ଭୁବନେଶ୍ୱର: ରବିବାର ଅପରାହ୍ନ ପ୍ରାୟ ୪ଟା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖକୁ ଦିଲ୍ଲୀରୁ ଆସିଲା ଫୋନ୍ । ମନମୋହନ ସାମଲଙ୍କୁ ସାଙ୍ଗରେ ଧରି ତୁରନ୍ତ ଆସି ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଗଲା । ଏହି ଜରୁରୀ କଲ୍ ପାଇ ହଡ଼ବଡ଼େଇ ଗଲେ ମୁଖ୍ୟମନ୍ତ୍ରୀ । କିଛି ଅଘଟଣ ଘଟିବାକୁ ଯାଉଛି କି ବୋଲି ମନରେ ସଂଶୟ ସୃଷ୍ଟି ହେବା ସ୍ୱାଭାବିକ । ଘଟଣା ବୁଝୁ ବୁଝୁ କ’ଣ ନା- ଦେବାଶିଷ ସାମନ୍ତରାୟ ବିଜେପିରେ ଯୋଗଦେବେ । ସେଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତିଙ୍କର ଉପସ୍ଥିତି ଦରକାର । ନିଜ ଲାଜ ନିଜକୁ ଖାଇଲା ଭଳି ଅବସ୍ଥା ହୋଇଗଲା ମୁଖ୍ୟମନ୍ତ୍ରୀଙ୍କର ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦେବାଶିଷ ସାମନ୍ତରାୟଙ୍କୁ ବିଜେପିକୁ ଆଣିବାର ଶ୍ରେୟ ଯଦି କାହାକୁ ଦିଆଯାଏ ସେ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାରଣ ଦେବାଶିଷ ବିଜେପିରେ ମିଶିବା ପାଇଁ ଦୀର୍ଘ ଦିନ ଧରି ବାଉଳାରେ ଥିଲେ ମଧ୍ୟ ବାଟ ପାଉ ନ ଥିଲେ । ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିବାକୁ ଉଦ୍ୟମ ଲଗାଇ ତାଙ୍କର ଦିନ କଟୁଥିଲା । ଶେଷରେ ଧର୍ମେନ୍ଦ୍ରଙ୍କର ସାହାଯ୍ୟ ଲୋଡ଼ିଥିଲେ । ଧର୍ମେନ୍ଦ୍ର ମଧ୍ୟ ଏଭଳି ସୁଯୋଗ ଅପେକ୍ଷାରେ ଥିଲେ । ସିଧା ଅମିତ୍ ଶାହାଙ୍କ ସହ କଥା ହୋଇ ଦେବାଶିଷଙ୍କୁ ଭେଟାଇବାର ବନ୍ଦୋବସ୍ତ କରିଦେଲେ ।
ରବିବାର ଦିନ ଭେଟଘାଟ ହୋଇଗଲା ପରେ କାର୍ଯ୍ୟକ୍ରମ ସ୍ଥିର ହେଲା । ସୋମବାର ସକାଳୁ ଦେବାଶିଷ ବିଜେଡିରୁ ଇସ୍ତଫା ଦେବେ । ତା’ ପରେ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ଯାଇ ସଦସ୍ୟ ପଦରୁ ଇସ୍ତଫାପତ୍ର ଦେବେ । ସଂଧ୍ୟାରେ ବିଜେପି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ଅନ୍ୟମାନଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ ରାଜ୍ୟ ସଭାପତି ଶ୍ରୀ ସାମଲ ନିଶ୍ଚୟ ଉପସ୍ଥିତ ରହିବେ ।
ମୋହନ-ମନମୋହନଙ୍କୁ କଥାଟି ସୁନ୍ଦର ଲାଗି ନ ଥିଲେ ମଧ୍ୟ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପାଳନ କରିବା ଛଡ଼ା ଅନ୍ୟ ଚାରା ନ ଥିଲା । ମୁଖ୍ୟମନ୍ତ୍ରୀଙ୍କ ନିକଟତମ ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କୁ ଘଟଣାଟି ନାପସନ୍ଦ ହେବାର ଯଥେଷ୍ଟ କାରଣ ରହିଛି । ବିଜେଡିର ଜଣେ ରାଜ୍ୟସଭା ସାଂସଦ ବିଜେପିରେ ମିଶିବେ, ଅଥଚ ମୁଖ୍ୟମନ୍ତ୍ରୀ ଏହାର ସୁରାକ୍ ପାଇବେନି? କଥା ଛିଣ୍ଡିଲା ପରେ ହାଜିରା କଲ୍ ପାଇବେ? ଏହାଠାରୁ ବଳି ଲଜ୍ଜାକର କଥା କିଛି ଅଛି କି? ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଏହା କଷ୍ଟ ଦେବା ସ୍ୱାଭାବିକ!!
ତେବେ ମନ କଥା ମନରେ ରହିି ବାହାରକୁ ଏହି ବାର୍ତ୍ତା ନ ଯିବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖଲୋକମାନେ ବୁଦ୍ଧି ଖଟାଇଥିଲେ । ସେହି କ୍ରମରେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେମିତିକି ଓଡ଼ିଶାରେ ବାର୍ତ୍ତା ଯିବ- ନାଇଁ, ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହିତ ଭେଟିବାକୁ ଯାଇଛନ୍ତି । ଦେବାଶିଷ ସାମନ୍ତରାୟଙ୍କ ବିଜେପି ମିଶିବା ସହିତ ତାଙ୍କ ଗସ୍ତର ସମ୍ପର୍କ ନାହିଁ । ଦିଲ୍ଲୀରେ ଥିବାରୁ ଆଜି ମିଶ୍ରଣ ପର୍ବରେ ଉପସ୍ଥିତ ରହିବେ ।
ରୋଚକ କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରକ୍ଷା ପାଇଁ କୁଆଡ଼େ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବେଶୀ ଆଗ୍ରହ ଦେଖାଇଛନ୍ତି । ଗତକାଲିର ମିଶ୍ରଣ କାର୍ଯ୍ୟକ୍ରମ ଆଜିକୁ ଘୁଞ୍ଚାଇଦେବା ନିମନ୍ତେ ସେ ହାଇକମାଣ୍ଡଙ୍କୁ ପ୍ରବର୍ତ୍ତାଇବାରେ ସଫଳ ହୋଇଛନ୍ତି ।
Continue Reading






