ଭୁବନେଶ୍ୱର: ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି । ସକାଳ ୮ଟାରେ ପ୍ରଥମେ ବାଲାଟ୍ ପେପର ଗଣତି ଏବଂ ସାଢ଼େ ୮ଟାରେ ଇଭିଏମ୍ ରେ ପଡ଼ିଥିବା ଭୋଟ ଗଣତି ଆରମ୍ଭ ହେବ । ୧୪ ଟେବୁଲରେ ୨୬ ରାଉଣ୍ଡ ଗଣତି ହେବ । ପ୍ରତି ରାଉଣ୍ଡ ଗଣତି ପରେ ଫଳାଫଳ ଘୋଷଣା ହେବ । ଅପରାହ୍ନ ୪ଟା ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଆସିଯିବ ।
ନୂଆପଡ଼ାରେ କାହାର ବିଜୟ ହେବ ସମସ୍ତଙ୍କର ଉତ୍କଣ୍ଠା ରହିଛି । ଅଧିକାଂଶ ପୂର୍ବାନୁମାନ ବିଜେପି ସପକ୍ଷରେ ରହିଛି । ୧୦ ହଜାରରୁ ଅଧିକ ଭୋଟରେ ଜୟ ଢ଼ୋଲକିଆ ବିଜୟୀ ହେବେ ବୋଲି ଅନୁମାନ ଲଗାଯାଇଛି । ସେପଟେ ବିଜେଡି ନିଜର ବିଜୟ ନେଇ ଆଶଙ୍କାରେ ଥିବା ଦଳର ଆଚରଣ କହିଦେଉଛି । ଭୋଟଗ୍ରହଣ ପୂର୍ବଦିନଠାରୁ ଶଙ୍ଖଭବନରେ ଦୈନିକ ଅଧଡର୍ଜନ୍ ପ୍ରେସମିଟ୍ କରି ବିଜେପିର ଗୁଣ୍ଡାଗର୍ଦ୍ଦି, ସରକାରୀ କଳର ଦୁରୁପଯୋଗ ତଥା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ମାଳ ମାଳ ଅଭିଯୋଗ ଆଣି ଚାଲିଛି । ଘଟଣାର ସତ୍ୟତା ଯାହା ଥାଉ ନା କାହିଁକି ଏହା ବିଜେଡି ହତାଶାର ପ୍ରତିଫଳନ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନା ହେଉଛି ।
ନୂଆପଡ଼ା ଭୋଟଦିନ ବିଜେପି ବୁଥ୍ ମ୍ୟାନେଜମେଣ୍ଟ କୁ ଫୋକସ୍ କରିଥିଲା ବେଳେ ବିଜେଡିର ଫୋକସ୍ ଥିଲା ଶଙ୍ଖଭବନ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ । ଭୋଟ ପ୍ରଚାର ବେଳେ ପ୍ରଭାବ ବିସ୍ତାର କରିଥିବା ବିଜେଡିର ଏଭଳି ଅସହାୟତାକୁ ପରାଜୟର ଲକ୍ଷଣ ବୋଲି କୁହାଯାଉଛି ।
ଆଜି ମଧ୍ୟ ବିଜେଡି ପକ୍ଷରୁ ଏକ ପ୍ରେସ୍ ମିଟରେ ଭୋଟ ଚୋରି ଅଭିଯୋଗ ହୋଇଛି । ସଂଧ୍ୟା ୫ଟା ସୁଦ୍ଧା ୭୫% ଭୋଟିଂ ହୋଇଥିଲା ବେଳେ ରାତିବେଳକୁ ଏହା ୮୩.୫% କେମିତି ହୋଇଗଲା ବୋଲି ଦଳର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଅଧିକ ପ୍ରତିଶତ ଭୋଟ ହେବା ଗଣତନ୍ତ୍ର ପାଇଁ ଶୁଭ ଲକ୍ଷଣ । କିନ୍ତୁ ଭୋଟିଂ ସମୟ ଶେଷ ହେବା ପରେ ଅର୍ଥାତ୍ ସଂଧ୍ୟା ୫ଟା ପରେ ପ୍ରାୟ ୮%ରୁ ଅଧିକ ଭୋଟ ପଡ଼ିବା ସନ୍ଦେହଜନକ । ପୁଣି ୪୧ଟି ବୁଥ୍ ରେ ୯୧ %ରୁ ଅଧିକ ଭୋଟିଂ ହେବା ଭୋଟ ରିଗିଂର ସନ୍ଦେହ ସୃଷ୍ଟି କରିଛି । ବିଜେପିକୁ ଜିତାଇବା ପାଇଁ ପ୍ରଶାସନ କାମ କରୁଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।
ଗତକାଲି ବରିଷ୍ଠ ନେତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ନୂଆପଡ଼ାରେ ବିଜେଡିର ବିଜୟ ନିଶ୍ଚିତ ବୋଲି ଦମ୍ଭ ଦେଖାଇଥିଲେ ମଧ୍ୟ ସେଥିରେ ଆଉ ଗୋଟେ କଥା ଯୋଡିଥିଲେ । କହିଥିଲେ, ଯଦି ସବୁ ଠିକ୍ ହୁଏ ତେବେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୧୦ ହଜାରରୁ ଅଧିକ ଭୋଟରେ ଜିତିବେ । ଗୋଟିଏ ପଟେ ନୂଆପଡ଼ା ଉପନିର୍ବାଚନରେ ସବୁ ଗୋଳମାଳିଆ ହୋଇଥିବା ବିଜେଡି ଅଭିଯୋଗ କରି ଆସୁଥିବା ବେଳେ ପ୍ରମିଳାଙ୍କ ନୂଆପଡ଼ା ବିଜୟ ଦମ୍ଭରେ କେତେ ଦମ୍ ଅଛି ଆସନ୍ତାକାଲି ଜଣାପଡ଼ିବ ।
କଂଗ୍ରେସରେ ବିଚିତ୍ର ଦୃଶ୍ୟ । ଭୋଟ ପୂର୍ବଦିନରୁ କଂଗ୍ରେସ ବାହିନୀ ହାଲିଆ ହୋଇଯାଇଥିବା ବେଳେ ତା’ ପରଠାରୁ ବୋଧହୁଏ ଶୋଇଯାଇଛନ୍ତି । ନୂଆପଡ଼ା ଫଳାଫଳକୁ ନେଇ ଦଳୀୟ ଶିବିରରେ କୌଣସି ଉତ୍ସାହ ନାହିଁ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଲୋକପ୍ରିୟତା ଉପରେ କାହାର ସନ୍ଦେହ ନ ଥିଲେ ମଧ୍ୟ ତାକୁ ଭୋଟରେ ରୂପାନ୍ତରିତ କରିବାକୁ ଦଳ ସକ୍ଷମ ହୋଇନାହିଁ ବୋଲି ଆଲୋଚନା ହେଉଛି ।
ନୂଆପଡ଼ାରେ କାହାର କେତେ ଖେଳ, କାହାର କେତେ ଦମ୍ ଆସନ୍ତାକାଲି ସ୍ପଷ୍ଟ ହୋଇଯିବ ।