ଭୁବନେଶ୍ଵର: ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ଗତ ରାତିରେ ଏକ ବର୍ବର ଓ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଚୋରା ପଥର ଚାଲାଣକୁ ବିରୋଧ କରୁଥିବା ଜଣେ ଯୁବକଙ୍କୁ ପଥର ମାଫିଆମାନେ ଅତି ନୃଶଂସ ଭାବରେ ହତ୍ୟା କରିଛନ୍ତି। ରାସ୍ତା ଉପରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଡାହାଣ ହାତ ପାପୁଲିଠାରୁ କାଟି ହତ୍ୟା କରିଛନ୍ତି। ବାଲିଅନ୍ତା ବର୍ବର କାଣ୍ଡର ବିଭୀଷିକା ଲୋକଙ୍କ ମନରୁ ଯାଇ ନ ଥିଲା ବେଳେ ଓଡ଼ଗାଁ ଥାନାଠାରୁ ମାତ୍ର ୧ କିଲୋମିଟର ଦୂରରେ ଘଟିଥିବା ଏହି ବର୍ବର କାଣ୍ଡ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାରେ ଆଉ ଏକ ଫର୍ଦ୍ଦ ଯୋଡିଛି। ହତ୍ୟା ପ୍ରତିବାଦରେ ସ୍ଥାନୀୟ ଅଳବାସୀଙ୍କ ପକ୍ଷରୁ ଓଡ଼ଗାଁ- ନୟାଗଡ଼ ମୁଖ୍ୟରାସ୍ତା ଅବରୋଧ କରାଯାଇଥିବାରୁ ଯାତାୟତ ବନ୍ଦ ହୋଇଯାଇଛି।
ଗଲା ରାତି ପ୍ରାୟ ୨ଟା ବେଳେ ଓଡ଼ଗାଁ କଦଳୀବନ୍ଧରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଯୁବକ ଅଜିତ ସାହୁ ଘରେ ଶୋଇଥିଲା ବେଳେ ତାଙ୍କୁ ଡାକିନେଇ ହତ୍ୟା କରାଯାଇଛି। ଘଟଣାର ପ୍ରତ୍ୟକ୍ଷଦର୍ଶୀ ଅଜିତଙ୍କ ବନ୍ଧୁ ସନ୍ତୋଷ ପ୍ରଧାନଙ୍କ କହିବାନୁଯାୟୀ, ୬ ଜଣ ପଥର ମାଫିଆ ଦୁଇଟି କାର୍ ରେ ଆସିଥିଲେ। ଅଜିତଙ୍କୁ ଗାଳି ମନ୍ଦ କରି ମାରିବାକୁ ଗୋଡ଼ାଇଲା ବେଳେ ସେ ଅଟକାଇବାକୁ ଚେଷ୍ଟା କରିବାରୁ ସେମାନେ ଖଣ୍ଡା ଧରି ତାଙ୍କୁ ଗୋଡ଼ାଇଥିଲେ। ଜୀବନ ବିକଳରେ ସେ(ସନ୍ତୋଷ) ସେଠାରୁ ଖସିଯିବା ପରେ ଅଜିତଙ୍କୁ ରାସ୍ତା ଉପରେ ଖଣ୍ଡା ଚୋଟ ପକାଇଥିଲେ। ଜୀବନ ବିକଳରେ ଅଜିତ ଦୌଡ଼ୁଥିବା ବେଳେ ମାଫିଆମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଚୋଟ ପରେ ଚୋଟ ପକାଇ ଚାଲିଥିଲେ। ଗୋଟିଏ କିଲୋମିଟର ଦୂରରେ ଥିବା ଓଡ଼ଗାଁ ଥାନାକୁ ସନ୍ତୋଷ ଫୋନ୍ କରି ଜଣାଇଥିଲେ ମଧ୍ୟ ପୁଲିସ ବାବୁମାନେ ନିଦ ମଳ ମଳ ଆଖିରେ ଫୋନ୍ ଉଠାଇ ପୁଣି ଶୋଇ ପଡ଼ିଥିଲେ।
ମାଫିଆମାନେ ଅତି ନୃଶଂସ ଭାବରେ ଅଜିତଙ୍କ ଡାହାଣ ହାତ ପାପୁଲିକୁ ହାଣି ଅଲଗା କରିଦେବା ପରେ ଜାଗା ଛାଡ଼ି ପଳାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚଟପଟ ହୋଇ ସେହିଠାରେ ହó ପ୍ରାଣ ହରାଇଥିଲେ ଅଜିତ। ଗ୍ରାମବାସୀଙ୍କୁ ଧରି ସନ୍ତୋଷ ସେଠାକୁ ଯିବା ବେଳକୁ ଅଜିତ୍ ଙ୍କ ଶବ ପଡ଼ିଥିଲା।
ଗ୍ରାମବାସୀଙ୍କ କହିବାନୁଯାୟୀ ସ୍ଥାନୀୟ ପଥର ଖଣିରୁ ମାଫିଆମାନେ ମାଙ୍କଡ଼ା ପଥର ଚାଲାଣ କରି ଆସୁଥିଲେ। ରାତିରେ ଟ୍ରକ୍ ରେ ଏହା ଚାଲାଣ ହେଉଥିଲା। ଗ୍ରାମବାସୀମାନେ ଏହାକୁ ବିରୋଧ କରୁଥିଲେ ମଧ୍ୟ ପୁଲିସ ଓ ପ୍ରଶାସନ ନିଦାବିଷ୍ଣୁ ସାଜିଥିଲେ। ଦିନକ ପୂର୍ବରୁ ଅଜିତ୍ ଏହି ଚୋରା କାରବାରକୁ ବିରୋଧ କରି ଗୋଟିଏ ଟ୍ରକ ଅଟକାଇଥିଲେ। ମାଫିଆମାନେ ଏହାର ବଦଲା ନେଇ ଶେଷରେ ତାଙ୍କୁ ହତ୍ୟା କରିଛନ୍ତି। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ ଅଜିତ୍ ଙ୍କ ଜୀବନ ରକ୍ଷା ହୋଇଯାଇଥାନ୍ତା ବୋଲି ସେମାନେ କହିବା ସହ ପୁଲିସ ଉପରେ ରାଗ ଝାଡ଼ିଛନ୍ତି।
ପୁଲିସର ଉଦାସୀନତା ଏବଂ ଅଜିତ ପରିବାରକୁ ନ୍ୟାୟ ଦାବିରେ ଆଜି ସକାଳୁ ଶହ ଶହ ଅଞ୍ଚଳବାସୀ ଓଡ଼ଗାଁ-ନୟାଗଡ଼ ମୁଖ୍ୟ ରାସ୍ତା ଅବରୋଧ କରି ଧାରଣା ଦେଇଛନ୍ତି। ପରିସ୍ଥିତି ଉତ୍ତେନାପୂର୍ଣ୍ଣ ରହିଛି। ଇତିମଧ୍ୟରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିଛି।