ଭୁୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ଟିଭି ଚାନେଲ ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରିଥିଲେ । ଏହା ସୌଜନ୍ୟମୂଳକ ସାକ୍ଷାତକାର ଥିଲା ବୋଲି ଓଟିଭି ପକ୍ଷରୁ କୁହାଯାଇଛି । କଥାବାର୍ତ୍ତା ବେଳେ ଉଭୟ ଉଭୟଙ୍କୁ ପ୍ରଶଂସାରେ ପୋତିଥିଲେ । ଜଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀର ଭୂରି ଭୂରି ପ୍ରଶଂସା କଲାବେଳକୁ ମୁଖ୍ୟମନ୍ତ୍ରୀ ଓଟିଭିର ଖବର ପରିବେଷଣ ଶୈଳୀକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଉଭୟ ଉଭୟଙ୍କୁ ଉପହାର ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ ।
ଏହି ସାକ୍ଷାତ କାର୍ଯ୍ୟକ୍ରମର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି । ଜଗି ତାଙ୍କ ଓଟିଭି ପରିଚାଳନା ଟିମ୍ କୁ ସାଙ୍ଗରେ ନେଇଥିଲା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କର ଅଧା କ୍ୟାବିନେଟ୍ କୁ ଆଲୋଚନାରେ ବସାଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।
ତଥାକଥିତ ଏହି ସୌଜନ୍ୟମୂଳକ ସାକ୍ଷାତକାରକୁ ନେଇ ବିଭିନ୍ନ ମହଲରେ ବେଶ୍ ରୋଚକ ଚର୍ଚ୍ଚା ହେଉଛି । ଏହି ସାକ୍ଷାତକାର ପଛରେ କୁଆଡ଼େ ରାଜନୈତିକ ଓ ବ୍ୟବସାୟିକ ଉଦେ୍ଦଶ୍ୟ ରହିଛି । ଦୁଇପକ୍ଷର ସ୍ୱାର୍ଥ ହାସଲ ପାଇଁ ପ୍ରକୃଷ୍ଟ ସମୟ ଆସିଥିବାରୁ ସୁଯୋଗ ହାତଛଡ଼ା କରିବାକୁ କେହି ଚାହୁଁନାହାନ୍ତି । ଏହା କେମିତି ତାହା ବି ପ୍ରାଞ୍ଜଳ ଭାବେ ଆଲୋଚନା ହେଉଛି ।
ଓଟିଭିର ମାଲିକାଣୀ ଜଗି ହେଉଛନ୍ତି ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଧର୍ମପତ୍ନୀ । ଓଟିଭି ସମେତ ବୈଜୟନ୍ତଙ୍କ ପରିବାରର ବିଭିନ୍ନ ବ୍ୟବସାୟିକ ସଂସ୍ଥାର ଉତଥାନ ବିଜେଡି ସରକାରଙ୍କ ଅମଳରେ ଶୀର୍ଷକୁ ଉଠିଥିଲା । ନବୀନ ସରକାରଙ୍କ ଛତ୍ରଛାୟାରେ ରହି ପଣ୍ଡା କମ୍ପାନୀ ଅସମ୍ଭବକୁ ସମ୍ଭବ କରୁଥିଲେ । ଶହ ଶହ କୋଟି ଟଙ୍କାର ବିଜୁଳି ବିଲ୍, ପାଣି ବିଲ୍ ବି ଛାଡ଼ କରାଇଥିଲେ । ଖଣି ବେପାରରେ ମାଲାମାଲ୍ ହୋଇଥିଲେ । ତେବେ ୨୦୧୫ ପରେ ପଣ୍ଡା ସାମ୍ରାଜ୍ୟକୁ ବିଜେଡି ସରକାରଙ୍କ ସହଯୋଗ ଆଉ ମିଳିଲାନି । ଯାହା