ଭୁବନେଶ୍ୱର: ସ୍ୱଳ୍ପ ଅବଧି । ପ୍ରସଙ୍ଗ ହାଉଜାଉ । ସରକାରଙ୍କ ବିରୋଧରେ କଂଗ୍ରେସର ଅନାସ୍ଥା ଫଣ୍ଡା । ହେଲେ ଚାଲି ପାରିଲାନି ବିଧାନସଭା । ସାର ସଙ୍କଟ ଓ ପଞ୍ଚାୟତ କ୍ଷମତା କାଟ୍ ପ୍ରସଙ୍ଗ ଧରି ମୁଖ୍ୟ ବିରୋଧୀ ଦଳ ବିଜେଡି ଗୃହକୁ ଅଚଳ କରିଦେଲା । ଫଳରେ ନାରୀ ନିର୍ଯ୍ୟାତନା, ଆଇନ ଶୃଙ୍ଖଳା ଭଳି ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଧାନସଭାରେ ଆଲୋଚନା ହୋଇପାରିଲାନି କି କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆସିପାରିଲାନି । ଅପବାଦ ଓ ସମାଲୋଚନାରୁ ରାଜ୍ୟ ସରକାର ରକ୍ଷା ପାଇଗଲେ ।
ବିଧାନସଭାରେ ବିଜେଡିର ଆଭିମୁଖ୍ୟ ସବୁଆଡୁ ସମାଲୋଚିତ ହେଉଥିବା ବେଳେ ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁଙ୍କ ମନ୍ତବ୍ୟ ସେହି ନିଆଁରେ ଘିଅ ଭଳି ହୋଇଛି । ଗଣମାଧ୍ୟମକୁ କହୁ କହୁ ତାଙ୍କ ପାଟିରୁ ବିଜେଡିର ଗୁମର ଖୋଲିଯାଇଛି ।
ବିଧାନସଭା ଅଚଳ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଦଳର କାର୍ଯ୍ୟକ୍ରମକୁ ପାଳନ କରିବା ହେଉଛି ଜଣେ ଶୃଙ୍ଖଳିତ ବିଧାୟକଙ୍କର କାର୍ଯ୍ୟ । ତାହା ମୁଁ ପାଳନ କରିଛି । କିନ୍ତୁ ରାଜନୀତି ବିଜ୍ଞାନର ଜଣେ ଛାତ୍ର ଭାବେ ଏହାକୁ ବିଶ୍ୱାସ କରେ ନାହିଁ । କାରଣ ବିଧାନସଭାରେ ଅଧିକରୁ ଅଧିକ ଆଲୋଚନା ହେବା ଗୋଟେ ସୁସ୍ଥ ଗଣତନ୍ତ୍ରର ପରିଚାୟକ । ଏହାଦ୍ୱାରା ସରକାରଙ୍କ ମୁଖା ଖୋଲିବ । ଏହି ଆଲୋଚନାରୁ ଜନସାଧାରଣ ଉପକୃତ ହେବେ । ବିଧାନସଭା ବନ୍ଦ ହେଲେ ବେଶୀ ଲାଭ ହେବ ସରକାରଙ୍କର ।
