ଭୁବନେଶ୍ଵର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଆଜି ସକାଳେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଦଳର କୋର୍ କମିଟି ବୈଠକରେ ଯୋଗଦେଇଥିଲେ। ଏଥିରେ ଦଳର ସାଂଗଠନିକ ସ୍ଥିତି ସମ୍ପର୍କରେ ସେ ସମୀକ୍ଷା କରିବା ସହ ରାଜ୍ୟ ନେତା ଓ କର୍ମୀମାନଙ୍କୁ ୫ଟି ଗୁରୁମନ୍ର ଦେଇଛନ୍ତି। ସେଗୁଡ଼ିକ ହେଲା- ନେତା ଓ କର୍ମୀଙ୍କ ମଧ୍ୟରେ ସମନ୍ବୟ ରଖିବା, ସଂଗଠନକୁ ଅଧିକ ମଜବୁତ କରିବା, ପ୍ରତି କର୍ମକର୍ତ୍ତାଙ୍କୁ ତଦାରଖ ଦାୟିତ୍ବ, ଜନତାଙ୍କ ପାଖରେ ଗ୍ରହଣୀୟତା ଏବଂ ତୃଣମୂଳସ୍ତରରେ ସରକାରଙ୍କ ଯୋଜନା ପହଞ୍ଚାଇବା।
ବିଜେପିର ଏହି କୋର କମିଟି ବୈଠକରେ ୨୦୩୬ ବିକଶିତ ଓଡ଼ିଶା ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇଛି। ଉତ୍ତରଦାୟୀ ସରକାର ଓ ଶକ୍ତିଶାଳୀ ସଂଗଠନ ଉପରେ ଗୁରୁତ୍ବ ଦିଆଯାଇଛି। ଓଡ଼ିଶାର ଶାସନ ବ୍ୟବସ୍ଥାକୁ ସ୍ବଚ୍ଛ, ଦକ୍ଷ ଓ ଜନକଲ୍ୟାଣକାରୀ କରିବା ପାଇଁ ସରକାର ଓ ସଂଗଠନ ପାଇଁ ଭିନ୍ନ ଭିନ୍ନ ରଣନୀତି ନିର୍ଦ୍ଧାରଣ କରାଯାଇଛି। ପ୍ରତ୍ୟେକ ଯୋଜନା ସମାଜର ଯେଭଳି ଗରିବ ଓ ଶେଷଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ବିନା ବାଧାବିଘ୍ନରେ ପହଞ୍ଚି ପାରିବ ତାହା ଉପରେ ଅଧିକ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ଵରେ ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ବିକାଶକୁ ଏକ ନୂଆ ଶିଖରକୁ ନେଇ ଯାଉଛନ୍ତି ବୋଲି ବୈଠକ ଶେଷରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।
ସୂଚନାଥାଉକି, ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ଵ ନେବା ପରେ ନିତିନି ନବୀନଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବା ବେଳେ ଆଜି କୋର୍ କମିଟି ବୈଠକରେ ତାଙ୍କର ୫ ସୂତ୍ରୀ ମନ୍ତ୍ର ଦଳ ପାଇଁ ଗୁରୁତ୍ବ ବହନ କରୁଛି। କୋର କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଯୋଗଦେଇଥିଲେ।