ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରସ୍ତାବିତ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ମେଗା ଇସ୍ପାତ ପ୍ରକଳ୍ପ ଆନ୍ଧ୍ର ପ୍ରଦେଶକୁ ଚାଲିଯାଇଛି । ଗତକାଲି ଆନ୍ଧ୍ରପ୍ରଦେଶରେ ଏହାର ସର୍ବବୃହତ୍ତ ଇସ୍ପାତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଆଜି ଶଙ୍ଖଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଗୁରୁତର ଅଭିଯୋଗ ଆଣିଛି ବିଜେଡି । ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ମେଗା ଇସ୍ପାତ ପ୍ରକଳ୍ପ ଆନ୍ଧ୍ରକୁ ଚାଲିଯାଇଥିବାରୁ କେନ୍ଦ୍ରାପଡ଼ାରେ ପ୍ରକଳ୍ପ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । କେବଳ ଏହି ପ୍ରକଳ୍ପ ନୁହେଁ ବରଂ ପୂର୍ବ ସରକାରଙ୍କ ସମୟରେ ରାଜ୍ୟରେ ପ୍ରତିଷ୍ଠା ହେବା ପାଇଁ ଚୁକ୍ତିବଦ୍ଧ ହୋଇଥିବା ଅନେକ କମ୍ପାନୀ ଓଡିଶା ଛାଡିଲେଣି, କିନ୍ତୁ ରାଜ୍ୟ ସରକାରଙ୍କ ଏଥିପ୍ରତି ନିଘା ନାହିଁ ବୋଲି ଦଳ ଅଭିଯୋଗ କରିଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ବିଧାୟକ ସାରଦା ପ୍ରସନ୍ନ ଜେନା ରାଜ୍ୟରୁ ଗୋଟିଏ ପରେ ଗୋଟିଏ ଶିଳ୍ପ ଅନୁଷ୍ଠାନ ବିଦାୟ ନେଉଥିବା ବେଳେ, ରାଜ୍ୟ ସରକାର କେବଳ ଉତ୍ସବ ମନାଇବାରେ ବ୍ୟସ୍ତ୍ୟ ଅଛନ୍ତି ବୋଲି କହିଛନ୍ତି । ଶ୍ରୀ ନାୟକ କହିଥିଲେ, ପୂର୍ବ ସରକାରଙ୍କ ସମୟରେ କେନ୍ଦ୍ରାପଡା ଜିଲ୍ଲାରେ ୨୪ ମିଲିଅନ ଟନ କ୍ଷମତା ବିଶିଷ୍ଟ ଏକ ମେଗା ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ସହିତ ରାଜ୍ୟ ସରକାରଙ୍କ ଚୁକ୍ତି ହୋଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନରେ ଥିବା ନିପନ ଷ୍ଟିଲ କାରଖାନାକୁ ପରିଭ୍ରମଣ କରିଥିଲେ । ଏହାପରେ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ, ରେଲୱେ ଲାଇନ, ରାସ୍ତା ନିର୍ମାଣ ଓ ନିକଟରେ ଏକ ବନ୍ଦର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ ସମସ୍ତ କାମ ଧିମେଇ ଯାଇଛି । ଗତକାଲି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ସେଠାରେ ଅବିକଳ ଏହିପରି ଏକ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ଓଡ଼ିଶାରେ ପ୍ରତିଷ୍ଠା ହେବାକୁ ଥିବା ପ୍ରକଳ୍ପ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ଓଡ଼ିଶାରେ ପ୍ରତିଷ୍ଠା ହେବା ପ୍ରକଳ୍ପକୁ ବିଶ୍ୱର ସର୍ବବୃହତ ଗ୍ରୀନଫିଲ୍ଡ ପ୍ରକଳ୍ପ କୁହାଯାଉଥିବା ବେଳେ ଆନ୍ଧ୍ରରେ ଆରମ୍ଭ ହେବାକୁ ଯାଉଥିବା ପ୍ରକଳ୍ପକୁ ମଧ୍ୟ ବିଶ୍ୱର ସର୍ବବୃହତ ଗ୍ରୀନଫିଲ୍ଡ ଇସ୍ପାତ ପ୍ରକଳ୍ପ କୁହାଯାଉଛି । ପୂର୍ବରୁ ଏନେଇ ପ୍ରଶ୍ନ ଉଠିଥିଲା ବେଳେ, ରାଜ୍ୟ ବିଜେପି ସରକାର ଏହାକୁ ଅସ୍ୱୀକାର କରିଆସୁଛନ୍ତି । କିନ୍ତୁ ଓଡ଼ିଶାରେ ଏହି ପ୍ରକଳ୍ପ କାର୍ଯ୍ୟ ଠପ୍ ହୋଇଯାଇଥିବା ବେଳେ ଆନ୍ଧ୍ରରେ ଆରମ୍ଭ ହୋଇଯାଇଛି ।
