ଭୁବନେଶ୍ୱର: ଠିକ୍ ବର୍ଷେ ତଳେ ୧୦ ଲକ୍ଷ ଟଙ୍କା ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଯୁବ ଆଇଏଏସ୍ ଅଫିସର ଧିମାନ ଚକମା । ଜେଲ୍ ଯାଇଥିଲେ, ଚାକିରିରୁ ସସପେଣ୍ଡ ହୋଇଥିଲେ । ଚାକିରି ଜୀବନ ଆରମ୍ଭ କରୁଥିବା ଜଣେ ଯୁବ ଆଇଏଏସ୍ ଅଫିସରଙ୍କର ଦୁର୍ନୀତି କାହାଣୀ ଜାତୀୟ ଗଣମାଧ୍ୟମରେ ହେଡଲାଇନ୍ ହୋଇଥିଲା । ବର୍ଷେ ନ ହେଉଣୁ ଆଜି ସେହି ବାବୁ ସମ୍ମାନର ସହ ଚାକିରିକୁ ଫେରି ଆସିଛନ୍ତି । ତାହା ପୁଣି କ୍ୟାପିଟାଲ୍ ପୋଷ୍ଟିଂ । ରାଜସ୍ୱ ବିଭାଗର ଉପ ସଚିବ ଭାବେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।
୨୦୨୧ ବ୍ୟାଚର ଆଇଏଏସ ହେଉଛନ୍ତି ଧିମାନ ଚକମା । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଉପଜିଲ୍ଲାପାଳ ଥିବା ବେଳେ ଗତବର୍ଷ ଜୁନ୍ ୮ ତାରିଖରେ ଜଣେ ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଭିଜିଲାନ୍ସ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ବାସଭବନରୁ ନଗଦ ୪୭ ଲକ୍ଷ ଟଙ୍କା ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା । ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ୍ ଯିବା ପରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବନ କରିଥିଲେ । ପରବର୍ତ୍ତୀ ସମୟରେ ଭବନାପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କ ଜାମିନ୍ ଆବେଦନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ତାଙ୍କୁ ଜାମିନ୍ ଦେଇଥିଲେ । ଇତିମଧ୍ୟରେ ରାଜ୍ୟ ସରକାର ତାଙ୍କ ଉପରୁ ନିଲମ୍ବନ ଉଠାଇ ମେ ୨୧ରେ ରାଜସ୍ୱ ବିଭାଗର ଉପ ସଚିବ ଭାବେ ନିଯୁକ୍ତି ଦେଇଥିଲେ । ଏବେ ସେ କାର୍ଯ୍ୟରେ ଯୋଗଦେଇଛନ୍ତି ।