ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରସନର କର୍ମକର୍ତ୍ତାମାନଙ୍କର ବୈଠକ ଦେୟ ବୃଦ୍ଧି କରିବା ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେସନର ସଭାପତି ଏ ସଂପାଦକ ତଥା ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ବୈଠକ ଦେୟ ପରିମାଣରେ ୫୦୦ ଟଙ୍କା ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଦେୟ ପରିମାଣ ୨୦୨୩ ଅକ୍ଟୋବର ମାସରୁ ପିଛିଲା ଭାବେ ଲାଗୁ ହେବ।
ବ୍ଲକସ୍ତରୀୟ ଫେଡେରସନର ସଭାପତି ଓ ସଂପାଦକମାନେ ବୈଠକ ପାଇଁ ପୂର୍ବରୁ ୪,୦୦୦ ଟଙ୍କା ପାଉଥିବା ବେଳେ ଏବେ ୪,୫୦୦ ଟଙ୍କା ପାଇବେ। ସେହିପରି ଏହାର ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ପୂର୍ବରୁ ୨,୦୦୦ ଟଙ୍କା ପାଉଥିବା ବେଳେ ଏବେ ୨,୫୦୦ ଟଙ୍କା ପାଇବେ।
ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଫେଡେରସନର ସଭାପତି ଓ ସମ୍ପାଦକମାନେ ବୈଠକ ପାଇଁ ପୂର୍ବରୁ ୨,୦୦୦ ଟଙ୍କା ପାଉଥିବାବେଳେ ଏବେ ୨,୫୦୦ ଟଙ୍କା ପାଇବେ ଏବଂ ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟାମାନେ ପୂର୍ବରୁ ୧,୦୦୦ ଟଙ୍କା ପାଉଥିବା ବେଳେ ଏବେ ୧,୫୦୦ ଟଙ୍କା ପାଇବେ।
ଏହା ଦ୍ୱାରା ବର୍ଷକୁ ୨୪୯.୨୧ କୋଟି ଟଙ୍କା ଖର୍ଚ୍ଚ ହେବ।
ରାଜ୍ୟରେ ମିଶନ ଶକ୍ତି ଏକ ବିଶାଳ ଆନ୍ଦୋଳନରେ ପରିଣତ ହୋଇ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏଥିରେ ବିଭିନ୍ନ ଗ୍ରାମପଞ୍ଚାୟତସ୍ତରୀୟ ଓ ବ୍ଲକସ୍ତରୀୟ ଫେଡେରେସନ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର କାର୍ଯ୍ୟକ୍ରମକୁ କ୍ରୀୟାଶୀଳ କରିବା ଦିଗରେ ଏହି ଫେଡେରେସନମାନଙ୍କର ସ୍ୱତନ୍ତ୍ର ଭୂମିକା ରହିଛି। ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ମିଶନ ଶକ୍ତି ଫେଡେରସନର କର୍ମକର୍ତ୍ତାମାନେ ସେମାନଙ୍କ ଦେୟ ପରିମାଣ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ବୈଠକ ଦେୟ ପରିମାଣ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ୬୭୬ ଜଣ ବ୍ଲକସ୍ତରୀୟ ଫେଡେରସନ ସଭାପତି ଓ ସଂପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୩୦୪୨ । ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଫେଡେରସନରେ ୧୩,୫୮୮ ଜଣ ସଭାପତି ଓ ସମ୍ପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୧,୦୮,୭୦୪ । ଏହା ପରି ସମୁଦାୟ ୧,୨୬,୦୧୦ କର୍ମକର୍ତ୍ତା ଉପକୃତ ହେବେ।