ଭୁବନେଶ୍ୱର: ଗତକାଲି ଜଣେ ବିଜେପି ସାଂସଦଙ୍କର ଗୋଟେ ଟିଭି ଇଣ୍ଟରଭ୍ୟୁ ଦେଖୁଥିଲୁ । ବିଜେପିରେ ଯୋଗ ଦେବାକୁ ଯାଉଥିବା ଦେବାଶିଷ ସାମନ୍ତରାୟଙ୍କ ବିଷୟରେ କହୁଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ବିକଶିତ ଭାରତ’ ଡାକରା ଦେବାଶିଷଙ୍କର କୁଆଡ଼େ ରକ୍ତ ଗରମ କରେଇ ଦେଇଛି । ଏକ ସଶକ୍ତ ଦେଶ ଗଠନରେ ମୋଦିଙ୍କ ହାତ ଧରିବାକୁ ତାଙ୍କ ମନରେ ଉନ୍ମାଦନା ସୃଷ୍ଟି ହୋଇଛି । ସେଥିପାଇଁ ସେ ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍, ଦେବାଶିଷ ବାବୁ ଏଣିକି ମୋଦୀଙ୍କ ଯୋଦ୍ଧା ହୋଇ ରାଷ୍ଟ୍ର ନିର୍ମାଣରେ ମାତିବେ । କଟକ ସହର ଛାତିରେ ଛିଡ଼ା ହୋଇ ଏକ ସୁନ୍ଦର ଓଡ଼ିଶା ଅବଲୋକନ କରିବେ । ସାଂସଦଙ୍କର ଏହି ଇଣ୍ଟରଭ୍ୟୁ ଦେଖିଲା ପରେ ଜଣେ ନେତାଙ୍କର ‘ନିର୍ଲଜପଣିଆ’ ଅନୁଭବ କରିହେଲା । ଅର୍ଥ ଓ କ୍ଷମତା ନିଶାରେ ଏମାନେ ସତରେ କେଡ଼େ ନିର୍ଲଜ!
୨୦୧୬-୧୭ ବେଳକୁ ଭିକେ ପାଣ୍ଡିଆନ୍ ବିଜେଡିରେ ସର୍ବଶକ୍ତିମାନ ହୋଇସାରିଥିଲେ । ନବୀନ ପଟ୍ଟନାୟକଙ୍କର ପ୍ରାଇଭେଟ୍ ସେକ୍ରେଟାରୀ ଭାବେ ସବୁ ନିଷ୍ପତ୍ତି ପଛରେ ସେ ଥିଲେ । ୨୦୧୯ ସାଧାରଣ ନିର୍ବାଚନ ପରିଚାଳନାର ଦାୟିତ୍ୱ ପାଣ୍ଡିଆନଙ୍କ ଉପରେ ନ୍ୟସ୍ତ କରିଥିଲେ ନବୀନ ବାବୁ । ସୁତରାଂ ବିଜେଡି ସିଷ୍ଟମ୍ ସମ୍ପୂର୍ଣ୍ଣ ଭାବେ ତାଙ୍କ ନିୟନ୍ତ୍ରଣରେ ରହିଥିଲା । କ୍ଷମତାଲୋଭୀ ନେତାମାନେ ପାଣ୍ଡିଆନଙ୍କୁ ଭଗବାନ ଭଳି ମାନୁଥିଲେ । ସେହି ଅଣଓଡ଼ିଆ ପାଣ୍ଡିଆନ୍ କିଏ ବୋଲି ପ୍ରଭାତ ତ୍ରିପାଠୀ, ଅମର ଶତପଥୀ, ପ୍ରଭାତ ବିଶ୍ୱାଳ, ଦେବାଶିଷ ସାମନ୍ତରାୟଙ୍କ ଭଳି ବରିଷ୍ଠ ନେତାମାନେ ସେତେବେଳେ ପ୍ରଶ୍ନ କରି ନ ଥିଲେ । କାରଣ ଆଗକୁ ଟିକେଟ, ମନ୍ତ୍ରୀପଦର ଲୋଭ ଥିଲା । ନିଜର ସ୍ୱାର୍ଥ ହାସଲ ପାଇଁ ପାଣ୍ଡିଆନଙ୍କ ଗୋଡ଼ ଧରିବାକୁ ସେମାନେ କୁଣ୍ଠାବୋଧ କରୁ ନ ଥିଲେ ।
ଆଜି ସ୍ୱାଭିମାନର ଭାଷଣ ମାରୁଥିବା ସୌମ୍ୟରଂଜନ ପଟ୍ଟନାୟକ ସେହି ପାଣ୍ଡିଆନଙ୍କ ଶରଣରେ ପଶି ୨୦୧୮ରେ ରାଜ୍ୟସଭା ଟିକେଟ ଏବଂ ୨୦୧୯ରେ ଖଣ୍ଡପଡ଼ା ବିଧାନସଭା ଟିକେଟ ନେଇଥିଲେ ନା ନାଇଁ? ଯେତେବେଳେ ମନ୍ତ୍ରୀପଦ ମିଳିଲାନି ସେତେବେଳେ ଯାଇ ତାଙ୍କ ମୁଣ୍ଡକୁ ‘ନେତା ବଡ଼ ନା ଅଫିସର’ ବଡ଼ ପ୍ରଶ୍ନ ଆସିଲା । ଓଡ଼ିଆ ଅସ୍ମିତା ପ୍ରଶ୍ନ ଆନ୍ଦୋଳିତ କଲା । ସେହିଭଳି ୨୦୨୪ ନିର୍ବାଚନରେ ପାଟକୁରାରୁ ବିଜେଡି ଟିକେଟ୍ ପାଇବା ପାଇଁ ବିଜୟ ମହାପାତ୍ର ତାଙ୍କ ପୁଅକୁ ପାଣ୍ଡିଆନଙ୍କ ପାଖକୁ ପଠାଇ ନ ଥିଲେ କି? ସେତେବେଳେ ପାଣ୍ଡିଆନ୍ ଓଡ଼ିଆ ଥିଲେ ନା ଅଣଓଡ଼ିଆ? ସୁତରାଂ ଏମାନେ ଏବେ ଯାହା କହୁଛନ୍ତି, ତାହା ଦିନବେଳେ ଲଣ୍ଠନ ଦେଖାଇଲା ଭଳିଆ କଥା ।
ବର୍ତ୍ତମାନର ରାଜ୍ୟସଭା ସାଂସଦଙ୍କ କଥା ଦେଖାଯାଉ । ବିଜେଡି ସରକାର କ୍ଷମତାରୁ ଗଲା ପରେ ପ୍ରଥମେ ରାଜ୍ୟସଭା ସାଂସଦ ମମତା ମହନ୍ତ ବିଜେପିକୁ ପଳାଇଲେ । ସେଥିପାଇଁ ପାଣ୍ଡିଆନଙ୍କୁ ଦାୟୀ କଲେ । ପରେ ସୁଜିତ କୁମାର ଚାଲିଲେ । ଏବେ ଦେବାଶିଷ ସାମନ୍ତରାୟ ଗଲେ । ପାଣ୍ଡିଆନଙ୍କ ଯୋଗୁଁ ବିଜେଡି ଛାଡ଼ିଲେ ବୋଲି ଦେବାଶିଷ ବାବୁ ମିଡିଆକୁ ଡାକି ଡାକି ବାଇଟ୍ ଦେଉଛନ୍ତି । ତାଙ୍କର ଚଉଦ ପୁରୁଷ ଉଦ୍ଧାର କରୁଛନ୍ତି ।
ବିଡ଼ମ୍ବନାର କଥା ହେଉଛି ଏହି ମମତା ମହନ୍ତ, ଏହି ସୁଜିତ୍ କୁମାର, ଏହି ଦେବାଶିଷ ସାମନ୍ତରାୟ ସେହି ପାଣ୍ଡିଆନଙ୍କୁ ତେଲ ମାରି ସେତେବେଳେ ରାଜ୍ୟସଭା ଯାଇଥିଲେ । ପାଣ୍ଡିଆନ ଚାହିଁ ନ ଥିଲେ ଏମାନେ ରାଜ୍ୟସଭା ଯିବା ଅସମ୍ଭବ ଥିଲା । ଏହା କାହାରିକୁ ଅଛପା କି? ଏବେ ନିଜକୁ ମୋଦୀପ୍ରେମୀ ଦେଖାଇବାକୁ ସେମାନେ ପାଣ୍ଡିଆନଙ୍କୁ ଗାଳି କରୁଛନ୍ତି । ଯେଉଁ ନବୀନ ପଟ୍ଟନାୟକଙ୍କ ନାଁରେ ସେମାନଙ୍କର ପରିଚୟ ସୃଷ୍ଟି ହୋଇଛି ଏବଂ ପ୍ରତିଷ୍ଠା ପାଇଛନ୍ତି ନିମିଷକେ ତାଙ୍କୁ ଗୋଇଠା ମାରିଛନ୍ତି । ନବୀନଙ୍କୁ ଛାଡ଼ି ନିଜକୁ ଆଦର୍ଶବାଦୀ ଦେଖାଇବା ପାଇଁ ପାଣ୍ଡିଆନଙ୍କୁ ଆଳ କରିଛନ୍ତି । ସୁତରାଂ ବିଜେଡିରେ ସ୍ୱାର୍ଥ ହାସଲ ପାଇଁ ସେହି ପାଣ୍ଡିଆନ୍ ଦରକାର ପଡୁଥିଲା ବେଳେ ଏବେ ବିଜେପିରେ ସ୍ୱାର୍ଥ ହାସଲ ପାଇଁ ସେହି ପାଣ୍ଡିଆନଙ୍କ ନାଁ ନେଇଛନ୍ତି ।
