ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କର ଆଜି ଜନ୍ମଦିନ । ତାଙ୍କୁ ୭୮ ପୂରି ୭୯ ଚାଲିଲା । ରାଜନୈତିକ ଜୀବନରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସଫଳତାର ଶୀର୍ଷରେ ରହିଥିବା ନବୀନ ଗତ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ପରାଜୟର ସାମନା କରିଛନ୍ତି । ଆଉ ସେ ମୁଖ୍ୟମନ୍ତ୍ରୀ ନାହାନ୍ତି ସତ, ହେଲେ ତାଙ୍କ ନାଁ ପୂର୍ବରୁ କଟିନି ‘ମୁଖ୍ୟମନ୍ତ୍ରୀ’ । ଲୋକଙ୍କ ପାଟିରୁ ଆପେ ବାହାରି ଯାଉଛି । ବିରୋଧୀ ଦଳର ନେତା କହିବାକୁ ସତେ ଯେମିତି ପାଟି ଲେଉଟୁନି । ଦୀର୍ଘ ୨୪ ବର୍ଷର ଅଭ୍ୟାସକୁ ଓଡ଼ିଶାବାସୀ ସହଜରେ ବଦଳାଇ ପାରିନାହାନ୍ତି । ତାଙ୍କର ଜନ୍ମଦିନରେ ଏଥର ଖବରକାଗଜ ପୃଷ୍ଠାରେ ସ୍ତୁତିଗାନ ନଥିଲେ ମଧ୍ୟ ଲୋକେ କିନ୍ତୁ ତାଙ୍କୁ ହୃଦୟରୁ ଦୂରେଇ ପାରିନାହାନ୍ତି । କ୍ଷମତା ଚାଲିଯାଇଛି ହେଲେ ଲୋକପ୍ରିୟତା ଯାଇନି । କେବଳ ଓଡ଼ିଶା କାହିଁକି ସାରା ଭାରତବର୍ଷରେ ଜନପ୍ରିୟ ନେତା ଭାବେ ନବୀନ ପଟ୍ଟନାୟକଙ୍କ ନାଁ ଲିପିବଦ୍ଧ ହୋଇଯାଇଛି । ତାଙ୍କର ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରି ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।

ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଦଳୀୟ ନେତା ତଥା ସମାଜର ବିଭିନ୍ନ ବର୍ଗର ଲୋକ, ଛାତ୍ରଛାତ୍ରୀ ନବୀନ ନିବାସ ଯାଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ ପ୍ରମୁଖଙ୍କ ସହ ବିଏମସି କର୍ପୋରେଟରବୃନ୍ଦ, ପ୍ରଜାପିତା ବ୍ରହ୍ମାକୁମାରୀ ଅନୁଷ୍ଠାନର ସଭ୍ୟା, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ସମାଜର ବିଭିନ୍ନ ବର୍ଗର ଲୋକ ତାଙ୍କୁ ଭେଟି ଦୀର୍ଘଜୀବନ କାମନା କରିଥିଲେ ।
ଦଳୀୟ ନେତୃବୃନ୍ଦ ଗଣମାଧ୍ୟମରେ ନବୀନଙ୍କ ୨୪ ବର୍ଷ ଶାସନ କାଳରେ ଓଡ଼ିଶାରେ ହୋଇଥିବା ସାମଗ୍ରିକ ବିକାଶକୁ ସ୍ମରଣ କରିଥିଲେ । ନବୀନଙ୍କ ନେତୃତ୍ୱରେ ଓଡ଼ିଶା ଏକ ଅଭାବୀ ରାଜ୍ୟରୁ ପ୍ରଭାବୀ ରାଜ୍ୟରେ ପରିଣତ ହୋଇପାରିଥିଲା । ୨୦୦୦ ମସିହାରେ ଓଡ଼ିଶାର ଆର୍ଥିକ ସ୍ଥିତି ଏତେ ଦହନୀୟ ଥିଲା ଯେ ରାଜ୍ୟର ସରକାରୀ କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ରାଜ୍ୟକୁ ଓଭରଡ୍ରାଫ୍ଟର ସହାୟତା ନେବାକୁ ପଡ଼ିଥିଲା । ପରବର୍ତ୍ତୀ ସମୟରେ ନବୀନଙ୍କ ନେତୃତ୍ୱରେ ଓଡ଼ିଶା ଏକ ଆର୍ଥିକ ନିଅଣ୍ଟ ରାଜ୍ୟରୁ ଆର୍ଥିକ ବଳକା ରାଜ୍ୟରେ ପରିଣତ ହୋଇଥିଲା । ଗତ ନିର୍ବାଚନରେ ବିଜେଡି ପରାଜୟ ବରଣ କରିଥିଲେ ମଧ୍ୟ ଆଜି ବି ନବୀନ ଓଡ଼ିଶାବାସୀଙ୍କ ହୃଦୟରେ ଅଛନ୍ତି ଓ ସେ ହିଁ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ନେତା ବୋଲି ଦଳର ନେତାମାନେ ମତ ଦେଇଥିଲେ ।

ଏହି ଅବସରରେ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଶଙ୍ଖ ଭବନଠାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୨୫୦ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ବେଳେ ରାଜ୍ୟର ୩୫ଟି ସ୍ଥାନରେ ଅନୁଷ୍ଠିତ ରକ୍ତଦାନ ଶିବିରରୁ ସମୁଦାୟ ୩ ହଜାରରୁ ଅଧିକ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏଥିରେ ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।
ଶଙ୍ଖଭବନଠାରେ ଆୟୋଜିତ ରକ୍ତଦାନ ଶିବିରରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଂତୃପ୍ତ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ମେୟର ସୁଲୋଚନା ଦାସ, ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ସମେତ ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ମିଡିଆ ସଂଯୋଜକ ଲେନିନ୍ ମହାନ୍ତି, ପ୍ରିୟବ୍ରତ ମାଝୀ, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ମନ୍ମଥ ରାଉତରାୟ, ବିଜୟ ନାୟକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।






