ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ଗଭୀର ଅବପାତ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି । ଆଜି ସଂଧ୍ୟାରେ ଏହା ପାରାଦ୍ୱୀପର ୪୬୦ କିମି ଦୂରରେ ଥିଲା । ଘଣ୍ଟାକୁ ୧୨ କିମି ବେଗରେ ବାତ୍ୟା ଆଗକୁ ମାଡୁଛି । କାଲି ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବ । ସେତେବେଳେ ପବନର ବେଗ ୧୦୦ କିମି ଛୁଇଁବ । କାଲି ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଏହି ଭୀଷଣ ବାତ୍ୟା ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଥିବା ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଲ୍ୟାଣ୍ଡଫଲ୍ ବେଳେ ୧୦୦ରୁ ୧୨୦ କିମି ବେଗରେ ପବନ ବହିବ ଏବଂ ଏହି ପ୍ରକ୍ରିୟା ୫ ଘଣ୍ଟା ପର୍ଯ୍ୟନ୍ତ ରହିବ ।
ଭୀଷଣ ବାତ୍ୟା ‘ଦାନା’ ର ପ୍ରଭାବରେ ୨୪ ଓ ୨୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ୨୦ରୁ ୩୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଭୀଷଣ ବାତ୍ୟା ପ୍ରଭାବରେ ସାମୁଦ୍ରିକ ଜୁଆର ଆସିବ । କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକରେ ସାଧାରଣ ଜୁଆରଠାରୁ ଅଧିକ ଜଗତସିଂହପୁର ଉପକୂଳରେ ଅଧରୁ ୧ ମିଟର ଜୁଆର ଆସିବ ।୧ରୁ ୨ ମିଟର ଜୁଆର ଆସିବ ବୋଲି ସେ ସୂଚନା ଦେଇଛନ୍ତି ।