ବିଜେପି ଛାଡ଼ିଲେ ଜୀବନ ପ୍ରଦୀପ
ଅସନ୍ତୋଷ ଝାଡ଼ିଲେ ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ୱର: ରବୀନ୍ଦ୍ର ଜେନାଙ୍କୁ ଦଳରେ ଗ୍ରହଣ କରିନାହାନ୍ତି ବାଲେଶ୍ୱର ବିଜେପି ନେତା । ତାଙ୍କୁ ବିରୋଧ କରି ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ ତାଙ୍କର ଇସ୍ତଫା ଘୋଷଣା କରିଛନ୍ତି । ୨୦୨୪ରେ କ୍ଷମତାକୁ ଆସିବା ପରେ ବିଜେପି ମୂଲ୍ୟବୋଧ ରାଜନୀତିରୂ ଦୂରେଇ ଯାଇଛି । ସେଥିପାଇଁ ରବୀନ୍ଦ୍ର ଜେନାଙ୍କ ଭଳି ଜଣେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଦଳରେ ସାମିଲ କରାଯାଇଛି । ଏହା ନୈତିକତାର ଜଳାଞ୍ଜଳି ବୋଲି ସେ କହିଛନ୍ତି ।
ସେଭଳି ସାଂସଦ ପ୍ରତାପ ଷଡ଼ଙ୍ଗୀ ତାଙ୍କର ଘୋର ରାଜନୈତିକ ଶତ୍ରୁ ରବୀନ୍ଦ୍ର ଜେନାଙ୍କୁ ବିଜେପିରେ ଗ୍ରହଣ କରିପାରିନାହାନ୍ତି । ରବୀନ୍ଦ୍ର ଆସିବା ପରେ ଦଳର ଲାଭ ହେବ ସେଭଳି ସମ୍ଭାବନା ଦେଖୁନାହାନ୍ତି ବୋଲି ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଏଥିସହ ତାଙ୍କୁ ଦଳରେ ଗ୍ରହଣ କରିବା ପୂର୍ବରୁ ତାଙ୍କର ସହମତି ନିଆଯାଇନାହିଁ କହି ଅସନ୍ତୋଷ ଝାଡ଼ିଛନ୍ତି ଶ୍ରୀ ଷଡ଼ଙ୍ଗୀ । ସେ କହିଛନ୍ତି ଯେ ଦଳରେ ତାଙ୍କ ସହ କ’ଣ ବୁଝାମଣା ହୋଇଛି ତାହା ମୁଁ ଜାଣିନି । ଶୁଦ୍ଧତା ରକ୍ଷାକରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ରବୀନ୍ଦ୍ର କେତେଦୂର ପାର୍ଟି ସହ ଜଡ଼ିତ ହୋଇ କାମ କରିବେ ଆଗକୁ ଜଣାପଡ଼ିବ । ବହୁ ଆଗରୁ ସେ ବିଜେପିରେ ଆସିବେ ବୋଲି ପ୍ରସ୍ତାବ ଦେଇଥିଲେ । ସେ ଆସିଲେ ତାଙ୍କ ପତ୍ନୀଙ୍କୁ ଟିକେଟ ଦିଆଯିବ ତାହା ରାଜ୍ୟ ସଭାପତି କହିଥିଲେ । ମୁଁ ସେତେବେଳେ ରାଜି ଥିଲି ବୋଲି ସେ କହିଛନ୍ତି ।