ଭୁବନେଶ୍ୱର: ବିଜେଡି ଏବଂ ବିଜେପି ମଧ୍ୟରେ ମେଣ୍ଟ ହେବ ବୋଲି ଚାରିଆଡ଼େ ହୁରି ପଡ଼ିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ତୁହାକୁ ତୁହା ମେଣ୍ଟ ସମ୍ଭାବନାକୁ ଖଣ୍ଡନ କରୁଛନ୍ତି ଏବଂ ନିଜ ଛେପ ନିଜେ ଢ଼ୋକି ସମସ୍ତଙ୍କ ଦ୍ୱନ୍ଦ ବଢ଼ାଇ ଦେଇଛନ୍ତି । ଏପଟେ ଓଡ଼ିଶାର ସ୍ୱାର୍ଥ କଥା କହି ସପ୍ତାହ ତଳେ ମେଣ୍ଟର ସଙ୍କେତ ଦେଇଥିବା ବିଜେଡି କିନ୍ତୁ ଆଉ ପାଟି ଖୋଲୁନାହିଁ । ମେଣ୍ଟ ଉପରେ ଦଳୀୟ ବୈଠକରେ ଚର୍ଚ୍ଚା କରିନି କି ମେଣ୍ଟ ପ୍ରଶ୍ନ ଉପରେ ପାଟି ଖୋଲିନି ।
ମେଣ୍ଟ ଦ୍ୱନ୍ଦ ଭିତରେ ଆଜି ଅପରାହ୍ନରେ ନବୀନ ନିବାସରେ ବିଜେଡିର ଏକ ବଡ଼ ବୈଠକ ବସିଥିଲା । ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ବୈଠକ ଡାକିଥିଲେ । ଦଳର ପର୍ଯ୍ୟବେକ୍ଷକମାନଙ୍କ ସମେତ ୨୮ ଜଣ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଅପରାହ୍ନ ୫ଟାରୁ ୭ଟା ପର୍ଯ୍ୟନ୍ତ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।
ବୈଠକର ଆଲୋଚନା ସଂକ୍ରାନ୍ତରେ ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ । କହିଥିଲେ, ଆମର କିଛି ବରିଷ୍ଠ କାର୍ଯ୍ୟକର୍ତ୍ତା ଏବଂ ଜିଲ୍ଲା ସାଂଗଠନିକ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକଙ୍କ ସହ ମାନ୍ୟବର ଦଳର ସଭାପତି ଜିଲ୍ଲାୱାରୀ, ନିର୍ବାଚନମଣ୍ଡଳୀୱାରୀ ସାଂଗଠନିକ କାର୍ଯ୍ୟକ୍ରମ, ନିର୍ବାଚନ ରଣକୌଶଳ ଆଦି ବିଷୟରେ ରିପୋର୍ଟ ନେଇଛନ୍ତି । ଏହା ଉପରେ ତାଙ୍କର ସୁଚିନ୍ତିତ ମତାମତ ଓ ପରାମର୍ଶ ବି ଦେଇଛନ୍ତି । ଏ ବିଷୟରେ ଆଜି ସବିଶେଷ ଭାବରେ ଆମର ବିଭିନ୍ନ ଜିଲ୍ଲା ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକମାନେ ତାଙ୍କର ଉପସ୍ଥାପନା ଦେଇଛନ୍ତି ।
ତେବେ ମେଣ୍ଟ ସମ୍ପର୍କରେ କିଛି ଆଲୋଚନା ହୋଇଛି କି ନାହିଁ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନରେ ସେ ସମାନ କଥା ଦୋହରାଇଥିଲେ । ମେଣ୍ଟ ପ୍ରଶ୍ନକୁ ଏଡ଼ାଇ ଦେଇଥିଲେ । ଏହା ଉପରେ ଦଳ କିଛି କହିବାର ନାହିଁ ବୋଲି ସେଠାରେ ଉପସ୍ଥିତ ଦଳୀୟ ନେତାମାନଙ୍କ ପାଖରୁ ସ୍ପଷ୍ଟ ଇଙ୍ଗିତ ଆସିଥିଲା । ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ମେଣ୍ଟ ହବା ନ ହବାରେ କିଛି ଯାଏ ଆସେ ନାହିଁ ବୋଲି ସେମାନେ ଇଙ୍ଗିତରେ ଜଣାଇ ଦେଇଥିଲେ । ଏଥିସହ ମେଣ୍ଟକୁ ନେଇ ବିଜେଡି ପକ୍ଷରୁ କିଛି ସ୍ପଷ୍ଟତା ଆସିବାର ଆଶା ଆଶାରେ ରହିଯାଇଛି ।