ଭୁବନେଶ୍ୱର: ରାଜ୍ୟରେ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୧୪୩୦ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସେଥିମଧ୍ୟରେ ୨୬୧ ପ୍ରାଧ୍ୟାପକ, ୪୫୯ ସହଯୋଗୀ ପ୍ରାଧ୍ୟାପକ ଏବଂ ୭୧୦ ସହକାରୀ ପ୍ରାଧ୍ୟାପକ ପଦବୀ ରହିଛି । ଆଜି ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଖାଲିଥିବା ଏହି ପଦବୀ ଗୁଡ଼ିକର ପୂରଣ ନିମନ୍ତେ ସରକାର ସକରାତ୍ମକ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଯଥାଶୀଘ୍ର ଖାଲି ପଦବୀଗୁଡ଼ିକ ପୂରଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
ସେହିପରି ସରକାରୀ ମହାବିଦ୍ୟାଳୟରେ ୭୬୬ ଅଧ୍ୟାପକ ପଦବୀ ଖାଲି ରହିଛି । ସମସ୍ତ ସରକାରୀ ଡିଗ୍ରୀ ମହାବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଅଧ୍ୟାପକ ପଦବୀ ଗୁଡ଼ିକ ମଧ୍ୟରୁ ୩୮୫ ଅଧ୍ୟାପକ ପୂରଣ ନିମନ୍ତେ ଓପିଏସସିଙ୍କ ଦ୍ୱାରା ବିଜ୍ଞାପନ ଜାରି କରାଯାଇ ଚୟନ ପ୍ରକ୍ରିୟା ଚାଲୁ ରହିଛି ।
ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ୧୬୮୯ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ୩୦୦ ଜଣ ଅଧ୍ୟାପକ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଧୀନରେ ଡିପ୍ଲଏମେଣ୍ଟ ଆଧାରରେ କାର୍ଯ୍ୟରତ ଅଛନ୍ତି ବୋଲି ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।