ନୟାଗଡ଼/ଭୁୁବନେଶ୍ୱର: ଅଧିକାଂଶ କ୍ଷେତ୍ରରେ ସରକାରୀ ଅଫିସରଙ୍କ ଆଚାର ବ୍ୟବହାରକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳେ । ନିଜ ପଦ ମର୍ଯ୍ୟାଦାର ଅହଙ୍କାରରେ ସେମାନେ ସାଧାରଣ ଜନତାଙ୍କ ପ୍ରତି ସମ୍ବେଦନଶୀଳ ରହିବା ପରିବର୍ତ୍ତେ ବାବୁଗିରି ଦେଖାଇ ମାନବିକତାକୁ ଜଳାଞ୍ଜଳି ଦେଉଥିବାର ଅନେକ ନଜିର ରହିଛି । ସାଧାରଣ ମଣିଷର ସାଥୀ ହୋଇ ସେମାନଙ୍କ ହୃଦୟରେ ବସା ବାନ୍ଧିବା ଅଫିସରଙ୍କ ସଂଖ୍ୟା ଆଜିକାଲି କମ ଦେଖିବାକୁ ମିଳେ । ଆଉ ଏହିଭଳି ଜଣେ ଦରଦୀ ଯୁବ ଓଏଏସ୍ ଅଫିସରଙ୍କୁ ନେଇ ସମଗ୍ର ନୟାଗଡ଼ ଜିଲ୍ଲାରେ ଚର୍ଚ୍ଚା । ଅଫିସରେ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବାରେ ତାଙ୍କର ଯେତିକି ନିଷ୍ଠା ଓ ଦାୟିତ୍ୱବୋଧତା, ସାମାଜିକ ଜୀବନରେ ମଧ୍ୟ ତାଙ୍କର ମଣିଷପଣିଆ ତାଙ୍କୁ ଲୋକଙ୍କ ହୃଦୟରେ ବସାଇଛି ।
ଖୁବ୍ ଅଳ୍ପ ଦିନରେ ସାଧାରଣ ଲୋକଙ୍କ ହୃଦୟରେ ବସା ବାନ୍ଧିଥିବା ଏହି ଓଏଏସ୍ ଅଫିସର ଜଣଙ୍କ ହେଉଛନ୍ତି ନୟାଗଡ଼ ତହସିଲଦାର ରାଜେଶ କୁମାର ସ୍ୱାଇଁ । ତହସିଲ ଅଫିସକୁ କାମରେ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ସହ ତ୍ୱରିତ୍ ସେବା ଯୋଗାଇ ଚର୍ଚ୍ଚାରେ ରହୁଥିବା ରାଜେଶ ବାବୁଙ୍କ ବଦାନ୍ୟତା ଯୋଗୁଁ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ତିନି ଯୁବକଙ୍କ ଜୀବନ ବଞ୍ଚି ଯାଇଛି ।
ଘଟଣା ଥିଲା ଏଭଳି । ଗତ ୮ ତାରିଖ ଶୁକ୍ରବାର ଅପରାହ୍ନରେ ନୟାଗଡ଼ ପୁରୁଣା ସହର ଦକ୍ଷିଣ କାଳୀ ମନ୍ଦିରଠାରୁ ଜଗନ୍ନାଥ ମନ୍ଦିର ଯିବା ରାସ୍ତାରେ ଏକ ମଟରସାଇକେଲକୁ ପଛରୁ ଏକ କାର ଧକ୍କା ଦେଇଥିଲା । ଏଥିରେ ମଟରସାଇକେଲରେ ଥିବା ୩ ଜଣ ଯୁବକ ଗରୁତର ଆହତ ଅବସ୍ଥାରେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ । ସେତିକିବେଳେ ସେହି ରାସ୍ତା ଦେଇ ଅଫିସ୍ ଆସୁଥିଲେ ତହସିଲଦାର ରାଜେଶ ସ୍ୱାଇଁ । ଦୁର୍ଘଟଣା ଜାଗାରେ ସେ ଅଟକି ଗୁରୁତର ଆହତ ତିନି ଯୁବକଙ୍କୁ ନିଜ ଗାଡ଼ିରେ ସିଧା ନୟାଗଡ଼ ମୁଖ୍ୟ ଡାକ୍ତରଖାନା ନେଇ ଆସିଥିଲେ । ନିଜେ ଉପସ୍ଥିତ ରହି ସେମାନଙ୍କ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଇବା ସହ ଘର ଲୋକଙ୍କ ଠିକଣା ସଂଗ୍ରହ କରି ଖବର ପଠାଇଥିଲେ । ଆହତ ଯୁବକମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେମାନଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇବାର ବନ୍ଦୋବସ୍ତ ମଧ୍ୟ କରିଥିଲେ ।
ଗୁରୁତର ଆହତ କାଳିଆ ସାହୁ ଏବଂ ବଳିଆ ସାହୁ ହେଉଛନ୍ତି ଦୁଇ ଭାଇ ଏବଂ ସେମାନଙ୍କ ଘର ନୂଆଗାଁ ଥାନା ଅନ୍ତର୍ଗତ ଦେଉଳି ଗାଁରେ । ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ସେମାନେ ଝୁମ୍ପୁରୀ ଗାଁ ଆସିଥିଲେ । ନୟାଗଡ଼ରୁ ଏକ ବନ୍ଧୁଙ୍କୁ ଧରି ସେମାନେ ଫେରୁଥିବା ବେଳେ ଦକ୍ଷିଣ କାଳୀ ମନ୍ଦିର ପୂର୍ବରୁ ଏହି ଦୁର୍ଘଟଣା ଘଟିଥିଲା । କାର୍ ଧକ୍କାରେ ୩ ଜଣ ଯାକ ଯୁବକ ମଟରସାଇକେଲରୁ ଛିଟିକି ପଡ଼ି ରାସ୍ତାରେ ଛଟପଟ ହେଉଥିବା ବେଳେ ରାସ୍ତାରେ ଯାଉଥିବା ଅନ୍ୟମାନେ ଦେଖଣାହାରୀ ସାଜିଥିଲେ । ତେବେ ତହସିଲଦାର ଶ୍ରୀ ସ୍ୱାଇଁ ସେଠି ଅଟକି ନିଜ ଗାଡ଼ିରେ ଡାକ୍ତରଖାନା ନେବା ଏବଂ ଚିକିତ୍ସା ଦାୟିତ୍ୱ ନିଜ ଉପରକୁ ଆଣିବା ତାଙ୍କୁ ମହାନ ହୃଦୟର ପରିଚୟ ଦେଇଛି । ଏଥିପାଇଁ ତାଙ୍କୁ ସବୁ ମହଲରୁ ପ୍ରଶଂସା ମିଳିଛି ।
ତେବେ ଏଥିରେ କୌଣସି ବଡ଼ପଣ ନାହିଁ ବରଂ ଏହା ତାଙ୍କର କର୍ତ୍ତବ୍ୟ ଥିଲା ବୋଲି ଶ୍ରୀ ସ୍ୱାଇଁ ପ୍ରତିକ୍ରିୟା ଦେଇ ନିଜ ଉପରୁ ଦୃଷ୍ଟି ହଟାଇବାକୁ ଚେଷ୍ଟା କରିଛନ୍ତି ।






