ଭୁବନେଶ୍ୱର: ତିଖିରି ପଞ୍ଚାୟତର ବିକାଶ ପାଇଁ ଅହରହ କାମ କରୁଥିବା ଯୁବ ସରପଞ୍ଚ ଚାମେଲି ଓଝାଙ୍କୁ ଆଜି ପୁଲିସ ହସ୍ପିଟାଲ୍ ବେଡ୍ ରୁ ଟେକି ନେଇ ଜେଲ୍ ପଠାଇଛି । ତାଙ୍କର ଦୋଷ ହେଉଛି ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟଙ୍କୁ ସେ ଦୁର୍ବ୍ୟବହାର କରିଛନ୍ତି । ଅଫିସ୍ ରେ ବିଡିଓଙ୍କର ପ୍ରାଇଭେସି ନଷ୍ଟ କରିଛନ୍ତି । ମହାକାଳପଡ଼ା ଥାନାର ଜଣେ ମହିଳା ଏସଆଇଙ୍କୁ କାମୁଡ଼ିଛନ୍ତି । ଜଣେ ହୋମଗାର୍ଡଙ୍କ ଚୁଟି ଘୋଷାଡ଼ିଛନ୍ତି । ଅବଶ୍ୟ ଏ ସବୁ ଥିଲା ତାଙ୍କୁ ଗିରଫ କରିବାର ଆଳ । ମାତ୍ର ବିଡିଓ ଓ ଆଇଆଇସିଙ୍କର ମୁଖ୍ୟ ରାଗ ହେଉଛି ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ୍ନ ନାୟକଙ୍କ ସାଙ୍ଗରେ ଚାମେଲି ନ ରହିବା । ବିଧାୟକଙ୍କ ବ୍ୟକ୍ତିଗତ ଇଚ୍ଛା ପୂରଣଠାରୁ ତାଙ୍କ ଅରାଜକତାକୁ ମୁଣ୍ଡପାତି ସହିଥାନ୍ତେ ।
ଚାମେଲିଙ୍କୁ ଫସାଇବାରେ କେବଳ ବିଡିଓ କି ଆଇଆଇସିଙ୍କର ଭୂମିକା ନାହିଁ । ଖୋଦ୍ କେନ୍ଦ୍ରାପଡ଼ା ଏସପି ମଧ୍ୟ ଏଥିରେ ଭାଗିଦାର ହୋଇଛନ୍ତି । ସୁତରାଂ ଜିଲ୍ଲା ପ୍ରଶାସନ କଳ ଚାମେଲିଙ୍କ ସ୍ୱର ବନ୍ଦ କରିବାକୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଚାମେଲିଙ୍କ ମା’ ଭାରତୀ ମାଝୀ ମଧ୍ୟ ଖୋଲାଖୋଲି ଏହି ଅଭିଯୋଗ ବାଢ଼ିଛନ୍ତି । ଝିଅ ପାଇଁ ନ୍ୟାୟ ମାଗିବାକୁ ଆଜି ସେ ଏସପିଙ୍କୁ ଭେଟିବାକୁ ଯାଇଥିଲେ ମଧ୍ୟ ଏସପି ତାଙ୍କୁ ଭେଟିବାକୁ ମନା କରିଦେଇଥିଲେ ।
୬ ମାସ ତଳେ ଏହି ଜିଲ୍ଲାର ରାଜନଗର ବ୍ଲକ୍ ରେ କାର୍ଯ୍ୟରତ ମହିଳା ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ତାଙ୍କ ଅଫିସ୍ ରେ ପଶି ଆକ୍ରମଣ କରିଥିଲେ ଶାସକ ଦଳର ପରାଜିତ ପ୍ରାର୍ଥୀ ଲଳିତ ବେହେରା ଏବଂ ତାଙ୍କର ଗୁଣ୍ଡାବାହିନୀ । ପ୍ରତିବାଦରେ ବ୍ଲକ୍ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କଲେ । ଓଏଏସ୍ ସଂଘ ଜିଲ୍ଲାପାଳଙ୍କୁ ଫେରାଦ ହେଲେ । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଖବର ଆସିଲା । ମାତ୍ର ଲଳିତ ବେହେରାଙ୍କ ପାୱାର୍ ଆଗରେ ସମସ୍ତେ ଚାପିହୋଇଗଲେ । ବିଡିଓଙ୍କ ଏତଲା ସତ୍ତ୍ୱେ ଲଳିତ ବେହେରାଙ୍କ ଦେହରେ ପୁଲିସ ହାତ ମାରିପାରିଲାନି । ଓଲଟି ବିଡିଓଙ୍କୁ ଲମ୍ବା ଛୁଟିରେ ରହିବାକୁ କୁହାଗଲା । ତାପରେ ତାଙ୍କୁ ରାଜନଗରରୁ ବଦଳି କରି ଦିଆଗଲା । ନିଶରେ ଘିଅ ମାରି ଛାତି ଫୁଲାଇ ବୁଲିଲେ ଲଳିତ ବେହେରା ।
ସେହିଭଳି, ନିକଟରେ ଟାଙ୍ଗୀ ବ୍ଲକ୍ ଭିତରେ ପଶି ଶାସକ ଦଳର ପରାଜିତ ପ୍ରାର୍ଥୀ ଅରିନ୍ଦମ ରାୟ ସଦଳବଳେ ଏବିଡିଓଙ୍କୁ ଧମକ ଦେଇଥିଲେ । ତାଙ୍କ ଉପରକୁ ହାତ ଉଠାଇ ଆକ୍ରମଣ ଉଦ୍ୟମ କରିଥିଲେ । ଏହି ଘଟଣାକୁ ନେଇ ମଧ୍ୟ ଓଡ଼ିଶା କମ୍ପିଲା । ଅରିନ୍ଦମଙ୍କ ବିରୋଧରେ ଏବିଡିଓଙ୍କ ଏତଲା ସତ୍ତ୍ୱେ ତାଙ୍କ ଦେହରେ କିନ୍ତୁ ଧୂଳି ବାଜିଲାନି । ଓଲଟି ଛାତି ଫୁଲେଇ ମିଡିଆକୁ ସେ ଇଣ୍ଟରଭ୍ୟୁ ଦେଲେ । ସାମ୍ବାଦିକଙ୍କୁ ଚାରିଣିଆ କହି ଗାଳି ଦେଲେ ।
ଅଥଚ ସେହି ଶାସକ ଦଳର ଜଣେ ଲଢ଼ୁଆ ଯୁବ ସରପଞ୍ଚଙ୍କୁ ସୁରକ୍ଷା ଦେବା ବଦଳରେ ଓଲଟି ସରକାର ପ୍ରତିଶୋଧପରାୟଣ ହୋଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ଲୋକସେବା ଭବନର କନଭେନସନ୍ ହଲରେ ସାମ୍ବାଦିକ ସମ୍ମିଳନୀ କରି ନିଜ ସରକାରଙ୍କ ସଫଳତାର ଫର୍ଦ୍ଦ ପଢ଼ୁଥିଲା ବେଳେ ଚାମେଲି ତାଙ୍କୁ ଦେଇଥିବା ଚିଠି ସୋସିଆଲ୍ ମିଡିଆରେ ଘୁରୁଥିଲା । ଅନ୍ୟାୟ ବିରୋଧରେ ଲଢ଼ି ହସ୍ପିଟାଲ୍ ବେଡ୍ ରେ ଯନ୍ତ୍ରଣା ଭୋଗୁଥିବା ଜଣେ ମହିଳା ଜନପ୍ରତିନିଧିଙ୍କ କାହାଣୀ ଲୋକେ ଦେଖୁଥିଲେ । ମାତ୍ର ‘ବିକାଶର ଧାରା ଓଡ଼ିଶା ସାରା’ ନାରା ଦେଉଥିବା ସରକାରଙ୍କ ଉପରେ ଏହା ଫରକ୍ ପକାଇ ନ ଥିଲା । ସ୍ଥାନୀୟ ବିଧାୟକଙ୍କ ପକ୍ଷରୁ ବିପଦ ଆଶଙ୍କା କରି ମୁଖ୍ୟମନ୍ତ୍ରୀଙ୍କଠାରୁ ସୁରକ୍ଷା ମାଗିବାର ୨୪ ଘଣ୍ଟା ନ ପୂରୁଣୁ ତାଙ୍କୁ ହସ୍ପିଟାଲ୍ ବେଡ୍ ରୁ ପୁଲିସ ଉଠାଇ ନେଇଥିଲା ।