ପଣ୍ଡା ସଂସ୍ଥାର ବେପାରକୁ ଘାଟାରେ ପକାଇଦେଲା । ପରବର୍ତ୍ତୀ ସମୟରେ ବୈଜୟନ୍ତ ବାବୁ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ ମଧ୍ୟ କେନ୍ଦ୍ରାପଡ଼ାରୁ ହାରିବା ପରେ ତାଙ୍କ ହାତରେ ସେଭଳି କ୍ଷମତା ରହିଲାନି । ୨୦୧୯ ରେ ରାଜ୍ୟରେ ପୁଣି ଥରେ ବିଜେଡି ସରକାର ଆସିବାରୁ ତାଙ୍କ ବ୍ୟବସାୟ ମାଡ଼ ଖାଇ ଚାଲିଲା ।
ଖାଲି ସେତିକି ନୁହେଁ, ଇତିମଧ୍ୟରେ ସାରୁଅ ଜମି ଦୁର୍ନୀତି ଭଳି ସଙ୍ଗୀନ ମାମଲାରେ ଫସି ରହିଛନ୍ତି ପଣ୍ଡା ଦମ୍ପତ୍ତି ।
ମାତ୍ର ଏବେ ବୈଜୟନ୍ତଙ୍କ କଚ୍ଚେ ପୁଅ ବାର୍ ଅବସ୍ଥା । ଓଡ଼ିଶାରେ ବିଜେପି ସରକାର । ସେ ନିଜେ କେବଳ ସାଂସଦ ହୋଇନାହାନ୍ତି ୨୦୨୪-୨୫ ବର୍ଷ ପାଇଁ ପବ୍ଲିକ୍ ଅଣ୍ଡରଟେକିଂ କମିଟିର ଅଧ୍ୟକ୍ଷ ପଦ ପାଇଛନ୍ତି । ଏହି ପଦର ମହତ୍ତ୍ୱ କେତେ ତାହା ସେ ବିଜେଡିରୁ ତଡ଼ା ଖାଇଲା ବେଳେ ବିଶେଷ ଆଲୋଚନା ହୋଇଛି । ବିଜେଡିର ଲୋକସଭା ସାଂସଦ ଥିଲା ବେଳେ ସେ ଏହି ପଦବୀ ପାଇଁ ଲାଳାୟିତ ଥିଲେ । ମାତ୍ର ତାଙ୍କର ପାରିବାରିକ ବ୍ୟବସାୟ ଥିବାରୁ ନୈତିକତାକୁ ଜଗି ନବୀନ ବାବୁ ତାଙ୍କୁ ସେହି ସୁଯୋଗ ଦେଲେ ନାହିଁ । ଖୋଦ୍ ସେହି ରାଗରେ ବୈଜୟନ୍ତ ତାଙ୍କର ବିରୋଧୀ ହୋଇଥିବା ଖୋଦ୍ ନବୀନ ବାବୁ ସେତେବେଳେ କହିଥିଲେ ।
ତେବେ ୭/୮ ବର୍ଷର ଅପେକ୍ଷା ପରେ ବୈଜୟନ୍ତଙ୍କର ସ୍ୱପ୍ନ ସାକାର ହୋଇଛି । ଲୋକସଭାରେ ପବ୍ଲିକ୍ ଅଣ୍ଡରଟେକିଂ କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ବେଳେ କେନ୍ଦ୍ରୀୟ ବିଜେପି ସଂଗଠନରେ ମଧ୍ୟ ତାଙ୍କର ପ୍ରବଳ ଦବଦବା । ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ଦୀର୍ଘ ଦିନ ରହି ଆସିଥିବା ବୈଜୟନ୍ତଙ୍କୁ ଦୁଇଦିନ ତଳେ ଦଳର ଦିଲ୍ଲୀ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି । ସୁତରାଂ ମୋଦୀ ସରକାରରେ ତାଙ୍କର ଏବେ ପ୍ରବଳ କାଟତି । ରାଜ୍ୟରେ ମୋହନ ସରକାରଙ୍କୁ ହାତମୁଠାରେ ରଖି ନିଜ ପରିବାରର ବ୍ୟବସାୟିକ ସାମ୍ରାଜ୍ୟକୁ ବିଜେଡି ସରକାର ଅମଳର ଅବସ୍ଥାକୁ ଫେରାଇ ଆଣିବା ପାଇଁ ବୈଜୟନ୍ତଙ୍କ ପକ୍ଷରେ ଏହା ପ୍ରକୃଷ୍ଟ ସମୟ ବୋଲି କୁହାଯାଉଛି ।
