ଭୁବନେଶ୍ୱର: ପୂର୍ବତନ ଆଇଏଏସ ସୁଜାତା ଆର କାର୍ତ୍ତିକେୟନ ରାଜନୀତିକୁ ଆସିବାର ଚର୍ଚ୍ଚା ସତ ହେବାକୁ ଯାଉଛି । ଖୁବଶୀଘ୍ର ସେ ବିଜେଡିରେ ଯୋଗଦେଇପାରନ୍ତି । ଦଳୀୟ ନେତାଙ୍କ ମୁହଁରୁ ଆଜି ଏହି ସଂକେତ ମିଳିଛି ।
ଗତ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ଲଢ଼ିଥିବା ମନ୍ମଥ ରାଉତରାୟ ଗଣମାଧ୍ୟମକୁ କହିଛନ୍ତି, ସୁଜାତା ଶତ ପ୍ରତିଶତ ବିଜେଡିକୁ ଆସୁଛନ୍ତି । ସେ ଶୀଘ୍ର ଆସନ୍ତୁ ବୋଲି ଦଳରେ ସମସ୍ତଙ୍କର ଇଛା । ଆମେ ତାଙ୍କର ଆସିବାକୁ ଅପେକ୍ଷା କରିଛୁ । ପ୍ରଶାସନରେ ତାଙ୍କର ଜ୍ଞାନ ଏ ସରକାରଙ୍କୁ ଦୋହଲାଇ ଦେବ ।
ସେ ଏହା ମଧ୍ୟ କହିଛନ୍ତି ଯେ ସୁଜାତା ବିଜେଡିରେ କୌଣସି ପଦବୀ ନେବେ ନାହିଁ କି ଉତ୍ତରାଧିକାରୀ ହେବେ ନାହିଁ । ଜଣେ ସାଧାରଣ କର୍ମୀ ଭାବରେ ଓଡିଶାର ବିକାଶ ପାଇଁ କାମ କରିବେ ।
ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରାୟ ସେହି କଥାକୁ ଦୋହରାଇଛନ୍ତି । ସୁଜାତାଙ୍କ ଏଣ୍ଟ୍ରି ନେଇ ସଭାପତି ନବୀନ ପଟ୍ଟନାୟକ କିଛି କହି ନାହାନ୍ତି । ମାତ୍ର ସେ ଆସିଲେ ଦଳର ସାଙ୍ଗଠନିକ ସ୍ଥିତି ମଜବୁତ ହେବ । ତାଙ୍କର ମାର୍ଗଦର୍ଶନରେ ଦଳ ଆଗକୁ ବଢ଼ିବ ବୋଲି ଶ୍ରୀ ମୁଦୁଲି କହିଛନ୍ତି ।
ଅନ୍ୟପକ୍ଷରେ ସୁଜାତାଙ୍କ ବିଜେଡି ଆସିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ । ନବୀନଙ୍କ ଗୁରୁମନ୍ତ୍ର କାମ କରିବନି ବୋଲି ସେ କଟାକ୍ଷ କରିଛନ୍ତି ।
ସୂଚନାଥାଉ କି, ଆଇଏଏସ ଚାକିରିରୁ ସ୍ବେଛାକୃତ ଅବସର ନେଇଥିବା ସୁଜାତା ଆର କାର୍ତ୍ତିକେୟନ ପାଣ୍ଡିଆନ ହେଉଛନ୍ତି ଭିକେ ପାଣ୍ଡିଆନଙ୍କ ପତ୍ନୀ । ମିଶନ ଶକ୍ତି ନିର୍ଦ୍ଦେଶକ ଏବଂ ସଚିବ ଭାବେ ତାହାକୁ ଏକ ଆନ୍ଦୋଳନ ଭାବେ ଗଢି ତୋଳିବାରେ ତାଙ୍କର ଯଥେଷ୍ଟ ଅବଦାନ ଥିଲା ।