ଭୁବନେଶ୍ୱର: ଅନ୍ୟାୟ ବିରୋଧରେ ସ୍ୱର ଉଠାଇ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହି ଆସୁଥିବା ତିଖିରି ପଞ୍ଚାୟତର ଯୁବ ସରପଞ୍ଚ ଚାମେଲି ଓଝା ଗତକାଲିଠାରୁ ମୁଖ୍ୟ ଖବର ପାଲଟିଛନ୍ତି । ମହାକାଳପଡ଼ା ବ୍ଲକ୍ ଅଫିସ୍ ରେ ସ୍ଥାନୀୟ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ ସମର୍ଥକମାନେ ତାଙ୍କୁ ମାଡ଼ ଏବଂ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରୁ ଆରମ୍ଭ ହୋଇଥିବା ବିବାଦ ସାଂଘାତିକ ରୂପ ନେଇଛି । ଗତକାଲି ରାତିରେ ଚାମେଲିଙ୍କ ବିରୋଧରେ ବିଡିଓ ଥାନାରେ ଏତଲା ଦେଇଥିଲା ବେଳେ ଥାନାରେ ପୁଲିସ ଦ୍ୱାରା ମାଡ଼ ଖାଇ ଗୁରୁତର ହୋଇଥିବା ଚାମେଲିଙ୍କ ଅଭିଯୋଗକୁ କେନ୍ଦ୍ରାପଡ଼ା ଏସପି ଖଣ୍ଡନ କରିଛନ୍ତି । ଓଲଟି ଚାମେଲି ମହାକାଳପଡ଼ା ଥାନାର ମହିଳା ଏସଆଇ ତପସ୍ୱିନୀ ବିଶ୍ୱାଳଙ୍କୁ କାମୁଡ଼ିବା ସହିତ ମହିଳା ହୋମଗାର୍ଡଙ୍କ ତଣ୍ଟି ଚିପିବାକୁ ଉଦ୍ୟମ କରିଥିବା ଥାନାର ସିସିଟିଭି ଫୁଟେଜ୍ ଆଧାରରେ ଏସପି କହିଛନ୍ତି । ଏ ନେଇ ପୁଲିସ ପକ୍ଷରୁ ଚାମେଲିଙ୍କ ବିରୋଧରେ ଦୁଇଟି ସଙ୍ଗୀନ ଦଫାରେ କେସ୍ ରୁଜୁ ହୋଇଛି । ଯଦିଓ ପୁଲିସ ଚାମେଲିଙ୍କୁ ଗାଡ଼ିରେ ନେଲାବେଳେ ଛାତି ଓ ପିଠିକୁ ଗୋଇଠା ମାରିଥିବା ଅଭିଯୋଗ ହୋଇଛି ।
ଏହି ମାମଲାର ସତ ମିଛକୁ ନେଇ ଚାଲିଥିବା ଖେଳ ଭିତରେ କିନ୍ତୁ କେନ୍ଦ୍ରାପଡ଼ା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଚାମେଲି ଓଝା ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଖକୁ ଦେଇଥିବା ଏକ ଚିଠ ନିଆଁ ଲଗାଇ ଦେଇଛି । ଏହି ଚିଠି ଜରିଆରେ ଚାମେଲି ତାଙ୍କର ରାଜନୈତିକ ପରିଚୟକୁ ସାର୍ବଜନୀନ କରି ନିଜକୁ ବିଜେପିର ଜଣେ ସଚ୍ଚା କର୍ମୀ ଭାବେ ପ୍ରକାଶ କରିଥିବା ବେଳେ ମହାକାଳପଡ଼ା ବିଧାୟକ ଦୁର୍ଗା ନାୟକଙ୍କ ଆକ୍ରୋଶର କାରଣ ମୁଖ୍ୟମନ୍ତ୍ରୀଙ୍କୁ ଇସାରାରେ ଜଣାଇ ଦେଇଛନ୍ତି ।