ଅନ୍ୟପକ୍ଷରେ ଓଡ଼ିଶାରେ ମୋହନ ସରକାରଙ୍କ ପାଇଁ ଓଟିଭିର ସହଯୋଗ ବି ଗୁରୁତ୍ୱପୂର୍ଣ୍ଣ । ଏହି ଏକ ନମ୍ବର ଚାନେଲକୁ ହାତରେ ରଖିଲେ ମୁଖ୍ୟମନ୍ତ୍ରୀ ଓ ବିଜେପି ସରକାରଙ୍କ ଭାବମୂର୍ତ୍ତି ଗଢ଼ିବା ସହଜ ହେବ । ତେଣୁ ବୈଜୟନ୍ତ ବାବୁଙ୍କୁ ଖୁସିରେ ରଖିବା ମୋହନ ସରକାରଙ୍କ ପାଇଁ ଜରୁରୀ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ଦଳ ଭିତରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଶାୟୀ ଥିବା ପ୍ରତିଦ୍ୱନ୍ଦୀଙ୍କୁ ଟକ୍କର ଦେବାରେ ଓଟିଭିର ସହଯୋଗ ଦରକାର ପଡୁଛି । କାରଣ ତମର ଟିଭି ଥିଲେ ଆମର ବି ଟିଭି ଅଛି ଭାବି ମୋହନ ମାଝୀ ଓ ତାଙ୍କ ଟିମ୍ ଖାଲି ମନକୁ ବୁଝାଇବେନି, ଆଗାମୀ ୫ ବର୍ଷ ତାଙ୍କର ଆସନ ସୁରକ୍ଷିତ ରଖିବାକୁ ଏହା ଏକ ଉତ୍ତମ ମାଧ୍ୟମ ହୋଇପାରିବ ବୋଲି ବିଶ୍ୱାସ ରହିଥାଇପାରେ ।
ସେଥିପାଇଁ ବୋଧେ ଜଗି ପଣ୍ଡାଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଆସିଥିବା ଓଟିଭି ଟିମ୍ କୁ ସ୍ୱାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କର ଅଧା କ୍ୟାବିନେଟ୍ କୁ ସାଙ୍ଗରେ ରଖିଥିଲେ ।
ଏଠାରେ ଆଉ ଏକ କଥା ମଧ୍ୟ ଉଲ୍ଲେଖ କରାଯାଇପାରେ । ଏବେକାର କ୍ଷମତାଶାଳୀ ବୈଜୟନ୍ତ ପଣ୍ଡା କୁଆଡ଼େ ଓଡ଼ିଶାରେ ବିଜେଡିକୁ ଭାଙ୍ଗିବା ଯୋଜନା କରିଛନ୍ତି । ଅତୀତରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ତଥା ବିଜେପିମୁହାଁ ବିଜେଡି ନେତାମାନଙ୍କ ତୁଣ୍ଡକୁ ଏଥିପାଇଁ ଅସ୍ତ୍ର କରିଛନ୍ତି । ନବୀନ ପଟ୍ଟନାୟକ ଏବଂ ଭି.କେ.ପାଣ୍ଡିଆନଙ୍କ ବିରୋଧରେ ଗଣମାଧ୍ୟମରେ ବୟାନ ଦେବା ପାଇଁ ସଂପୃକ୍ତ ନେତାମାନଙ୍କୁ କାମରେ ଲଗାଯାଇଛି । ଏହାଦ୍ୱାରା ବିଜେଡିରେ ଅସ୍ଥିରତା ସୃଷ୍ଟି ହେବ ଏବଂ ଦଳ ଆପେ ଭାଙ୍ଗିଯିବ ବୋଲି ମନେ କରାଯାଇଛି ।
ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଗତକାଲି ଗଣମାଧ୍ୟମରେ ଏହିଭଳି ଏକ ମନ୍ତବ୍ୟ ଦେବା ବୈଜୟନ୍ତଙ୍କୁ ନେଇ ଚାଲିଥିବା ଚର୍ଚ୍ଚାକୁ ଆହୁରି ରୋଚକ କରିଥିବା ବେଳେ ବିଜେଡି ବିରୋଧରେ ଓଟିଭିର ଲଗାତର କ୍ୟାମ୍ପନ୍ ଓଡ଼ିଶା ରାଜନୈତିକ ପାଣିପାଗକୁ ସରଗରମ କରିଛି । ଠିକ୍ ଏହି ସମୟରେ ମୋହନ-ଜଗିଙ୍କ ଭେଟକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।