ଭୁବନେଶ୍ୱର: ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ(HAL) ର ନିର୍ଦ୍ଦେଶକ(ଅର୍ଥ) ଭାବେ ନିଯୁକ୍ତି ପାଇଛନ୍ତି ଓଡିଆ ପୁଅ ବରେଣ୍ୟ ସେନାପତି । ଇନଷ୍ଟିଚ୍ୟୁଟ୍ ଅଫ ଚାଟାର୍ଡ ଆକାଉଣ୍ଟାଟସ୍ ଅଫ ଇଣ୍ଡିଆର ଫେଲୋ ସଦସ୍ୟ ଥିବା ଶ୍ରୀ ସେନାପତିଙ୍କର ଆର୍ଥିକ ପରିଚାଳନା କ୍ଷେତ୍ରରେ ଦୀର୍ଘ ୩୧ ବର୍ଷର ଅଭିଜ୍ଞତା ରହିଛି । ଆକାଉଣ୍ଟସ୍, ଫାଇନାନସିଆଲ୍ ପ୍ଲାନିଂ, ଟ୍ରେଜେରି ମ୍ୟାନେଜମେଣ୍ଟ, ପ୍ରାଇସିଂ, କମ୍ପାନୀ ଟାକ୍ସସେନ୍ ଆଦି ସବୁ କ୍ଷେତ୍ରରେ ତାଙ୍କର ଦକ୍ଷତା ପ୍ରଣିଧାନଯୋଗ୍ୟ ।
ଶ୍ରୀ ସେନାପତି ୧୯୯୫ ମସିହାରେ ହାଲ୍ ରେ ଚାକିରି ଜୀବନ ଆରମ୍ଭ କରିଥିଲେ । ଡିଭିଜିନାଲ୍ ସ୍ତରରୁ ଆରମ୍ଭ କରି କର୍ପୋରେଟ୍ ଫାଇନାନସ୍ କ୍ଷେତ୍ରରେ ଦୀର୍ଘ ୨୯ ବର୍ଷ ଧରି ସେ କାର୍ଯ୍ୟ କରି ଆସୁଛନ୍ତି । ନିର୍ଦ୍ଦେଶକ(ଅର୍ଥ) ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ କର୍ପୋରେଟ୍ ଅଫିସରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଅର୍ଥ) ପଦବୀରେ HAL ର ସମସ୍ତ ଫାଇନାନସ୍ ଏବଂ ଆକାଉଣ୍ଟସ୍ ଦାୟିତ୍ୱ ବୁଝୁଥିଲେ । HAL କୁ ମହାରତ୍ନ ମର୍ଯ୍ୟାଦା ମିଳିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।