ଚାମେଲି ତାଙ୍କ ଚିଠିରେ ମହାକାଳ ବିଧାୟକଙ୍କ ପକ୍ଷରୁ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ସିଧାସଳଖ ଜଣାଇ ମୁଖ୍ୟମନ୍ତ୍ରୀଙ୍କଠାରୁ ସୁରକ୍ଷା ମାଗିଛନ୍ତି । ବିଜେପିର ଜଣେ ଶୃଙ୍ଖଳିତ କର୍ମୀ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାହାର ସବୁ ପ୍ରମାଣ ଦେବାକୁ ଚାହିଁଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟିବାର ସୁଯୋଗ ଦେବାକୁ ସେ ହାତଯୋଡ଼ି ନିବେଦନ କରିଛନ୍ତି ।
ଚାମେଲି ତାଙ୍କ ଚିଠିରେ ଲେଖିଛନ୍ତି,
୨୦୧୭ ମସିହାରୁ ବିଜେପିରେ ଜଣେ ଶୃଙ୍ଖଳିତ ସଦସ୍ୟା ଭାବେ କାର୍ଯ୍ୟ କରି ଆସୁଛି । ନିକଟ ଅତୀତରେ ବିଜେପିର ସଦସ୍ୟତା ଅଭିଯାନରେ ଦଳ ପାଇଁ ବହୁ ସକ୍ରିୟ ସଦସ୍ୟ କରିଛି । ଦଳର ହିତ ଏବଂ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସବୁବେଳେ କାର୍ଯ୍ୟ କରି ଆସିଛି । ମୁଁ ଜଣେ ଝିଅ ହୋଇଥିବାରୁ ଦଳ ପାଇଁ କାର୍ଯ୍ୟ କରିବା ସମୟରେ ମହାକାଳପଡ଼ାର ଆମ ଦଳର ବିଧାୟକ ମୋ ଠାରୁ ଅନେକ କିଛି ପାଇବା ଆଶା କରିଥିଲେ । ମୋର ସମ୍ମାନକୁ ଦୃଷ୍ଟିରେ ରଖି ଆମ ବିଧାୟକଙ୍କ ଆଶା ପୂରଣ କରିବାରେ ମୁଁ ସଫଳ ହୋଇପାରିଲି ନାହିଁ । ଯେଉଁଥିପାଇଁ ମୋ ପ୍ରତି ବିଧାୟକ ଆଉ ତାଙ୍କ ସହିତ ବୁଲୁଥିବା କିଛି କୁଜି ନେତାଙ୍କ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଆରମ୍ଭ ହେଲା ।
୧. ପ୍ରଥମେ ମୋ ପଞ୍ଚାୟତରେ ବ୍ଲକ୍ ରୁ ଆସୁଥିବା ପାଣ୍ଠି ଏବଂ ପଞ୍ଚାୟତକୁ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସୁଥିବା ଅର୍ଥର ବିନିଯୋଗ କାର୍ଯ୍ୟକୁ ବନ୍ଦ କରିଦିଆଗଲା । ଏଥିରେ ସଂପୃକ୍ତ ଥିଲେ ବିଧାୟକ ଏବଂ ମହାକଳାପଡ଼ା ବିଡିଓ ।
୨. ମୋ ଉପରେ ରାଗ ସୁଝାଇବାକୁ ତିଖିରି ପଞ୍ଚାୟତରେ ଆମ ଦଳର ଜଣେ ନିଷ୍ଠାପର କାର୍ଯ୍ୟକର୍ତ୍ତା ସରକାରୀ ଜାଗାରେ ଜନସେବା କେନ୍ଦ୍ର ଖୋଲିଛନ୍ତି । ଏହାକୁ ଭାଙ୍ଗିବାକୁ ବିଧାୟକ ପ୍ରଶାସନକୁ ପଠାଇବାରୁ ମୁଁ ବିରୋଧ କରିଥିଲି ।
୩.ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ହେଉନାହିଁ ବୋଲି ମୁଁ ବ୍ୟକ୍ତିଗତ ଭାବେ ବିଡିଓଙ୍କୁ ଭେଟିବାରୁ ବିଧାୟକଙ୍କ କଥା ଆଗ ବୁଝ ବୋଲି ବିଡିଓ ଅନେକଥର ମୋତେ କହିଛନ୍ତି । ଗତକାଲି ଗୁରୁବାର(୧୧/୦୬/୨୦୨୬)ରେ ମୁଁ ଏବଂ ଆଉ କିଛି ସରପଞ୍ଚ ବିଡିଓଙ୍କୁ ଭେଟି ଲିଖିତ ଅଭିଯୋଗ କଲୁ । ବିଡିଓ ଅଭିଯୋଗ ପଢ଼ିବା ପରେ ସେହି ସଭା ଗୃହରେ ଛିଡ଼ା ହୋଇଥିବା କିଛି ଲୋକଙ୍କୁ ଡାକିଲେ । ସେମାନେ ଆସି ମୋର ଚରିତ୍ର ସଂହାର କଲେ, ମାଡ଼ ବି ମାରିଲେ । ମୋତେ ଆକ୍ରମଣ କରିଥିବା ସମସ୍ତେ ଆମ ଦଳର ଏବଂ ବିଧାୟକଙ୍କ ସାଥିରେ ବୁଲିଥିବା ତାଙ୍କର ୧୦/୧୫ ଜଣ ସମର୍ଥକ । ସେମାନେ ମୋତେ ଛବିରାଣୀ ଭଳି ଟେକି ନେଇ ଗଣ ଦୁଷ୍କର୍ମ କରିବାକୁ ଧମକ ଦେଇଛନ୍ତି । ମୁଁ ଡରି ଯାଇ ସବୁ କଥା ମୋ ମୋବାଇଲ୍ ଫୋନ୍ ରେ ଲାଇଭ୍ ଭିଡିଓ କରୁଥିବା ବେଳେ ପୁଲିସ ଆସି ମୋ ଭାଇ ଏବଂ ମୋତେ ଥାନା ଗାଡ଼ିରେ ବସାଇଲେ ।
୪.ପୁଲିସ ଗାଡ଼ିରେ ନେଲା ବେଳେ ତିନିଜଣ କନେଷ୍ଟବଳ ମୋ ଛାତି ଆଉ ପିଠିକୁ ମାଡ଼ ମାରି ମୋବାଇଲ୍ ଫୋନ ଛଡ଼ାଇ ନେଲେ । ଥାନାରେ ମହାକାଳପଡ଼ା ଆଇଆଇସି ମୋତେ ଅତ୍ୟନ୍ତ କଟୁ ଭାଷାରେ ଗାଳି କଲେ । ମିଛ କେଶ କରି ମୋ ଭାଇ ଏବଂ ମୋତେ ଜେଲରେ ପୂରାଇବାକୁ ଧମକାଇଲେ । ପରେ ଆଇଆଇସି ପୁଣି ବୁଝାଇଲେ, କହିଲେ ତମେ ବିଧାୟକଙ୍କୁ ବିରୋଧ କରି କାହିଁକି କାର୍ଯ୍ୟ କରୁଛ । ତାଙ୍କ ସହିତ ମିଶି କାର୍ଯ୍ୟ କର । ମୁଁ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ମୋ ଭାଇକୁ ପୁଲିସ ମିଛ ମାମଲାରେ ଜେଲ୍ ପଠାଇଛି ।
ଆପଣଙ୍କୁ ନିବେଦନ କରୁଛି ଯେ ମୁଁ ଥାନାରେ ଦେଇଥିବା ଏତଲା ଆଧାରରେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଆମ ଦଳର ବିଧାୟକ ନିଜେ ଆଉ ତାଙ୍କର କିଛି କୁଜି ସମର୍ଥକ, ପୁଲିସ, ବିଡିଓ ମୋ ସହିତ ଯାହା କରିଛନ୍ତି ସବୁର ପ୍ରମାଣ ମୋ ପାଖରେ ଅଛି । ପୁଲିସ ଛଡ଼ାଇ ନେଇଥିବା ମୋ ମୋବାଇଲ୍ ଫୋନ୍ ରେ ଅନେକ ପ୍ରମାଣ ରହିଛି । ମୋ ଜୀବନ ପ୍ରତି ଏବେ ବିପଦ ରହିଛି । ଆପଣଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଭେଟି ସବୁ ପ୍ରମାଣ ଦେବାକୁ ଚାହୁଁଛି । ଆଗାମୀ ୭ ଦିନ ମଧ୍ୟରେ ମୋତେ ଭେଟିବାର ସୁଯୋଗ ଦିଅନ୍ତୁ ବୋଲି ହାତଯୋଡ଼ି ବିନମ୍ରତାର ସହ କହୁଛି ।





