ଭୁବନେଶ୍ୱର: ସପ୍ତାହବ୍ୟାପୀ ଦିଲ୍ଲୀ ଗସ୍ତରୁ ଗତକାଲି ଫେରିଲା ପରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଦଳୀୟ ସଂଗଠନ ମଜବୁତ ଉପରେ ଗୁରୁତ୍ୱ ଦେଇଛନ୍ତି । ଗତ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିବା ପ୍ରାର୍ଥୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶଙ୍ଖ ଭବନରେ ଡକାଯାଇଛି । ଆସନ୍ତା ୧୦ ତାରିଖ ବୁଧବାର ଅପରାହ୍ନ ୪ଟାରେ ବୈଠକ ଆରମ୍ଭ ହେବ । ନବୀନ ପଟ୍ଟନାୟକ ଏହି ବୈଠକର ଅଧ୍ୟକ୍ଷତା କରିବେ ।
ଦଳର ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଏକ ସାମ୍ବାଦିଜ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଛି । ଦଳର ବରିଷ୍ଠ ଉପସଭାପତି ସର୍ବଶ୍ରୀ ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସ ବର୍ମା ଏବଂ ପ୍ରତାପ ଜେନା ମିଳିତ ଭାବେ ଦଳ ସଭାପତିଙ୍କ ନିଷ୍ପତ୍ତି ଜଣାଇଛନ୍ତି।
ବୁଧବାର ଅନୁଷ୍ଠିତ ହେବାକୁ ଯାଉଥିବା ବୈଠକରେ ସଭାପତି ଦଳୀୟ ସାଙ୍ଗଠନିକ ପରିଚାଳନା ଓ ଏସ୍ଆଇଆର ସଂପର୍କିତ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା କରିବେ । ଏଥିସହ ସାଂପ୍ରତିକ ସମୟରେ ରାଜ୍ୟ ସରକାରଙ୍କ ପ୍ରଶାସନିକ ପରିଚାଳନାରେ ବିଫଳତା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଓ ନାରୀ ନିର୍ଯାତନା ଉପରେ ଦଳୀୟ ନେତୃବୃନ୍ଦଙ୍କ ସହିତ ବିସ୍ତୃତ ଆଲୋଚନା କରିବେ ବୋଲି ସେମାନେ କହିଛନ୍ତି ।