ଗୁରୁବାର ଦିନ ପୁଲିସଠାରୁ ମାଡ଼ ଖାଇଥିବା ଚାମେଲି ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ସବୁଆଡ଼େ ପ୍ରତିବାଦ ହୋଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ବିଭିନ୍ନ ଦଳର ନେତା ଓ ସାଧାରଣ ଲୋକ ହସ୍ପିଟାଲ୍ କୁ ଆସିଥିଲେ । ଆଜି କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ଏବଂ ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ପୃଥକ୍ ଭାବେ ମହାକାଳପଡ଼ା ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ରାଜ୍ୟ ମହିଳା କଂଗ୍ରେସ ଅଧ୍ୟକ୍ଷା ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଏକ ଟିମ୍ କେନ୍ଦ୍ରାପଡ଼ା ହସ୍ପିଟାଲ୍ ଯାଇ ଅସୁସ୍ଥ ଚାମେଲିଙ୍କୁ ଭେଟିଥିଲେ । ଏହାର କିଛି ସମୟ ପରେ ମହାକାଳପଡ଼ା ପୁଲିସର ଏକ ଟିମ୍ ଚାମେଲିଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଇ ଏକ ଅଜ୍ଞାତ ସ୍ଥାନକୁ ଉଠାଇ ଆଣିଥିଲେ । ପରେ ତାଙ୍କୁ ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ଜାମିନ୍ ନାମଞ୍ଜୁର ହେବାରୁ ବାରିମୂଳ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
ଇଣ୍ଟରନ୍ୟାସନାଲ୍ ହ୍ୟୁମାନ୍ କାଉନସିଲ୍, କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ସଦସ୍ୟାଙ୍କ କହିବାନୁଯାୟୀ, ଆଜି କୋର୍ଟରେ ଚାମେଲିଙ୍କୁ ପୁଲିସ ହଜାର କଲାବେଳେ ତାଙ୍କର ଅବସ୍ଥା ଗୁରୁତର ଥିଲା । ସେ ଛିଡ଼ା ହୋଇପାରୁ ନ ଥିଲେ । ତାଙ୍କର ଏ ଅବସ୍ଥା ଦେଖି ମାଜିଷ୍ଟ୍ରେଟ୍ ମଧ୍ୟ ହଡ଼ବଡ଼େଇ ଯାଇଥିଲେ । ତାଙ୍କୁ ମେଡ଼ିକାଲରୁ ଡାକ୍ତରମାନେ କିଭଳି ଡିସଚାର୍ଜ କଲେ ସେଠାରେ ଉପସ୍ଥିତ ଆଇନଜୀବୀମାନଙ୍କୁ ଆନ୍ଦୋଳିତ କରିଥିଲା ।
ଉଲ୍ଲେଖଥାଉକି, ଚାମେଲି ତାଙ୍କ ଉପରେ ବିଧାୟକଙ୍କ ଗୁଣ୍ଡାବାହିନୀ ଦ୍ୱାରା ହୋଇଥିବା ଗାଳିମନ୍ଦ ଏବଂ ଆକ୍ରମଣ ସମ୍ପର୍କରେ ସେହି ଗୁରୁବାର ଦିନ ଥାନାରେ ଏତଲା ଦେଇଥିଲେ । ଶାସକ ଦଳର ଜଣେ ଦୃଢ଼ ସମର୍ଥକ ଭାବେ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସୁରକ୍ଷା ମାଗିଥିଲେ । ବିଧାୟକ ଦୁର୍ଗାପ୍ରସନ୍ନ ନାୟକଙ୍କ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ବିଧାୟକ ତାଙ୍କ ଇଜ୍ଜତ ଉପରେ ଆଖି ପକାଇ ନିରାଶ ହେବା ପରେ ପ୍ରତିଶୋଧ ନେଉଛନ୍ତି ବୋଲି ଇସାରାରେ ଲେଖିଥିଲେ ।
ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଚାମେଲିଙ୍କ ଚିଠି ନିଆଁ ଲଗାଇଥିବା ବେଳେ କେନ୍ଦ୍ରାପଡ଼ା ଏସପି ଏକ ସାମ୍ବାଦିକ ସମ୍ମିଳନୀ କରି ଚାମେଲିଙ୍କ ବିରୋଧରେ ବୟାନ ଦେଇଥିଲେ । ଏହାପୂର୍ବରୁ ମହାକାଳପଡ଼ା ପୁଲିସ ଚାମେଲିଙ୍କ ବିରୋଧରେ ପୁଲିସକୁ ଆକ୍ରମଣ କରିବା ଅଭିଯୋଗରେ ଦୁଇଟି ସଙ୍ଗୀନ ମାମଲା ରୁଜୁ କରିଥିଲେ । ସେହିଭଳି ବିଡିଓ ରବିନାରାୟଣ ଆଚାର୍ଯ୍ୟଙ୍କ ଅଭିଯୋଗକ୍ରମେ ଚାମେଲି ଓ ତାଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିଲା । ସୂର୍ଯ୍ୟକାନ୍ତଙ୍କୁ ତତକ୍ଷଣାତ ପୁଲିସ ଗିରଫ କରି ଜେଲ୍ ପଠାଇଥିଲା ।
ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼ୁଥିବା ଜଣେ ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ପ୍ରଶାସନର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଛି । ଏହାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି । ଏହି ଘଟଣା ପାଇଁ ବିଧାୟକଙ୍କୁ ଦାୟୀ ଅଞ୍ଚଳର ବିଜେପି ନେତାମାନେ ଭର୍ତ୍ସନା କରିଛନ୍ତି । ଅଞ୍ଚଳକୁ ଜଣେ ଅଯୋଗ୍ୟ ବ୍ୟକ୍ତିଙ୍କ ହାତରେ ଛାଡ଼ି ଦେଇ ଭୁଲ୍ କରିଦେଲୁ । ସେଥିପାଇଁ ମହାପ୍ରଭୁଙ୍କ ପାଖରେ କ୍ଷମା ମାଗୁଛୁ । ଅଫିସରମାନେ ବିଧାୟକଙ୍କର ଚାମଚା ହୋଇ ଅରାଜକତା ଚଳାଇଛନ୍ତି ବୋଲି ବରିଷ୍ଠ ନେତା ଡ. ସୌଭାଗ୍ୟ ପରିଡ଼ା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଚାମେଲିଙ୍କୁ ନ୍ୟାୟ ଦାବି କରାଯାଇଛି ।
ଶେଷ ଖବର ଅନୁଯାୟୀ, ଜେଲ୍ ଯାଇଥିବା ଚାମେଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣି ଥରେ ହସ୍ପିଟାଲ୍ ଅଣାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଉଛି । ମୋତେ ସେମାନେ ମାରିଦେବେ, ବଞ୍ଚାନ୍ତୁ ବୋଲି ହସ୍ପିଟାଲ୍ ଆସିବା ବେଳେ ଗଣମାଧ୍ୟମକୁ କାନ୍ଦି କାନ୍ଦି ନେହୁରା ହୋଇଛନ୍ତି ଚାମେଲି ।