ଅରୁଣଙ୍କର ଏହି ମନ୍ତବ୍ୟରୁ ବିଧାନସଭା ଅଚଳ କରିବା ପଛରେ ତାଙ୍କର ଯେ ସହମତି ନ ଥିଲା ତାହା ସ୍ପଷ୍ଟ । ମାତ୍ର ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିରେ ଏବଂ ତାଙ୍କ ଭଳି ଜଣେ ବରିଷ୍ଠ ବିଧାୟକଙ୍କ ଅଗୋଚରରେ ଏହି ଦଳୀୟ ନିଷ୍ପତ୍ତି କାହାର ଥିଲା ସେ ପ୍ରଶ୍ନକୁ ଅରୁଣ ଏଡ଼ାଇ ଦେଇଛନ୍ତି ।
ସେ ଯାହା ହେଉ, ବିଜେଡିର ଏହି ନିଷ୍ପତ୍ତି ଭୁଲ୍ ଥିଲା ବୋଲି ଅରୁଣଙ୍କ ଇସାରା କହୁଛି ।
ଅରୁଣଙ୍କର ମନ୍ତବ୍ୟକୁ ନେଇ ଅଧିକ ଚର୍ଚ୍ଚା ହେବା ପଛର କାରଣ ହେଉଛି ନବୀନ ନିବାସ କି ଶଙ୍ଖ ଭବନରେ ତାଙ୍କୁ ଆଉ ପ୍ରାୟ ଦେଖିବାକୁ ମିଳୁନି । କୁଆଡ଼େ ପାଣ୍ଡିଆନଙ୍କ ହାକିମାତିକୁ ସେ ଗ୍ରହଣ କରୁନାହାନ୍ତି । ସମୟ ଦେଖି ଦଳୀୟ ଶୃଙ୍ଖଳାର ଗଣ୍ଡି ଭିତରୁ ତେର୍ଚ୍ଛା ବାଣ ଛାଡୁଛନ୍ତି । ସେ ପାଣ୍ଡିଆନ୍ ବିରୋଧୀ ବୋଲି ସମସ୍ତେ ଜାଣିଲେଣି ।
ରୋଚକ କଥା ହେଉଛି, ଗଲା ବିଧାନସଭାରେ ବିଜେପିର ମୁଖ୍ୟ ଟାର୍ଗେଟ୍ ରେ ଅରୁଣ ସାହୁଙ୍କୁ ଦେଖିବାକୁ ମିଳିଥିଲା । ତାଙ୍କ ସହ ଦଳର ଅନ୍ୟତମ ବରିଷ୍ଠ ବିଧାୟକ ତଥା ପାଣ୍ଡିଆନ୍ ବିରୋଧୀ ରାଜା ସ୍ୱାଇଁ ମଧ୍ୟ ବିଜେପି ଟାର୍ଗେଟ୍ ରେ ଥିଲେ । ଜିଏସଟି ଆଲୋଚନାରେ ବିଜେଡିର ଏହି ଦୁଇ ବରିଷ୍ଠ ବିଧାୟକ ବିଜେପି ସରକାରଙ୍କୁ ପ୍ରଶ୍ନଗଦାରେ ଛିଡ଼ା କରିଥିଲେ । ସେଥିପାଇଁ ବିଜେପି ବିଧାୟକମାନଙ୍କର ପ୍ରତିଶୋଧର ଜ୍ୱାଳା ସେମାନଙ୍କୁ ସହିବାକୁ ପଡ଼ିଥିଲା । ବିଧାୟକ ବାବୁ ସିଂ, ଇରାଶିଷ ଆଚାର୍ଯ୍ୟ ସେମାନଙ୍କୁ ଘାଣ୍ଟି ପକାଇଥିଲେ ।
ଅରୁଣ ଏବଂ ରାଜାଙ୍କ ଉପରେ ବିଜେପି ଶିବିରର ଏହି ରାଗ ପଛରେ କୁଆଡ଼େ ଲୁଚିଛି ରାଜନୀତିର ଗୁଢ଼ ରହସ୍ୟ । ବିଜେପି-ବିଜେଡି ମଧୁର ସମ୍ପର୍କରେ ଏମାନେ କେଁ ପୂରେଇବାକୁ ଚେଷ୍ଟା କରୁଥିବାରୁ ଦୁଇ ଦଳର ମାମଲତକାରଙ୍କ ଆକ୍ରୋଶର ଶରବ୍ୟ ହୋଇଥିବା ଚର୍ଚ୍ଚା ହେଉଛି । ଆଗକୁ ଏହା କେଉଁ ରୂପ ନେବ ତାହା ଦେଖିବାର କଥା ।