ସେ ପୁଣି କହିଥିଲେ, ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ ବିଜେପି ସରକାରକୁ ଆସିଥିବା ବେଳେ ରାଜ୍ୟର ବିକାଶରେ ଡବଲ ବ୍ରେକ ଲାଗିଛି । ପୂର୍ବ ସରକାରଙ୍କ ସମୟରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଚୁକ୍ତିବଦ୍ଧ ହୋଇଥିବା କମ୍ପାନୀ ମାନଙ୍କ ଭିତରୁ, କେବଳ ଏଏମଏନଏସ ନୁହେଁ, ଏମିତି ଅନେକ କମ୍ପାନୀ ଓଡିଶାରୁ ବିଦାୟ ନେଲେଣି । ରାଜ୍ୟ ସରକାରଙ୍କ ଏଥିପ୍ରତି ନିଘା ନାହିଁ । ରାଜ୍ୟ ସରକାର କେବଳ ଉତ୍ସବରେ ମାତିଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରେ ଉକ୍ରର୍ଷ ଓଡିଶା କାର୍ଯ୍ୟକ୍ରମ ହେଉଛି ଓ ଅନେକ ଶିଳ୍ପ ଅନୁଷ୍ଠାନ ଓଡିଶା ଆସିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ବୋଲି ସରକାର କହୁଛନ୍ତି, କିନ୍ତୁ ଶିଳ୍ପ ଅନୁଷ୍ଠାନ ଆସିବା ପରିବର୍ତ୍ତେ ବିଦାୟ ନେଉଛନ୍ତି । ଗତ ପ୍ରାୟ ୨୦ ମାସର ବିଜେପି ଶାସନରେ ଅନେକ କମ୍ପାନୀ ଯଥା, କଟକ ଠାରେ ପ୍ରତିଷ୍ଠା ହେବାକୁ ଥିବା ଜିନ୍ଦଲ ଇଭି ପ୍ରକଳ୍ପ, ଚୌଦ୍ୱାର ଠାରେ ପ୍ରତିଷ୍ଠା ହେବାକୁ ଥିବା ୱେଲସ୍ପନ କମ୍ପାନୀ, ଢେଙ୍କାନାଳ ଓ ଅନୁଗୁଳ ଠାରେ ପ୍ରତିଷ୍ଠା ହେବାକୁ ଥିବା ୱାରୀ ସୋଲାର ପ୍ରକଳ୍ପ ଓ ସେମି କଣ୍ଡକ୍ଟର ତିଆରି କରୁଥିବା ଏସ ରାମ, ଏନ ରାମ କମ୍ପାନୀ ଅନ୍ୟ ରାଜ୍ୟକୁ ଚାଲିଗଲେଣି । ଏହିସବୁ ପ୍ରକଳ୍ପ ଗୁଡିକ ରାଜ୍ୟରେ ସ୍ଥାପନ ହୋଇଥିଲେ, ରାଜ୍ୟର ହଜାର ହଜାର ଯୁବକ ଯୁବତୀ ନିଯୁକ୍ତି ପାଇଥାନ୍ତେ । ପ୍ରକଳ୍ପ ଚାଲିଯିବା ଦ୍ୱାରା ଏହି ସୁଯୋଗ ହାତଛଡା ହୋଇଛି ।
ଶ୍ରୀ ଜେନା କହିଥିଲେ, ପାରାଦ୍ୱୀପ ବାଲିଯାତ୍ରା ସମୟରେ ପାରାଦ୍ୱୀପ ବିଧାୟକ ତଥା ରାଜ୍ୟର ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସେ ସଭା ମଣ୍ଡପରୁ ଏଏମଏନଏସ ରାଜ୍ୟରେ ପ୍ରତିଷ୍ଠା ହେବା ନେଇ ସ୍ପଷ୍ଟ କରନ୍ତୁ ବୋଲି କହିଥିଲେ । ତାଙ୍କ ପ୍ରଶ୍ନର ଉତ୍ତରରେ, ଉଭୟ ଶିଳ୍ପ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ସମ୍ମୁଖରେ ଏହା ଓଡିଶାରୁ ଯାଇନାହିଁ ବୋଲି କହିଥିଲେ । ସେହିପରି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ, ଶିଳ୍ପ ମନ୍ତ୍ରୀ ମଧ୍ୟ ଏଏମଏନଏସ ରାଜ୍ୟରୁ ଯାଇନାହିଁ ବୋଲି କହିଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଆନ୍ଧ୍ରରେ ଗତକାଲି ଏହି ପ୍ରକଳ୍ପର ଶୁଭ ଦିଆଯାଇଛି । ତେଣୁ ଗତକାଲି ଆମ ରାଜ୍ୟ ପାଇଁ ଏକ କଳା ଦିବସ ଥିଲା । ରାଜ୍ୟ ସରକାର ପ୍ରକୃତ ତଥ୍ୟ ଉପରୁ ପରଦା ଉଠାନ୍ତୁ । ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖନ୍ତୁ । କେବଳ ଏଏମଏନଏସ ନୁହେଁ, ଅନେକ ଚୁକ୍ତିବଦ୍ଧ କମ୍ପାନୀ ରାଜ୍ୟ ଛାଡିଲେଣି ।