ବିଜେପି ତାଙ୍କ ମିଶନରେ ବିଜେଡିକୁ ଭାଙ୍ଗିବାକୁ ଉଦ୍ୟମ କରୁଥିଲା ବେଳେ କ୍ଷମତାଲୋଭୀ ନେତାଙ୍କ ପାଇଁ ଏହା ବଡ଼ିଆ ସୁଯୋଗ ଆଣିଛି । ବିଜେପିରେ ରାଜନୈତିକ, ବ୍ୟକ୍ତିଗତ ଓ ବ୍ୟବସାୟିକ ସୁରକ୍ଷା ମିଳିବାର ପ୍ରତିଶ୍ରୁତି ମିଳୁ ନ ଥିବାରୁ କ୍ଷମତାଲୋଭୀ ବିଜେଡି ନେତା ଦଳ ଛାଡ଼ିବା ପାଇଁ ପାଣ୍ଡିଆନଙ୍କୁ ଅସ୍ତ୍ର କରିଛନ୍ତି । ପାଣ୍ଡିଆନଙ୍କ ଆଳରେ ସେମାନେ ବିଜେପିକୁ ଖସିଯିବା ରାସ୍ତା ପାଇଛନ୍ତି । ଏମିତି ଗଲେ କୁଆଡ଼େ ସେମାନଙ୍କର ଡବଲ ଲାଭ । ଲୋକେ କୁଆଡ଼େ ତାଙ୍କୁ ହୀରୋ ମାନୁଛନ୍ତି ଆଉ ନିଜର ସ୍ୱାର୍ଥସାଧନ ହେଉଛି ।
ଗତ ରାଜ୍ୟସଭା ନିର୍ବାଚନରେ ଏହାର ଅଧଡର୍ଜନ ପରେ ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା । ଟଙ୍କା ପାଇଁ ଇଜ୍ଜତ ବିକ୍ରି କରିବାକୁ ସଙ୍କୋଚ କରି ନ ଥିଲେ ନିର୍ବାଚିତ ପ୍ରତିନିଧି । ଦିନକ ପୂର୍ବରୁ ନବୀନଙ୍କ ନୀତି ଆଦର୍ଶ କଥା କହୁଥିବା ବିଜେଡି ବିଧାୟକମାନେ ରାତି ପାହିଲା ବେଳକୁ ବିକ୍ରି ହୋଇଗଲେ । ଅଧିକାଂଶ ପାଣ୍ଡିଆନଙ୍କ ନାଁ ନେଇ ଖସିଯିବାକୁ ବସିଲେ ।
ମୋଟାମୋଟି ଭାବେ ବିଜେଡି ଛାଡୁଥିବା ନେତାଙ୍କର ବାହାନା ହୋଇଛନ୍ତି ପାଣ୍ଡିଆନ୍ । ପାଣ୍ଡିଆନଙ୍କ ନାଁରେ ବିଜେଡି ଛାଡ଼ିଲେ ନେତାଙ୍କ ଭାଗ୍ୟ ଖୋଲିଯାଉଛି । ମିଡିଆରେ ହୀରୋ ହେଉଛନ୍ତି, ବିଜେପି କୋଳରେ ବସୁଛନ୍ତି । ଏହି ଦୃଷ୍ଟିରୁ ପାଣ୍ଡିଆନ ସେମାନଙ୍କର ଭକ୍ଷକ ନୁହେଁ ବରଂ ରକ୍ଷକ ବୋଲି ଧରିନେବାକୁ ହେବ । ରାଜନୀତିରେ ସାମାନ୍ୟ ରୁଚି ରଖୁଥିବା ସାଧାରଣ ଜନତା ଏହାକୁ ଭଲ ଭାବେ ଅନୁଧ୍ୟାନ କରିଛନ୍ତି । ପାଣ୍ଡିଆନ୍ ନାଁରେ ନେତାଙ୍କର ଭଲ ବେପାର ହେଉଛି ବୋଲି ସବୁଆଡ଼େ ଚର୍ଚ୍ଚା ହେଉଛି ।
Continue Reading





