅନାଦରର କାରଣ ବିଜେଡି ପ୍ରତି ଆକର୍ଷଣ ନା ଅନ୍ୟ କିଛି ତାହା ଆଗାମୀ ଦିନରେ ଜଣାପଡ଼ିବ ।